ଖେଳ

ଡବ୍ଲ୍ୟୁଟିସି ଫାଇନାଲ୍: ଫାଇନାଲ୍ ମ୍ୟାଚ୍‌ ଉତ୍କଣ୍ଠା ବଢ଼ିଲା

ସାଉଥାମ୍ପଟନ୍‌: ଏଜିସ୍‌ ବାୱେଲରେ ଚାଲିଥିବା ଭାରତ-ନ୍ୟୁଜିଲାଣ୍ଡ୍ ବିଶ୍ବ ଟେ‌ଷ୍ଟ୍ ଚାମ୍ପିଅନସିପ୍‌ ଫାଇନାଲ୍‌ ମ୍ୟାଚ୍‌ ସଂରକ୍ଷିତ ତଥା ଷଷ୍ଠ ଦିବସକୁ ଯିବା ସହ ଉତ୍କଣ୍ଠା ବଢ଼ିଛି। ପଞ୍ଚମ ଦିବସରେ ଭଲ ପାଗ ଓ ଭଲ କ୍ରିକେଟ୍ ଦେଖିବାକୁ ମିଳିଥିଲା। ଭାରତର ପ୍ରଥମ ପାଳି ୨୧୭ ରନ୍‌ ଜବାବରେ ନ୍ୟୁଜିଲାଣ୍ଡ୍‌ ପ୍ରଥମ ପାଳି ୨୪୯ ରନ୍‌ରେ ଶେଷ ହୋଇଯାଇଥିଲା। ମହମ୍ମଦ ସାମିଙ୍କ ୪ ଓ ଈଶାନ୍ତ ଶର୍ମାଙ୍କ ୩ ୱିକେଟ୍‌ ବଳରେ ଭାରତ ପ୍ରତ୍ୟାବର୍ତନ କରିବାର ସୁଯୋଗ ପାଇଥିଲା। ନ୍ୟୁଜିଲାଣ୍ଡ୍ ପ୍ରଥମ ପାଳିରେ ମାତ୍ର ୩୨ ରନ୍‌ର ଅଗ୍ରଣୀ ପାଇଥିଲା। ଏହାର ଜବାବରେ ଭାରତ ପଞ୍ଚମ ଦିବସର ଷ୍ଟମ୍ପ୍‌ସ ଅପସାରଣ ବେଳକୁ ଦ୍ବିତୀୟ ପାଳିରେ ୨ ୱିକେଟ୍‌ ହରାଇ ୬୪ ରନ୍‌ କରିଛି। ଦଳୀୟ ସ୍କୋର୍‌ ୨୪ ବେଳେ ଶୁବମନ୍‌ଙ୍କୁ ଟିମ୍‌ ସାଉଦି ଏଲ୍‌ବିଡବ୍ଲୁ ଆଉଟ୍‌ କରିଦେଇଥିଲେ। ଏହାପରେ ରୋହିତ ଶର୍ମା ଓ ଚେତେଶ୍ବର ପୂଜାରା କ୍ରିଜ୍‌ରେ ଲଢ଼େଇ ଜାରି ରଖିଥିଲେ। ହେଲେ ସାଉଦି ତାଙ୍କ ଦ୍ବିତୀୟ ଦଫା ବୋଲିଂକୁ ଆସି ରୋହିତଙ୍କୁ ଶିକାର କରିନେଇଥିଲେ। ଏହା ଭାରତ ପାଇଁ ଶକ୍ତ ଝଟ୍‌କା ଥିଲା। ଗିଲ୍‌ଙ୍କ ସହ ପ୍ରଥମ ୱିକେଟ୍‌ରେ ୨୪ ରନ୍‌ ଯୋଡ଼ିଥିବା ରୋହିତ ଦ୍ବିତୀୟ ୱିକେଟ୍‌ରେ ଓ ପୂଜାରାଙ୍କ ସହ ୨୭ ରନ୍‌ ଭାଗୀଦାରି କରିଥିଲେ। ରୋହିତଙ୍କ ବିଦାୟ ପରେ ପୂଜାରାଙ୍କ ସହ କ୍ରିଜ୍‌ରେ ଯୋଗଦେଇଥିଲେ ଅଧିନାୟକ ବିରାଟ କୋହଲି। ଉଭୟ ଅବିଭ‌ାଜିତ ତୃତୀୟ ୱିକେଟ୍‌ରେ ୧୩ ରନ୍ ଯୋଡ଼ି ସ୍ଥିତି ସୁଧାରିବାରେ ଲାଗିଛନ୍ତି। ଏଥି ସହିତ ହାତରେ ୮ ୱିକେଟ୍‌ ଥାଇ ଭାରତ ୩୨ ରନ୍‌ରେ ଆଗୁଆ ହୋଇଛି। ମଙ୍ଗଳବାର ମୋଟ ୮୦ ଓଭର ଖେଳ ହୋଇଥିଲା ବେଳେ ଉଭୟ ଦଳର ୧୦ ୱିକେଟ୍‌ ପତନ ଘଟିଥିଲା।

ମଙ୍ଗଳବାର ବର୍ଷା ଓ ଆଲୋକ ଅଭାବରୁ ପ୍ରାୟ ଘଣ୍ଟାଏ ବିଳମ୍ବରେ ମ୍ୟାଚ୍‌ ଆରମ୍ଭ ହୋଇଥିଲା। ଦୁଇ ଅପରାଜିତ ବ୍ୟାଟ୍ସମ୍ୟାନ୍‌ କେନ୍‌ ୱିଲିୟମସନ୍‌ ଏବଂ ରସ ଟେଲର୍‌ ଢେର ସମୟ ଖେଳିବା ପରେ ମହମ୍ମଦ ସାମି ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ପ୍ରଥମ ଘଣ୍ଟା ଖେଳ ବିରତିର ପରେ ପରେ ରସ୍ ଟେଲରଙ୍କୁ ସାମି ସଟ୍‌ ଖେଳିବାକୁ ବାଧ୍ୟ କରିବା ପରେ କଭର ଅଞ୍ଚଳରେ ଥିବା ଶୁବମନ ଗିଲ୍ କ୍ୟାଚ୍‌ କାବୁ କରିନେଇଥିଲେ। ଈଶାନ୍ତ ଶର୍ମା ମଙ୍ଗଳବାର ନିଜ ପ୍ରଥମ ଓଭରରେ ହିଁ ନ୍ୟୁଜିଲାଣ୍ଡର ନିର୍ଭରଯୋଗ୍ୟ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍‌ ହେନରି ନିକଲ୍ସଙ୍କୁ ତୁରନ୍ତ ପ୍ୟାଭିଲିଅନ୍‌ ଫେରାଇଦେଇଥିଲେ। ଈଶାନ୍ତଙ୍କ ଫୁଲ ଲେନ୍ଥ ବଲ୍‌ ନିକଲ୍ସଙ୍କ ବ୍ୟାଟ୍ ଧାରରେ ଲାଗିବା ପରେ ଦ୍ବିତୀୟ ସ୍ଲିପରେ ରୋହିତ ଶର୍ମା କ୍ୟାଚ୍‌ ନେଇଥିଲେ।

ଏହାର ପରବର୍ତୀ ଓଭରରେ ମହମ୍ମଦ ସାମି ୱିକେଟରକ୍ଷକ ବିଜେ ୱାଟଲିଙ୍ଗଙ୍କ ଷ୍ଟମ୍ପ୍‌ର ଶୀର୍ଷ ଭାଗକୁ ଭାଙ୍ଗି ଦେଇଥିଲେ। ୮୧ତମ ଓଭରରେ ଭାରତ ନୂଆ ବଲ୍ ନେବା ପରେ ସାମିଙ୍କ ପ୍ରଭାବୀ ବୋଲିଂ ଜାରି ରହିଥିଲା। କଲିନ୍‌ ଗ୍ରାଣ୍ଡହୋମଙ୍କୁ ଏଲ୍‌ବିଡବଲ୍ୟୁ କରିବା ପରେ ପ୍ରତି ଆକ୍ରମଣ ପ୍ରୟାସ କରିଥିବା କାଇଲ୍ ଜାମିସନ (୨୧, ୧୬ ବଲ)ଙ୍କୁ ଲଙ୍ଗଅନ୍‌ରେ ବୁମରା କ୍ୟାଚ୍‌ କରି ଲଗତାର ୱିକେଟ୍ ଦେଇଥିଲେ। ତେବେ ପ୍ରାଚୀର ଭଳି ବ୍ୟାଟିଂ କରୁଥିବା‌ କେନ୍‌ ୱିଲିୟମସନ୍‌ (୪୯, ୧୭୭ ବଲ୍)ଙ୍କୁ ଈଶାନ୍ତ ଫସାଇ ଦେଇଥିଲେ। ଦ୍ବିତୀୟ ସ୍ଲିପ୍‌ରେ ତାଙ୍କ ପ୍ରତିଦ୍ବନ୍ଦ୍ବୀ ଅଧିନାୟକ ବିରାଟ କୋହଲି ନେଇଥିଲେ କ୍ୟାଚ୍‌। ଶେଷ ଦୁଇ ୱିକେଟ୍‌ ଦୁଇ ସ୍ପିନର୍‌ ରବିଚନ୍ଦ୍ରନ ଅଶ୍ବିନ୍‌ ଓ ରବୀନ୍ଦ୍ର ଜାଦେଜା ନେଇଥିଲେ। ୧୦୦ତମ ଓଭର ପ୍ରଥମ ବଲରେ ରବୀନ୍ଦ୍ର ଜାଦେଜାଙ୍କୁ ଟିମ୍ ସାଉଦି ମିଡ୍‌ୱିକେଟ୍ ଉପରେ ଛକା ମାରିଥିଲେ। ପରବର୍ତ୍ତୀ ବଲରେ କିନ୍ତୁ ଜଡୁ ତାଙ୍କୁ ବୋଲ୍ଡ କରି ପ୍ରତିଶୋଧ ନେବା ସହ ନ୍ୟୁଜିଲାଣ୍ଡ୍ ପାଳିକୁ ୨୪୯ ରନ୍‌ରେ ଶେଷ କରି ଦେଇଥିଲେ। ଏଥି ସହ ଚା’ପାନ ବିରତି ମଧ୍ୟ ହୋଇଥିଲା।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ