ଧର୍ମ

ପୋଡ଼ପିଠା: ଯଜ୍ଞ‘ପୁରୋଡାଶ’!

ବାହୁଡ଼ାଯାତ୍ରାରେ ଶ୍ରୀଗୁଣ୍ଡିଚା ମନ୍ଦିରରୁ ଫେରିବା ବେଳେ, ରଥାରୂଢ଼ ଶ୍ରୀଜଗନ୍ନାଥଙ୍କୁ ମାଉସୀ ମା’ ମନ୍ଦିରଠାରେ ପୋଡ଼ପିଠା ଭୋଗ ଅର୍ପଣ ହୁଏ। ଏହା ପ୍ରକୃତରେ ‘ଛେନା-ପୋଡ଼ପିଠା’। ଶ୍ରୀମନ୍ଦିର ସ୍ୱତ୍ୱଲିପିରେ ଅତି ସ୍ପଷ୍ଟ ଭାବରେ ଏକଥା ଲେଖାଅଛି।
କିନ୍ତୁ ‘ପୋଡ଼ପିଠା’ ବୋଲି କୁହାଗଲେ ମଧ୍ୟ, ଏହା ଠିକ୍ ଅର୍ଥରେ ପୋଡ଼ପିଠା ନୁହେଁ। କାରଣ, ଶ୍ରୀଜଗନ୍ନାଥଙ୍କ ଭୋଗ-ବ୍ୟବସ୍ଥାରେ କୌଣସି ପୋଡ଼ା ସାମଗ୍ରୀ ଲାଗି ହେବାର ବିଧି ନାହିଁ। ଏପରିକି, ଶ୍ରୀମନ୍ଦିରରେ ପ୍ରତିଦିନ ‘ହାତପୋଡ଼ା’ ନାମକ ଏକ ପ୍ରକାରର ପିଠା ଭୋଗ ଲାଗି ହେଲେ ମଧ୍ୟ, ତାହା ପୋଡ଼ା ହୋଇ ନଥାଏ। ମାଉସୀ ମା’ ମନ୍ଦିରର ପୋଡ଼ପିଠା ପରି, ତାହା ମଧ୍ୟ ଗହମ ଅଟା, ଛେନା, ଗୁଆଘିଅ, ନବାତ, କିସ୍‌ମିସ୍ ଏବଂ ଅଳେଇଚ ଓ ଲବଙ୍ଗ ଚୂର୍ଣ୍ଣ ପଡ଼ି ପ୍ରସ୍ତୁତ ହୋଇଥାଏ। ଏହା ପୋଡ଼ା ନଯାଇ, ଗୁଆଘିଅରେ ଛଣା ହୋଇଥାଏ। ଶ୍ରୀଜଗନ୍ନାଥଙ୍କ ଆଖିପରି ଏହା ଗୋଲାକାର ଏବଂ ଏହାର ବ୍ୟାସ ପ୍ରାୟ ଏକହାତ ହୋଇଥାଏ।

ମାଉସୀ ମା’ମନ୍ଦିର ପୋଡ଼ପିଠାର ପ୍ରସ୍ତୁତିବିଧି ମଧ୍ୟ ସେହିପରି। ପ୍ରଥମେ ଗହମ ଅଟା ସହିତ ଦୁଧଛେନା ଆଦିକୁ ଏକାଠି ଦଳି, ଅଥାର ହାଣ୍ଡି ପରି ହାଣ୍ଡିରେ ସିଝାଯାଏ। ତା’ପରେ ତାକୁ ଖଣ୍ଡଖଣ୍ଡ କରି କାଟି ଗୁଆଘିଅରେ ଛଣାହୁଏ। ଶ୍ରୀଜଗନ୍ନାଥଙ୍କ ରଥ ଆସି ବଳଗଣ୍ଡି ନିକଟ ମାଉସୀ ମା’ (ଅର୍ଦ୍ଧାଶନୀ ବା ଅର୍ଦ୍ଧଶୋଷିଣୀ)ଙ୍କ ମନ୍ଦିରଠାରେ ପହଞ୍ଚିବା ପରେ, ଶ୍ରୀମନ୍ଦିରର ପୂଜାପଣ୍ଡା ସେବକ ତାହାକୁ ‘ସର୍ପାମଣୋହି’ ବିଧିରେ ରଥସ୍ଥିତ ଶ୍ରୀଜଗନ୍ନାଥଙ୍କୁ ସମର୍ପଣ କରିଥାଆନ୍ତି। ଶ୍ରୀମନ୍ଦିର ସ୍ୱତ୍ୱଲିପିରେ ଏହା କେବଳ ଶ୍ରୀଜଗନ୍ନାଥଙ୍କୁ ସମର୍ପଣ କରାଯିବା କଥାର ଉଲ୍ଲେଖ ଥିଲେ ମଧ୍ୟ, ଏହା ତିନି ରଥର ଠାକୁରମାନଙ୍କୁ ସମର୍ପଣ କରାଯାଉଛି।

ମାଉସୀ ମା’ ମନ୍ଦିରର ଏହି ପୋଡ଼ପିଠା ଭୋଗ ପ୍ରସ୍ତୁତି ପାଇଁ ଇଟାରେ ଚୁଲି ତିଆରି କରାଯାଇଥାଏ। ‘ଶତପଥ ବ୍ରାହ୍ମଣ’ରେ ଯେଉଁ ଯଜ୍ଞ ବିଧି ଅଛି- ସେଥିରେ ଇଟାଚୁଲିରେ ଏପରି ପୋଡ଼ପିଠା ପ୍ରସ୍ତୁତ କରାଯିବାର ବିଧି ବର୍ଣ୍ଣିତ ହୋଇଛି। ତାହାର ନାମ ‘ପୁରୋଡାଶ’। ଏ ଦୃଷ୍ଟିରୁ ପଣ୍ଡିତ ସଦାଶିବ ରଥଶର୍ମା ଗୋଟିଏ ଲେଖାରେ ମାଉସୀ ମା’ ମନ୍ଦିରର ଏହି ପିଠାଭୋଗକୁ ‘ଯଜ୍ଞ ପୁରୋଡାଶ’ କହିଛନ୍ତି। ତାଙ୍କ ଅନୁସାରେ, ରାଜା ଇନ୍ଦ୍ରଦ୍ୟୁମ୍ନ ଯେଉଁ ଯଜ୍ଞ କରିଥିଲେ, ତାହାର ଉଦକ (ଜଳ) ଏହି ଅର୍ଦ୍ଧାଶନୀ ବା ଅର୍ଦ୍ଧଶୋଷିଣୀ ଦେବୀଙ୍କ ପୀଠଠାରେ ଅର୍ପିତ ହୋଇଥିଲା। ମାଉସୀ ମା’ ନାମରେ ଯେଉଁ ଦେବୀ ଲୋକପ୍ରିୟ, ସେ ଦେବୀ ହେଉଛନ୍ତି ଯଜ୍ଞଙ୍କର ପତ୍ନୀ ସ୍ୱାହା। ସେ ଯଜ୍ଞଙ୍କର ଶକ୍ତି ‘ଯୂପ’ର ପ୍ରତୀକ। ସେ ଦୃଷ୍ଟିରୁ ପୋଡ଼ପିଠା ଭୋଗ ‘ଯଜ୍ଞ ପୁରୋଡାଶ’।

ତେବେ ସେ ଯାହାହେଉ ନା କାହିଁକି, ସାଧାରଣ ଭାବରେ ଏହି ପୋଡ଼ପିଠା ଭୋଗ ଯାତ୍ରାଶ୍ରାନ୍ତ ଶ୍ରୀଜଗନ୍ନାଥଙ୍କ ପାଇଁ ଶ୍ରଦ୍ଧାର ଏକ ନୈବେଦ୍ୟ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ