ମୁମ୍ବାଇ ୦୯/୦୭: ସୁପରହିଟ୍ ହଲିଉଡ ଫିଲ୍ମ ‘ଫାଷ୍ଟ ଆଣ୍ଡ ଫ୍ୟୁରିୟସ୍’ ଫ୍ରାଞ୍ଚାଇଜ୍ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ଫ୍ରାଞ୍ଚାଇଜ୍ ର ପରବର୍ତ୍ତୀ ଫିଲ୍ମର ରିଲିଜ୍ ଡେଟ୍ ଆସି ସାରିଛି । ହଲିଉଡ ଅଭିନେତା ଭିନ୍ ଡିଜେଲଙ୍କ ଫିଲ୍ମ ‘ଏଫ୍ ନାଇନ୍ ଦି ଫାଷ୍ଟ ସାଗା’ ଅଗଷ୍ଟ ୫ ରେ ଭାରତରେ ରିଲିଜ୍ ହେବ । ବିଶେଷ କଥା ହେଉଛି ଭାରତରେ ଗୋଟିଏ କିମ୍ବା ଦୁଇଟି ନୁହେଁ ବରଂ ଏହି ଫିଲ୍ମ ୫ ଟି ଭାଷାରେ ରିଲିଜ୍ ହେବ। ଫାଷ୍ଟ ଆଣ୍ଡ ଫ୍ୟୁରିୟସ୍ ଫ୍ରାଞ୍ଚାଇଜ୍ ର ପରବର୍ତ୍ତୀ ଫିଲ୍ମ ଭାରତରେ ଇଂରାଜୀ, ହିନ୍ଦୀ, ତାମିଲ୍, ତେଲୁଗୁ ଏବଂ କନ୍ନଡ ଭାଷାରେ ରିଲିଜ୍ ହେବ ।
ଷ୍ଟିନ୍ ଲିନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ଆମେରିକା, କାନାଡା, ଚୀନ୍, ଋଷ, କୋରିଆ, ହଂକଂ ଏବଂ ପଶ୍ଚିମ ଏସିଆରେ ରିଲିଜ୍ ହୋଇସାରିଛି। ଫାଷ୍ଟ ଆଣ୍ଡ ଫ୍ୟୁରିୟସ୍ ଫ୍ରାଞ୍ଚାଇଜ୍ ଫିଲ୍ମଗୁଡିକ ବିପଜ୍ଜନକ କାର୍ ରେସ, ରୋମାଞ୍ଚକର ଆକ୍ସନ୍ ସିନ୍, ହିଷ୍ଟ ଏବଂ ଡକାୟତି ପାଇଁ ଲୋକପ୍ରିୟ । ଏହା ଭାରତର ସବୁଠାରୁ ସଫଳ ହଲିଉଡ ଫ୍ରାଞ୍ଚାଇଜ୍ ମଧ୍ୟରୁ ଅନ୍ୟତମ । ଏହାର ପ୍ରଥମ ଫିଲ୍ମ ୨୦୦୧ ରେ ରିଲିଜ୍ ହୋଇଥିଲା ଏବଂ ବର୍ତ୍ତମାନ ଏଫ୍ ନାଇନ୍ ଭାରତରେ ରିଲିଜ୍ କରିବାକୁ ପ୍ରସ୍ତୁତ ।
ଫ୍ରାଞ୍ଚାଇଜ୍ ଶୀଘ୍ର ଶେଷ ହେବାକୁ ଯାଉଛି । ନିର୍ମାତା ଏବଂ ଅଭିନେତା ଭିନ୍ ଡିଜେଲ ନିଜେ ଏହା ନିଶ୍ଚିତ କରିଛନ୍ତି। ତାହା ହେଉଛି, ଦୀର୍ଘ ଦିନ ଧରି ଚାଲୁଥିବା ‘ଫାଷ୍ଟ ଆଣ୍ଡ ଫ୍ୟୁରିୟସ’ ସିରିଜର ଏଫ୍ ନାଇନ୍ ପରେ ଆଉ ଦୁଇଟି ଫିଲ୍ମ ଆସିବ ଏବଂ ଏହା ପରେ ଫ୍ରାଞ୍ଚାଇଜ୍ ର କୌଣସି ଫିଲ୍ମ ଆସିବ ନାହିଁ । ଫାଷ୍ଟ ଏବଂ ଫ୍ୟୁରିସ୍ ଫ୍ରାଞ୍ଚାଇଜ୍ ର ଶେଷ ଦୁଇଟି ଫିଲ୍ମ ୨୦୨୩ ଏବଂ ୨୦୨୪ ରେ ସମ୍ଭବତଃ ରିଲିଜ୍ କରିପାରିବ ଏବଂ ଏହା ପରେ ଫ୍ରାଞ୍ଚାଇଜ୍ ର ଦି ଏଣ୍ଡ୍ ହେବ ।
ଏଫ୍ ନାଇନ୍ ସାଗା ପାଇଁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଭିନ୍ କହିଛନ୍ତି – ‘ପ୍ରତ୍ୟେକ କାହାଣୀର ଶେଷ ଅଛି ।’ ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ ଯଦିଓ ଫ୍ରାଞ୍ଚାଇଜ୍ ବନ୍ଦ ହେବ, ତଥାପି ଫାଷ୍ଟ ଏବଂ ଫ୍ୟୁରିୟସ୍ ସିନେମାଟିକ୍ ୟୁନିଭର୍ସ ଜାରି ରହିବ ।

