ଖେଳ

ଡବ୍ଲ୍ୟୁଟିସି ଫାଇନାଲ୍, ଭାରତ ୨୧୭ ରନ୍‌ରେ ଅଲ୍ ଆଉଟ୍‌ କାଇଲ ଜାମିସନ ୨୨-୧୨-୩୧-୫

ସାଉଥାମ୍ପଟନ୍‌: ଏଜିସ୍‌ ବାୱେଲରେ ଚାଲିଥିବା ନ୍ୟୁଜିଲାଣ୍ଡ୍ ବିପକ୍ଷ ବିଶ୍ବ ଟେ‌ଷ୍ଟ୍ ଚାମ୍ପିଅନସିପ୍‌ ଫାଇନାଲରେ ଭାରତର ପ୍ରଥମ ପାଳି ୨୧୭ ରନ୍‌ରେ ଶେଷ ହୋଇଯାଇଛି। କାଇଲ୍ ଜାମିସନ୍‌ଙ୍କ ୫ ୱିକେଟ୍ ସଫଳତା ବିରାଟ କୋହଲିଙ୍କ ଦଳକୁ ପ୍ରଥମ ପାଳିରେ ଆହ୍ବାନଭରା ସ୍କୋର୍‌ କରିବାରୁ ରୋକି ଦେଇଛି। ଜବାବରେ ତୃତୀୟ ଦିନ ଷ୍ଟମ୍ପ୍‌ସ ପ୍ରତ୍ୟାହାର ବେଳକୁ ନ୍ୟୁଜିଲାଣ୍ଡ୍‌ ୨ ୱିକେଟ୍ ହରାଇ ୧୦୧ ରନ୍‌ କରିଛି। ଭାରତ ରବିବାର ୧୪୬/୩ରୁ ଖେଳିବା ପରେ ଅନ୍ୟୁନ ୩୦୦ ସ୍କୋର୍‌ ଅତିକ୍ରମ କରିଯିବ ବୋଲି ଆଶା ଥିଲା। ବି‌ଶେଷ କରି ଦ୍ବିତୀୟ ଦିବସରେ ଅଧିନାୟକ-ଉପ ଓ ଅଧିନାୟକ ଯୋଡ଼ି ବିରାଟ କୋହଲି-ଅଜିଙ୍କ୍ୟ ରାହାଣେ ଯେଭଳି ବ୍ୟାଟିଂ କରୁଥିଲେ ସ୍ବାଭାବିକ ଭାବେ ଏଭଳି ଆଶା ଦୃଢ଼ିଭୂତ ଥିଲା। ରବିବାର କିନ୍ତୁ ନୂଆ ସକାଳ ନ୍ୟୁଜିଲାଣ୍ଡ୍ ପାଇଁ ନୂଆ ସମ୍ଭାବନା ନେଇ ଆସିଥିଲା। ବିରାଟ କୋହଲିଙ୍କୁ ଜାମିସନ୍‌ ଲେଗ୍‌ ବିଫୋର ୱିକେଟ୍‌ କରାଇନେବା ପରେ ଭାରତ ପାଳି କ୍ରମେ ଚାପରେ ପଡ଼ିଯାଇଥିଲା। ଋଷଭ ପନ୍ତଙ୍କ ପାଳି ମାତ୍ର ଗୋଟିଏ ଚୌକାରେ ସୀମିତ ରହିଥିଲା। ସେ ମଧ୍ୟ ଜାମିସନଙ୍କ ଶିକାର ହୋଇଥିଲେ। ରାହାଣେଙ୍କୁ ନିଲ୍ ୱାଗନର୍‌ ଆଉଟ୍ କରିଦେଇଥିଲେ।

ବିରାଟ କୋହଲି ୧୩୨ ବଲରୁ ୪୪ ଏବଂ ରାହାଣେ ୧୧୭ ବଲରୁ ୪୯ ରନ୍‌ କରିଥିଲେ। ଏହି ଯୋଡ଼ିଙ୍କଠାରୁ ସଂଗ୍ରହ ହୋଇଥିବା ୬୧ ରନ୍‌ ଭାରତ ପାଳିର ଦ୍ବିତୀୟ ସର୍ବୋଚ୍ଚ ଭାଗୀଦାରି ରହିଥିଲା। ପୂର୍ବରୁ ଶନିବାର ରୋହିତ ଶର୍ମା ଏବଂ ଶୁବମନ୍ ଗିଲ୍‌ ପ୍ରଥମ ୱିକେଟ୍‌ ପାଇଁ ୬୨ ରନ୍‌ ଆଦାୟ କରିଥିଲେ। ଏହି ଦୁଇ ଭାଗୀଦାରି ପରେ ଭାରତ ସଂଘର୍ଷ କରିଥିଲା। ପାଗ, ପିଚ୍‌ ଓ ପରିବେଶରୁ ଅନୁକୂଳ ଫାଇଦା ଉଠାଇ ନ୍ୟୁଜିଲାଣ୍ଡର ୫ ଜଣିଆ ପେସ୍‌ ବାହିନୀ ଭାରତ ପାଳିକୁ ବଢ଼ିବାକୁ ଦେଇନଥିଲେ। ରବୀନ୍ଦ୍ର ଜାଦେଜା (୧୫, ୫୩ ବଲ୍‌) ଏବଂ ରବିଚନ୍ଦ୍ରନ ଅଶ୍ବିନ୍‌ (୨୨, ୨୭ ବଲ୍‌) ସାମୟିକ ଲଢ଼ିଥିଲେ ମଧ୍ୟ ଭାରତ ମଧ୍ୟାହ୍ନ ଭୋଜନ ବିରତି ପରେ ୨୧୭ ରନ୍‌ରେ ସମସ୍ତ ୱିକେଟ୍‌ ହରାଇ ଦେଇଥିଲା। ଜାଦେଜାଙ୍କୁ ଆଉଟ୍ କରି ଟ୍ରେଣ୍ଟ୍‌ ବୋଲ୍ଟ ଭାରତ ପାଳିରେ‌ ‌ପୂର୍ଣ୍ଣଛେଦ ଟାଣିଥିଲେ। ଶେଷ ୪ ୱିକେଟ୍‌ ଭାରତ ମାତ୍ର ୧୨ ରନ୍‌ ଭିତରେ ହରାଇ ଦେଇଥିଲା।

ଈଶାନ୍ତ ଶର୍ମା ଏବଂ ଯଶପ୍ରୀତ୍ ବୁମରାଙ୍କୁ ଲଗାତାର ବଲରେ ଆଉଟ୍ କରି ଜାମିସନ୍‌ ନିଜ ସଂକ୍ଷିପ୍ତ ଖେଳ ଜୀବନରେ ପଞ୍ଚମ ଥର ୫ ୱିକେଟ୍ ସଫଳତା ଅର୍ଜନ କରିଥିଲେ। ନିଜର ପ୍ରଥମ ୮ ଟେଷ୍ଟ୍ ମଧ୍ୟରେ ୪୪ ୱିକେଟ୍ ନେବାରେ ମଧ୍ୟ ସେ ନ୍ୟୁଜିଲାଣ୍ଡର ଅଗ୍ରଣୀ ବୋଲର ହୋଇଯାଇଥିଲେ। ଜବାବରେ ଭାରତୀୟ ବୋଲରଙ୍କୁ କିନ୍ତୁ ଅତ୍ୟନ୍ତ ସହଜରେ ଖେଳିଥିଲେ ନ୍ୟୁଜିଲାଣ୍ଡର ପ୍ରାରମ୍ଭିକ ଯୋଡ଼ି ଟମ୍ ଲଥାମ ଏବଂ ଡେଭନ୍ କନୱେ। ପେସ୍‌ ତ୍ରିମୂର୍ତ୍ତି ଈଶାନ୍ତ ଶର୍ମା, ଯଶପ୍ରୀତ୍ ବୁମରା ଏବଂ ମହମ୍ମଦ ସାମି ପ୍ରଭାବହୀନ ରହିବାରୁ ଭାରତକୁ ପ୍ରଥମ ୱିକେଟ୍‌ ପାଇଁ ଲମ୍ବା ପ୍ରତୀକ୍ଷା କରିବାକୁ ପଡ଼ିଥିଲା। ୩୫ତମ ଓଭରରେ ରବିଚନ୍ଦ୍ରନ ଅଶ୍ବିନ୍‌ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ଲଥାମଙ୍କୁ ସଟ୍‌ ଏକ୍ସଟ୍ରା କଭରରେ ବିରାଟ କୋହଲିଙ୍କ ହାତରେ ଧରାଇ ପ୍ରଥମ ସଫଳତା ଆଣିଥିଲେ। ଏହା ପରେ କନୱେ ଏବଂ କେନ୍‌ ୱିଲିୟମ୍‌ସନ୍‌ ଲଢ଼ିଥିଲେ ମଧ୍ୟ ୪୯ତମ ଓଭରରେ ଈଶାନ୍ତ ଶର୍ମା କନ୍‌ୱେଙ୍କୁ ଆଉଟ୍‌ କରିଥିଲେ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ