ନୂଆଦିଲ୍ଲୀ ୧୧/୦୬: ଭେଟେରାନ ବକ୍ସର ଡିଙ୍କୋ ସିଂହ ଗୁରୁବାର ଦିନ ୪୨ ବର୍ଷ ବୟସରେ ଲିଭର୍ କ୍ୟାନ୍ସରରେ ମୃତ୍ୟୁ ବରଣ କରିଛନ୍ତି। ସେ ୨୦୧୭ ଠାରୁ କ୍ୟାନ୍ସର୍ ରୋଗରେ ଚିକିତ୍ସିତ ହେଉଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡିଙ୍କୋ ସିଂହଙ୍କ ମୃତ୍ୟୁକୁ ସମବେଦନା ଜଣାଇଛନ୍ତି। ଅଭିନେତା ସାହିଦ କପୁର ମଧ୍ୟ ସ୍ୱର୍ଗତ ବକ୍ସରଙ୍କୁ ଶ୍ରଦ୍ଧାଞ୍ଜଜଳି ଅର୍ପଣ କରିଛନ୍ତି।
ସାହିଦ କପୁର ଟ୍ୱିଟ୍ କରି କହିଛନ୍ତି, ‘ପଦ୍ମଶ୍ରୀ ଡିଙ୍କୋ ସିଂହ ସର୍ବୋତ୍ତମ ବକ୍ସରମାନଙ୍କ ମଧ୍ୟରୁ ଜଣେ ଥିଲେ। ଜଣେ ପୁରସ୍କାର ବିଜେତା ଖେଳାଳି ଯିଏ ଅନେକ ଥର ଦେଶର ନାମ ବଢାଇଛନ୍ତି । ସେ ସର୍ବଦା ଯୁବକମାନଙ୍କ ପାଇଁ ପ୍ରେରଣା ହେବେ। ତାଙ୍କ ପରିବାର ସଦସ୍ୟଙ୍କୁ ମୋର ଆନ୍ତରିକ ସମବେଦନା । ତାଙ୍କର ଆତ୍ମାକୁ ଶାନ୍ତି ମିଳୁ। ‘
୨୦୧୯ ରେ ସାହିଦ କପୁର ଏକ ଇଣ୍ଟରଭ୍ୟୁରେ କହିଥିଲେ ଯେ ତାଙ୍କ ପାଖରେ ଡିଙ୍କୋ ସିଂହଙ୍କ ଉପରେ ଫିଲ୍ମ କରିବାର ଅଧିକାର ଅଛି। ତଥାପି, ସେଥିରେ କାମ ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ । ସେ କହିଥିଲେ, ‘ମୋ ପାଖରେ ଡିଙ୍କୋ ସିଂହଙ୍କ ଅଧିକାର ଅଛି। ଏହା ଏକ ଏପରି ଫିଲ୍ମ ଯାହାକୁ ମୁଁ ତିଆରି କରିବାକୁ ଚାହୁଁଛି ଏବଂ ତିଆରି କରିବି କିନ୍ତୁ ମୁଁ ଜାଣେ ନାହିଁ ପରବର୍ତ୍ତୀ ସମୟରେ କଣ କରିବି ।‘
ନିର୍ଦ୍ଦେଶକ ରାଜ କୃଷ୍ଣ ମେନନ୍ କହିଛନ୍ତି ଏହା ଦୁର୍ଭାଗ୍ୟଜନକ ଏବଂ ଦୁଃଖଦାୟକ। ଏହା ଏକ ଝଟକା ଭଳି ଥିଲା । ମୁଁ ଜାଣିଥିଲି ସେ ଅସୁସ୍ଥ ଏବଂ ସଂଘର୍ଷ କରୁଛନ୍ତି କିନ୍ତୁ ମୁଁ ଜାଣି ନଥିଲି ଏହା ଏତେ ଖରାପ ହେବ । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଯେ ସେ ଜୀବିତ ଥିବାବେଳେ ଆମେ ତାଙ୍କ ପାଇଁ ଫିଲ୍ମ କରିପାରିଲୁ ନାହିଁ। ଫିଲ୍ମଟି ସ୍ତଗିତ ହୋଇଛି । ଆମେ ଦେଖିବୁ କଣ କରିପାରିବୁ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ‘ଏହି ଫିଲ୍ମ ଅନେକ ଲୋକଙ୍କୁ ପ୍ରେରଣା ଯୋଗାଇବ। ସେ ମୋତେ କେବେ ଡାକିନଥିଲେ କିମ୍ବା ଫିଲ୍ମ କାହିଁକି ଅଟକି ଗଲା ବୋଲି ପଚାରି ନଥିଲେ। ଫିଲ୍ମ ନିର୍ମାଣ କରିବା ଆବଶ୍ୟକ । ଏହା ଏକ ଏପରି କାହାଣୀ ଯାହାକୁ ଜଣାଇବାକୁ ହେବ । ଏହା ଏକ ଜବରଦସ୍ତ କାହାଣୀ ହେବ ଏବଂ ତାଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ହେବ ।

