ଧର୍ମ

ରଥ ପତାକା ପଞ୍ଚରଙ୍ଗୀ

ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ତିନି ରଥର ନାମ- ନନ୍ଦିଘୋଷ, ତାଳଧ୍ୱଜ ଓ ଦେବଦଳନ। ଧ୍ୱଜ ଅନୁସାରେ, ଏ ତିନିରଥର ବି ଏକ ବା ଏକାଧିକ ନାଆଁ ଅଛି। ଶ୍ରୀବଳଭଦ୍ରଙ୍କ ରଥର ନାଆଁ ତ ସହଜେ ତାଳଧ୍ୱଜ; କିନ୍ତୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର ନାଆଁ କପିଧ୍ୱଜ ବା ଗରୁଡ଼ଧ୍ୱଜ ଏବଂ ଦେବୀ ସୁଭଦ୍ରାଙ୍କ ରଥର ନାଆଁ- ପଦ୍ମଧ୍ୱଜ।

କିନ୍ତୁ ଧ୍ୱଜ ଅନୁସାରେ ନାଆଁ ଅଲଗା ଅଲଗା ହେଲେହେଁ, ଏ ତିନିରଥର ଧ୍ୱଜ ବା ପତାକା କିନ୍ତୁ ଗୋଟିଏ ପ୍ରକାରର। ଏହି ପତାକା ପାଞ୍ଚରଙ୍ଗର। ରଙ୍ଗଗୁଡ଼ିକ ହେଉଛି- ସବୁଜ, ଲାଲ, ହଳଦିଆ, କଳା ଓ ଧଳା। ପତାକାର ଦୈର୍ଘ୍ୟ ପ୍ରାୟ ଦେଢ଼ ଫୁଟ। ତାହା ଗୋଟିଏ କନା ଖୋଳରେ ସିଲେଇ ହୋଇ, ତା’ ଭିତରେ ବାଉଁଶନଳି ପୂରାଯାଇ, ରଥର ଶୀର୍ଷ ଦେଶରେ ଖଞ୍ଜା ଯାଇଥାଏ।

ଗବେଷକ ଜେ. ଆର. ସାଣ୍ଟିଆଗୋ ଏହି ପତାକାକୁ ତିବ୍‌ବତୀୟ ବୌଦ୍ଧଧର୍ମର ଉପାସନାଧ୍ୱଜା ସହ ଯୋଡ଼ିଛନ୍ତି। ତାଙ୍କ ଅନୁସାରେ, ଏହି ଧ୍ୱଜାର ନାମ ‘ଧାର୍ ଜୁକ୍‌’। ଏହାର ପାଞ୍ଚରଙ୍ଗ ହେଲା- ନୀଳ, ଧଳା, ଲାଲ, ହଳଦି ଓ ସବୁଜ। ଏହି ରଙ୍ଗ- ଆକାଶ, ମେଘ, ବାୟୁମଣ୍ଡଳ, ସୂର୍ଯ୍ୟ ଓ ପୃଥିବୀର ପ୍ରତୀକ। ଏହି ପାଞ୍ଚରଙ୍ଗ ମଧ୍ୟ ପାଞ୍ଚ ଧ୍ୟାନୀବୁଦ୍ଧଙ୍କର ପ୍ରତୀକ। କିନ୍ତୁ, ୧୮୮୫ରେ ସ୍ଥିର କରାଯାଇଥିବା ବୌଦ୍ଧଧର୍ମର ପାଞ୍ଚରଙ୍ଗର ପତାକାରେ ସବୁଜ ରଙ୍ଗଟି ନାହିଁ। ତା’ ବଦଳରେ ଅଛି ନାରଙ୍ଗି ବା କମଳା ରଙ୍ଗ। ପୁଣି, ପୁରୀ ରଥର ପତାକାରେ ଥିବା କଳାରଙ୍ଗ ମଧ୍ୟ ସେ ପତାକାରେ ନାହିଁ।

ବୌଦ୍ଧଧର୍ମର ପତାକା ପରି, ଜୈନଧର୍ମର ପତାକାରେ ମଧ୍ୟ ପାଞ୍ଚଟି ରଙ୍ଗ ଅଛି। ସେ ରଙ୍ଗ ହେଉଛି- ଲାଲ, ସବୁଜ, ହଳଦିଆ, କଳା ଓ ଧଳା। ଏହି ପାଞ୍ଚରଙ୍ଗ ଯଥାକ୍ରମେ- ସିଦ୍ଧ, ଉପାଧ୍ୟାୟ, ଆଚାର୍ଯ୍ୟ, ସାଧୁ ବା ସାଧ୍ୱୀ ଓ ଅରିହନ୍ତଙ୍କର ପ୍ରତୀକ। ଏହା ବ୍ୟତୀତ ଜୈନଧର୍ମର ପତାକାରେ ବିନ୍ଦୁ, ସ୍ୱସ୍ତିକ ଓ ଚନ୍ଦ୍ରବିନ୍ଦୁ ମଧ୍ୟ ରହିଥାଏ। ଏ ପ୍ରସଙ୍ଗରେ ବିଶେଷ ଉଲ୍ଲେଖନୀୟ ଯେ ଦେବରାଜ ଇନ୍ଦ୍ରଙ୍କ ରଥର ପତାକା ମଧ୍ୟ ପାଞ୍ଚରଙ୍ଗର। ଶ୍ରୀଜଗନ୍ନାଥଙ୍କ ରଥ ‘ନନ୍ଦିଘୋଷ’ ଇନ୍ଦ୍ରଙ୍କ ଦ୍ୱାରା ପ୍ରଦତ୍ତ ବୋଲି ଗୋଟିଏ ପୁରାଣ କାହାଣୀ ମଧ୍ୟ ଅଛି।

ପୁରୀର ତିନି ରଥର ପାଞ୍ଚରଙ୍ଗୀ ପତାକା ସଂପର୍କରେ ଗୋଟିଏ ଉଲ୍ଲେଖନୀୟ ବିଷୟ ହେଉଛି- ହିନ୍ଦୁଧର୍ମର ପଞ୍ଚଦେବତା ଉପାସନା ପରମ୍ପରାରେ ଏହି ପାଞ୍ଚରଙ୍ଗର ଅଧୀଶ୍ୱର ହେଉଛନ୍ତି- ବିଷ୍ଣୁ, ଗଣେଶ, ଶିବ, ଦୁର୍ଗା ଓ ସୂର୍ଯ୍ୟ। ଏଣୁ ନନ୍ଦିଘୋଷ, ତାଳଧ୍ୱଜ ଓ ଦେବଦଳନ ରଥର ଏହି ପତାକାରେ ବୌଦ୍ଧ, ଜୈନ ଓ ହିନ୍ଦୁଧର୍ମର ସୁନ୍ଦର ସମନ୍ୱୟ ଘଟିଛି ବୋଲି କୁହାଯାଏ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ