ଖେଳ

ଫ୍ରେଞ୍ଚ୍ ଓପନ୍‌ ଜିତିଲେ ଜୋକୋଭିକ୍‌, ୫୦ ବର୍ଷ ପରେ ଦୁଇ ଥର ସବୁ ଗ୍ରାଣ୍ଡ ସ୍ଲାମ୍‌ ଜିତିବାରେ ପ୍ରଥମ ମାହୁତ-ହର୍ବର୍ଟଙ୍କୁ ଆଉ ଏକ ଫ୍ରେଞ୍ଚ ଓପନ୍‌ ଯୁଗଳ ଟ୍ରଫି

ପ୍ୟାରିସ: ସର୍ବିଆ ତାରକା ନୋଭାକ ଜୋକୋଭିକ ଚଳିତ ଫ୍ରେଞ୍ଚ ଓପନ୍‌ ଟେନିସ ପ୍ରତିଯୋଗିତାର ପୁରୁଷ ଏକକ ବିଜେତା ହୋଇଛନ୍ତି। ରବିବାର ଫିଲିପ ଚାଟ୍ରିୟର କୋର୍ଟରେ ଖେଳାଯାଇଥିବା ଟ୍ରଫି ମୁକାବିଲାରେ ଶୀର୍ଷ ମାନ୍ୟତାପ୍ରାପ୍ତ ଜୋକୋଭିକ ୬-୭, ୨-୬, ୬-୩, ୬-୨, ୬-୪ ସେଟ୍‌ରେ ପଞ୍ଚମ ମାନ୍ୟତାପ୍ରାପ୍ତ ଗ୍ରିକ୍‌ର ଷ୍ଟିଫାନୋସ ସିସିପାସଙ୍କୁ ପରାସ୍ତ କରିଥିଲେ। ଅନଭିଜ୍ଞ ଓ ଅଭିଜ୍ଞ ଖେଳାଳିଙ୍କ ମଧ୍ୟରେ ଏହି ଲଢ଼େଇ ଖୁବ୍‌ ସଂଘର୍ଷପୂର୍ଣ୍ଣ ହୋଇଥିଲା। ପ୍ରଥମ ଥର ଗ୍ରାଣ୍ଡ ସ୍ଲାମ୍‌ ଫାଇନାଲ୍‌ରେ ପହଞ୍ଚିଥିବା ୨୨ ବର୍ଷୀୟ ସିସିପାସ ରୋଲାଁ ଗ୍ୟାରୋସରେ ୧୮ ଗ୍ରାଣ୍ଡ୍‌ ସ୍ଲାମ୍‌ ବିଜେତା ଜୋକୋଭିକ୍‌ଙ୍କୁ ଆରମ୍ଭରୁ ନାକେଦମ କରିଥିଲେ। ସେ ପ୍ରଥମ ଦୁଇ ସେଟ୍‌ ଜିତିଥିଲେ ମଧ୍ୟ ପରବର୍ତ୍ତୀ ୩ ‌‌ସେଟ୍‌ରେ ଜୋକୋଭିକ୍‌ଙ୍କ ଅଭିଜ୍ଞତା ଆଗରେ ହାର୍‌ ମାନିଥିଲେ। ହେଲେ ଶେଷ ପର୍ଯ୍ୟନ୍ତ ପ୍ରବଳ ସଂଘର୍ଷ ଜାରି ରଖି ଜୋକୋଭିକ୍‌ଙ୍କୁ ବାଟ ଛାଡ଼ିନଥିଲେ।

ଅନ୍ୟପକ୍ଷରେ ୦-୨ରେ ପଛୁଆ ରହିବା ପ‌ରେ ଚମତ୍କାର ପ୍ରତ୍ୟାବର୍ତନ କରିଥିବା ୩୪ ବର୍ଷୀୟ ଜୋକୋଭିକ୍‌ ଶେଷ ୩ ସେଟ୍‌ ଜିତି ନିଜ କ୍ୟାରିୟରର ୧୯ତମ ଗ୍ରାଣ୍ଡ ସ୍ଲାମ୍‌ କରାୟତ୍ତ କରିଥିଲେ। ଏହି ବିଜୟ ସହ ଜୋକୋଭିକ ସର୍ବାଧିକ ଗ୍ରାଣ୍ଡ ସ୍ଲାମ୍‌ ପୁରୁଷ ଏକକ ବିଜେତା ସ୍ବିଜରଲାଣ୍ଡ କିଂବଦନ୍ତି ରୋଜର ଫେଡେରର୍‌ ଓ ସ୍ପେନ୍‌ର ରାଫେଲ ନାଦାଲ (୨୦)ଙ୍କ ନିକଟବର୍ତ୍ତୀ ହୋଇଛନ୍ତି। ଏଥିସହ ରୋଲାଁ ଗ୍ୟାରୋସରେ ଦ୍ୱିତୀୟ ମୁକୁଟ ହାତେଇ ଜୋକୋଭିକ ୫୦ ବର୍ଷ ପ‌ରେ ୪ଟିଯାକ ଗ୍ରାଣ୍ଡ ସ୍ଲାମ୍ ଦୁଇଥର ଜିତିବାରେ ପ୍ରଥମ ବ୍ୟକ୍ତି ହୋଇଛନ୍ତି। ଶେଷ ଥର ଲାଗି ସେ ଏଠାରେ ୨୦୧୬ରେ ଟ୍ରଫି ଜିତିଥି‌ଲେ। ଚଳିତ ବର୍ଷ ଏହା ତାଙ୍କର ଦ୍ବିତୀୟ ଗ୍ରାଣ୍ଡ ସ୍ଲାମ୍‌ ମୁକୁଟ। ଚଳିତ ବର୍ଷର ପ୍ରଥମ ଗ୍ରାଣ୍ଡ ସ୍ଲାମ୍‌ ଅଷ୍ଟ୍ରେଲିଆନ୍‌ ଓପନ୍‌ ମଧ୍ୟ ଜୋକୋଭିକ୍‌ ଜିତିଥିଲେ। ସୂଚନାଯୋଗ୍ୟ ଯେ ଜୋକୋଭିକ ୯ ଅଷ୍ଟ୍ରେଲିଆନ୍‌ ଓପନ୍‌, ୨ ଫ୍ରେଞ୍ଚ ଓପନ୍‌, ୫ ୱିମ୍ବଲଡନ୍‌ ଓ ୩ ୟୁଏସ୍‌ ଓପନ୍‌ ଟ୍ରଫି କରାୟତ୍ତ କରିଛନ୍ତି।

ମାହୁତ-ହର୍ବର୍ଟଙ୍କୁ ଆଉ ଏକ ଫ୍ରେଞ୍ଚ ଓପନ୍‌ ଯୁଗଳ ଟ୍ରଫି

ପିଏରି-ହ୍ୟୁଗ୍‌ସ ହର୍ବର୍ଟ ଏବଂ ନିକୋଲାସ ମାହୁତ ପ୍ରଥମ ଫ୍ରାନ୍ସ ଯୋଡ଼ି ଭାବେ ଦ୍ବିତୀୟ ଥର ଲାଗି ଘରୋଇ ଗ୍ରାଣ୍ଡ ସ୍ଲାମ୍‌ ଟ୍ରଫି ଜିତିବାର ଗୌରବ ଅର୍ଜନ କରିଛନ୍ତି। ଶନିବାର ମଧ୍ୟ ରାତ୍ରରେ ରୋଲାଁ ଗ୍ୟାରୋସରେ ଖେଳାଯାଇଥିବା ପୁରୁଷ ଯୁଗଳ ଫାଇନାଲ୍‌ରେ ଏହି ଫ୍ରାନ୍ସ ଯୋଡ଼ି ୪-୬, ୭-୬, ୬-୪ ସେଟ୍‌ରେ କାଜକସ୍ତାନର ଆଲେକ୍‌ଜାଣ୍ଡର ବୁବଲିକ ଓ ଆନ୍ଦ୍ରେ ଗୋଲୁବେଭଙ୍କୁ ପରାସ୍ତ କରିଥିଲେ। ଏକାଠି ସମସ୍ତ ୪ ଗ୍ରାଣ୍ଡ ସ୍ଲାମ୍‌ ଟ୍ରଫି ଜିତିଥିବା ହର୍ବର୍ଟ ଓ ମାହୁତ ଯୋଡ଼ି ୨୦୧୮ରେ ଫ୍ରେଞ୍ଚ ଓପନ୍‌ ଟ୍ରଫି କରାୟତ୍ତ କରିଥିଲେ। ହର୍ବର୍ଟ ଓ ମାହୁତ ଯୋଡ଼ିଙ୍କର ଏହା ପଞ୍ଚମ ଗ୍ରାଣ୍ଡ ସ୍ଲାମ୍‌ ଟ୍ରଫି। ଏହା ପୂର୍ବରୁ ୨୦୧୫ରେ ୟୁଏସ୍‌ ଓପନ୍‌, ୨୦୧୬ରେ ୱିମ୍ବଲଡନ୍‌, ୨୦୧୯ରେ ଅଷ୍ଟ୍ରେଲିଆନ୍‌ ଓପନ୍‌ ଏବଂ ୨୦୧୮ରେ ଫ୍ରେଞ୍ଚ୍‌ ଓପନ୍‌ ଜିତିଥିଲେ। ଏମାନେ କେବଳ ଗୋଟିଏ ଗ୍ରାଣ୍ଡ ସ୍ଲାମ୍‌ (୨୦୧୫ ଅଷ୍ଟ୍ରେଲିଆନ୍‌ ଓପନ୍‌) ଫାଇନାଲ୍‌ ହାରିଛନ୍ତି। ଯାହାକି ଏହି ଯୋଡ଼ିଙ୍କ ତାହା ପ୍ରଥମ ଗ୍ରାଣ୍ଡ ସ୍ଲାମ୍‌ ଫାଇନାଲ୍‌ ଥିଲା। ପୂର୍ବରୁ ଘରୋଇ ପଡ଼ିଆରେ ଟ୍ରଫି ଉଠାଇବାର ସୌଭାଗ୍ୟ ୧୯୮୪ରେ ହେନରି ଲେକୋ‌ଣ୍ଟ୍‌ ଓ ୟାନ୍ନିକ ନୋହ ଏବଂ ୨୦୧୪ରେ ଜୁଲିନ ବେନେତିଉ ଓ ଡୌଆର୍ଡ ରୋଜର-ଭାସେଲିନ ପାଇଥିଲେ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ