ଧର୍ମ

ବୟସ ମାତ୍ର ୬ମାସ, ମହାପ୍ରଭୁଙ୍କ ସେବାରେ ନିଜକୁ ନିୟୋଜିତ କଲେ କୁନି ସେବକ

ପୁରୀ ୧।୭: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସେବାରେ ୬ ମାସର କୁନି ଦଇତାପତି । ସ୍ନାନଯାତ୍ରା ପରେ ଅନବସର ପିଣ୍ଡିରେ ଜ୍ବରରେ ପୀଡ଼ିତ ଶ୍ରୀଜିଉମାନଙ୍କ ଗୁପ୍ତ ସେବା ଜାରି ରହିଛି । ଅନବସରର ଷଷ୍ଠ ଦିନରେ ମହାପ୍ରଭୁଙ୍କୁ ଓଷ ଲାଗି କରାଯିବାର ବିଧି ସମ୍ପନ୍ନ ହେଉଥିବା ବେଳେ ୬ ମାସର ଜଣେ କୁନି ଦଇତାପତି ଏହି ସେବାରେ ନିଜକୁ ସାମିଲ କରିଥିଲେ । ତେବେ କିଏ ସେ କୁନି ଦଇତାପତି ଆସନ୍ତୁ ଜାଣିବା ।

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସେବାରେ ଦଇତାପତିଙ୍କ ଭୂମିକା ବେଶ୍‌ ଗୁରୁତ୍ବପୂର୍ଣ୍ଣ । ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରା ମୁତାବକ ବଂଶାନୁକ୍ରମିକ ଭାବେ ଚାଲି ଆସିଛି ଏହି ସେବା । ଏମିତିରେ ମହାପ୍ରଭୁଙ୍କ ଅନବସର ନୀତିର ଷଷ୍ଠ ଦିନରେ ଜଣେ କୁନି ଦଇତାପତିଙ୍କୁ ଦେଖିବାକୁ ମିଳିଥିଲା । ଯାହାଙ୍କ ବୟସ ମାତ୍ର ୬ମାସ । ଆପଣ ଭାବୁଥିବେ ୬ମାସର କୁନି ଦଇତାପତି କେମିତି ମହାପ୍ରଭୁଙ୍କ ସେବା ନୀତି କରିବାକୁ ସକ୍ଷମ ହୋଇପାରିବେ । ହଁ ଏଇଟା ସତ ଯେ ୬ମାସର ଏହି କୁନି ଦଇତାପତି ମହାପ୍ରଭୁଙ୍କ ସେବା ନୀତିକାନ୍ତି ବିଷୟରେ ସମ୍ପୂର୍ଣ୍ଣ ଅଜ୍ଞ ।


ହେଲେ ପରମ୍ପରା ମୁତାବକ ଯେତେବେଳେ ଅନବସର ସେବା ନୀତି ଚାଲିଥାଏ, ଯେଉଁଦିନ ଜ୍ବରରେ ପୀଡ଼ିତ ଶ୍ରୀଜିଉମାନଙ୍କୁ ଓଷ ଲାଗି ହୋଇଥାଏ ସେହି ଦିନଠାରୁ ଦଇତାକୂଳର ଶିଶୁମାନଙ୍କୁ ମହାପ୍ରଭୁଙ୍କ ସେବାରେ ନିୟୋଜିତ କରାଯାଇଥାଏ । ତା’ ପରେ ଯାଇ ସେମାନେ ଦଇତାକୂଳର ଭାଗାରି ଭାବେ ପରିଗଣିତ ହୋଇଥାନ୍ତି । ଏହି କୁନି ଦଇତାପତି ଜଣଙ୍କ ହେଲେ ଦେବୀ ସୁଭଦ୍ରାଙ୍କ ବାଡ଼ଗ୍ରାହୀ ତଥା ବରିଷ୍ଠ ଦଇତାପତି ସେବାୟତ ରାମଚନ୍ଦ୍ର ଦାସ ମହାପାତ୍ରଙ୍କ ନାତି ତଥା ଯୁବ ଦଇତାପତି ଅମିତ ଦାସ ମହାପାତ୍ରଙ୍କ ୬ମାସର ପୁଅ ଶ୍ରୀଅଙ୍ଗ ଦାସ ମହାପାତ୍ର ।


ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସେବା କରିବାକୁ ଦଇତାକୂଳରେ ଜନ୍ମ । ତେଣୁ ଆଗକୁ ୬ମାସର ଶ୍ରୀଅଙ୍ଗ ଦାସମହାପାତ୍ର ମଧ୍ୟ ନିଜ ବାପା, ଜେଜେବାପାଙ୍କ ଭଳି ଚତୁର୍ଦ୍ଧାମୂର୍ତ୍ତିଙ୍କ ସେବାର ସୁଯୋଗ ପାଇବେ । ତେଣୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ରକ୍ଷକ ଭାବେ ଏହି କୁନି ଦଇତାପତି ଶ୍ରୀଅଙ୍ଗ ଦାସ ମହାପାତ୍ର ଚତୁର୍ଦ୍ଧାମୂର୍ତ୍ତିଙ୍କ ଅସୁସ୍ଥତା ସମୟରେ ନିଜର ସେବା କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି । ସେବା ସାରି ବାହାରକୁ ଆସିବା ପରେ ଏହି କୁନି ଦଇତାପତିଙ୍କୁ ଦେଖିବାକୁ ଶ୍ରୀମନ୍ଦିର ସାମ୍ନାରେ ଭକ୍ତଙ୍କ ଭିଡ଼ ଜମିଥିଲା ।

ସ୍ନାନଯାତ୍ରାଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ଶ୍ରୀଜିଉଙ୍କ ଘୋଷଯାତ୍ରାରେ ଦଇତାପତି ସେବକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଗୋଷ୍ଠୀଗତ ସେବା ମାଧ୍ୟମରେ ମହାପ୍ରଭୁଙ୍କ ଦୈନନ୍ଦିନ ନୀତିକାନ୍ତି ଚାଲିଥିବା ବେଳେ ରଥଯାତ୍ରାରେ ମହାପ୍ରଭୁ ଶ୍ରୀମନ୍ଦିର ବାହାରକୁ ଆସୁଥିବାରୁ ଶ୍ରୀବିଗ୍ରହମାନଙ୍କ ଶ୍ରୀଅଙ୍ଗର ସୁରକ୍ଷା ଦାୟିତ୍ବ କେବଳ ଏହି ଦଇତାପତି ସେବକଙ୍କ ଦାୟିତ୍ବ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ