ସାଉଥମ୍ପଟନ ୨୨।୦୬: ଏଠାରେ ଖେଳାଯାଉଥିବା ବିଶ୍ଵ ଟେଷ୍ଟ ଚମ୍ପିଆନସିପର ଫାଇନାଲ୍ ମୁକାବିଲାରେ ଭାରତ ଓ ନ୍ୟୁଜିଲାଣ୍ଡ ବର୍ତ୍ତମାନ ସମାନ ସ୍ଥିତିରେ ରହିଛନ୍ତି। ବୋଲରଙ୍କ ଶାଣିତ ବୋଲିଂକୁ ପାଥେୟ କରି ଭାରତ ନ୍ୟୁଜିଲାଣ୍ଡର ଇନିଂସକୁ ୨୪୯ ରନରେ ସୀମିତ ରଖିବାରେ ସଫଳ ହୋଇଛି। ଦ୍ଵିତୀୟ ଇନିଂସ ଆରମ୍ଭ କରି ଭାରତ ପଞ୍ଚମ ଦିନର ଖେଳ ଶେଷ ସୁଦ୍ଧା ୨ ଓ୍ଵିକେଟ୍ ହରାଇ ୬୪ ରନ କରିଛି। ଭାରତ କିଓ୍ଵି ଦଳକୁ ୩୨ ରନରେ ଆଗୁଆ ରହିଛି। ହାତରେ ଆଉ ୮ଟି ଓ୍ଵିକେଟ୍ ବାକି ରହିଛି। ବିରାଟ କୋହଲି ୮ ଓ ଚେତେଶ୍ଵର ପୂଜାରା ୧୨ ରନ କରି କ୍ରିଜରେ ଅପରାଜିତ ଅଛନ୍ତି। ରୋହିତ ଶର୍ମା ୩୦ ରନ କରି ଆଉଟ୍ ହେବା ଭାରତକୁ ଶକ୍ତ ଝଟକା ଲାଗିଛି। ଶୁବମାନ ଗିଲ୍(୮) ପୁଣି ଥରେ ନିରାଶ କରିଛନ୍ତି। ନ୍ୟୁଜିଲାଣ୍ଡ ପକ୍ଷରୁ ଟିମ୍ ସାଉଦି ଦୁଇଟି ଓ୍ଵିକେଟ୍ ନେଇଛନ୍ତି। ଭାରତ ପ୍ରଥମ ଇନିଂସରେ ୨୧୭ ରନରେ ଅଲଆଉଟ୍ ହେବା ପରେ ନ୍ୟୁଜିଲାଣ୍ଡ ୨୪୯ ରନ କରି ୩୨ ରନର ଅଗ୍ରଣୀ ହାସଲ କରିଥିଲା। ବର୍ଷା କାରଣରୁ ପ୍ରଥମ ଏବଂ ଚତୁର୍ଥ ଦିନର ଖେଳ ବାତିଲ୍ ହେବାରୁ ମ୍ୟାଚ୍ ବର୍ତ୍ତମାନ ରିଜର୍ଭ ଡେକୁ ଯାଇଛି। ଆସନ୍ତାକାଲି ରିଜର୍ଭ ଡେରେ ଫାଇନାଲ୍ ମୁକାବିଲା ଖେଳାଯିବ।
ଏହା ପୂର୍ବରୁ ତୃତୀୟ ଦିନର ଅସମାପ୍ତ ଖେଳ ୨/୧୦୧ରୁ ନ୍ୟୁଜିଲାଣ୍ଡ ବ୍ୟାଟିଂ ଆରମ୍ଭ କରିଥିଲା। କ୍ରିଜରେ ଥିଲେ କେନ ଓ୍ଵିଲିୟମସନ(୧୨) ଓ ରସ ଟେଲର(୦)। ହେଲେ ଏହି ଯୋଡି ଅଧିକ ସମୟ ତିଷ୍ଠି ପାରିନଥିଲେ। ୧୧୭ ରନ ସ୍କୋରରେ ମହମ୍ମଦ ସାମି ଟେଲର(୧୧)ଙ୍କୁ ଆଉଟ୍ କରି ଭାରତକୁ ତୃତୀୟ ସଫଳତା ଦେଇଥିଲେ। ଦ୍ରୁତ ବୋଲରଙ୍କୁ ସୁହାଉଥିବା ପିଚ୍ରେ ଭାରତୀୟ ବୋଲର ମଧ୍ୟ ଶାଣିତ ବୋଲିଂ କରିଥିଲେ। ପ୍ରଥମ ସେସନରେ ଭାରତ ୩ ଓ୍ଵିକେଟ୍ ନେଇ ନ୍ୟୁଜିଲାଣ୍ଡ ରନ ଉପରେ ଅଙ୍କୁଶ ଲଗାଇଥିଲେ।
ଏହା ପରେ ୧୩୪ ରନ ସ୍କୋରରେ ହେନରି ନିକୋଲାସ(୧)ଙ୍କୁ ପାଭିଲିୟନ ପଠାଇଥିଲେ ଇଶାନ୍ତ ଶର୍ମା। ଏହାର ଗୋଟିଏ ରନ ସ୍କୋରରେ ବିଜେ ଓ୍ଵାଟଲିଙ୍ଗ୍(୧)ଙ୍କୁ କ୍ଲିନ ବୋଲ୍ଡ କରି ନ୍ୟୁଜିଲାଣ୍ଡର ଅଧା ବ୍ୟାଟସମ୍ୟାନଙ୍କୁ ପାଭିଲିୟନ ପଠାଇଥିଲେ। ହେଲେ ଅନ୍ୟପଟୁ କ୍ରିଜରେ ଜମି ରହିଥିଲେ ଅଧିନାୟକ କେନ ଓ୍ଵିଲିୟମସନ। କୋଲିନ ଡି ଗ୍ରାଣ୍ଡହୋମ(୧୩)ଙ୍କୁ ସାମି ଆଉଟ୍ କରିଥିଲେ। କାଇଲ୍ ଜେମିସନ ଦ୍ରୁତ ବ୍ୟାଟିଂ କରି ୧୬ ବଲରୁ ୨୧ ରନ କରି ଆଉଟ୍ ହୋଇଥିଲେ। ୧୯୨ ରନରେ ୭ ଓ୍ଵିକେଟ୍ ହରାଇବା ପରେ ଲାଗୁଥିଲା କିଓ୍ଵି ଦଳ ୨୨୦ ଭିତରେ ସୀମିତ ରହିବେ। ଶେଷ ଆଡକୁ ଟିମ୍ ସାଉଦି ୩୦ ରନର ଉଲ୍ଲେଖନୀୟ ରନ କରିଥିଲେ। ଓ୍ଵିଲିୟମସନ ୪୯ ରନ କରି ଅଷ୍ଟମ ବ୍ୟାଟସମ୍ୟାନ ଭାବେ ଆଉଟ୍ ହୋଇଥିଲେ। ଇଶାନ୍ତ ଶର୍ମା ଓ୍ଵିଲିୟମସନଙ୍କୁ ଆଉଟ୍ କରି ତୃତୀୟ ସଫଳତା ହାସଲ କରିଥିଲେ। ସାଉଦି(୩୦)ଙ୍କ ଆଉଟ୍ କରି ଜାଡେଜା ନ୍ୟୁଜିଲାଣ୍ଡ ଇନିଂସକୁ ୨୪୯ ରନରେ ସମାପ୍ତ କରିଥିଲେ।
ଭାରତ ପକ୍ଷରୁ ମହମ୍ମଦ ସାମି ୭୬ ରନ ଦେଇ ୪ ଓ୍ଵିକେଟ୍ ନେଇଥିବା ବେଳେ ଇଶାନ୍ତ ଶର୍ମା ୩ ଓ୍ଵିକେଟ୍ ନେଇଛନ୍ତି। ରବିଚନ୍ଦ୍ରନ ଅଶ୍ଵିନ ୨ ଏବଂ ରବୀନ୍ଦ୍ର ଜାଡେଜା ୧ ଓ୍ଵିକେଟ୍ ନେଇଥିଲେ। ପ୍ରଥମ ଇନିଂସରେ ଭାରତ ପକ୍ଷରୁ ଆଜିଙ୍କ୍ୟ ରାହାଣେ ସର୍ବାଧିକ ୪୯ ରନ କରିଥିବା ବେଳେ ଅଧିନାୟକ ବିରାଟ କୋହଲି ୪୪ ଏବଂ ରୋହିତ ଶର୍ମା ୩୪ ରନ କରିଥିଲେ। ନ୍ୟୁଜିଲାଣ୍ଡ ପକ୍ଷରୁ କାଇଲ୍ ଜେମିସନ ୫ ଓ୍ଵିକେଟ୍ ନେଇଥିଲେ।