ଟୋକିଓ ୦୧।୦୮: ଆଖି ଓ ଥୋଡିରେ ମାଡ ହୋଇଥିଲା। ପଡିଥିଲା ସାତୋଟି ଷ୍ଟିଜ୍। ଖେଳିବା ନେଇ ସନ୍ଦେହ ଥିଲା। ତଥାପି ଯନ୍ତ୍ରଣାକୁ ଭ୍ରୁକ୍ଷେପ ନକରି ରିଙ୍ଗ୍କୁ ଓହ୍ଲାଇଲେ ବକ୍ସର ସତୀଶ କୁମାର। ଶେଷ ପର୍ଯ୍ୟନ୍ତ ଲଢିଲେ। ସହଜରେ ହାର ମାନିଲେନି। ପ୍ରତିପକ୍ଷ ବକ୍ସରଙ୍କ ସହ କଡା ସଂଘର୍ଷ କଲେ। ଶେଷରେ କଡା ଟକ୍କର ପରେ ହାରିଗଲେ ସତୀଶ। ଆଉ ମଉଳିଗଲା ଟୋକିଓ ଅଲିମ୍ପିକରେ ପଦକ ଆଶା। ୯୧ କିଲୋଗ୍ରାମ ବର୍ଗରେ ଉଜବେକିସ୍ତାନର ବଖୋଦିର ଜାଲୋଲୋଭଙ୍କଠୁ ସତୀଶ ୫-୦ରେ ପରାସ୍ତ ହୋଇଛନ୍ତି। ଏହି ପରାଜୟ ସହ ସତୀଶଙ୍କ ଟୋକିଓ ଅଲିମ୍ପିକ ପଦକ ସ୍ଵପ୍ନ ଧୂଳିସାତ ହୋଇଛି। ଆଉ ଭାରତକୁ ଲାଗିଛି ଆଉ ଏକ ଝଟକା।
ହାରିବା ପରେ ସଭିଙ୍କ ହୃଦୟ ଜିତିଛନ୍ତି ସତୀଶ କୁମାର। ସେନାର ୩୨ ବର୍ଷୀୟ ସତୀଶ ନିଜ ଡାହାଣ ହାତରେ ମଧ୍ୟ ପ୍ରତିଦ୍ଵନ୍ଦ୍ଵୀଙ୍କୁ ପଞ୍ଚ ମାରିଥିଲେ। ହେଲେ ବିଶ୍ଵ ଚାମ୍ପିଅନ ଜାଲୋଲୋଭ କ୍ଵାର୍ଟର ଫାଇନାଲରେ ଭାରତୀୟ ବକ୍ସରଙ୍କ ଉପରେ ଭାରି ପଡିଥିଲେ। ତୃତୀୟ ରାଉଣ୍ଡ ଆରମ୍ଭ ହେବା ସହ ସତୀଶଙ୍କ ମୁହଁର ଘା ସତେଜ ହୋଇ ଯାଇଥିଲା। ରକ୍ତ ଝରିବାକୁ ଲାଗିଥିଲା। ତଥାପି ସେ ମଇଦାନ ଛାଡିନଥିଲେ। ମୁକାବିଲାରେ ସତୀଶ ଘାଇଲା ସିଂହ ପରି ଲଢିଥିଲେ ଆଉ ଦୃଢତାର ସହ ପ୍ରତିଦ୍ଵନ୍ଦୀଙ୍କ ସାମ୍ନା କରିଥିଲେ। ଏହି କାରଣରୁ ଜିତିବା ପରେ ମଧ୍ୟ ସତୀଶଙ୍କ ଖୁବ୍ ପ୍ରଶଂସା କଲେ ଜାଲୋଲୋଭ। ସତୀଶ ଅଲିମ୍ପିକରେ ସୁପର ହେଭିଓ୍ଵେଟ୍ ମୁକାବିଲାରେ ଯୋଗ୍ୟତାଅର୍ଜନ କରିବାରେ ପ୍ରଥମ ଭାରତୀୟ ବକ୍ସର ଥିଲେ। ଅପରପକ୍ଷେ ବଖୋଦିର ଜାଲୋଲୋଭ ଥିଲେ ତିନି ଥରର ଏସୀୟ ଚାମ୍ପିଅନ।
ସତୀଶ କୁମାରଙ୍କ ପରାଜୟ ସହ ପୁରୁଷ ବକ୍ସିଂରେ ଭାରତର ଚ୍ୟାଲେଞ୍ଜ ସମାପ୍ତ ହୋଇଛି। ଅନ୍ୟପଟେ ମହିଳା ବର୍ଗରରେ ଏକ ମାତ୍ର ଆଶା ଲଭଲିନା ବୋରଗୋନେହଙ୍କ ଉପରେ ରହିଛି। ଲଭଲିନା ବକ୍ସିଂରେ ଭାରତର ପଦକ ସୁନିଶ୍ଚିତ କରି ସାରିଛନ୍ତି। ଏବେ ସେମି ଫାଇନାଲରେ ସେ ପ୍ରତିଦ୍ଵନ୍ଦ୍ଵୀଙ୍କ ମୁକାବିଲା କରିବେ। ଏବେ ଦେଖିବା ବାକି ରହିଲା ଯେ, ଲଭଲିନା ଭାରତ ପାଇଁ ସ୍ଵର୍ଣ୍ଣ ଜିତୁଛନ୍ତି ନା ରୌପ୍ୟ। ସେମି ଫାଇନାଲରେ ପହଞ୍ଚିବା ସହ ସେ କାଂସ୍ୟ ପଦକ ସୁନିଶ୍ଚିତ କରି ସାରିଥିଲେ।