ମୁମ୍ବାଇ ୩୧/୧୦ : ବଲିଉଡ ଅଭିନେତା ସୋନୁ ସୁଦ୍ ଲୋକଙ୍କୁ ସାହାଯ୍ୟ କରି ସବୁବେଳେ ଚର୍ଚ୍ଚାରେ। ସୋନୁ ସୁଦ୍ ସୋସିଆଲ ମିଡ଼ିଆରେ ଖୁବ ସକ୍ରିୟ ରୁହନ୍ତି। ତାଙ୍କୁ ଯିଏ ବି ସାହାଯ୍ୟ ମାଗେ ସେ ସମସ୍ତଙ୍କୁ ଜବାବ୍ ଦିଅନ୍ତି ଏବଂ ପାରୁ ପର୍ଯ୍ୟନ୍ତ ସାହାଯ୍ୟ କରନ୍ତି। ତାଙ୍କର ଏହି ବଦାନ୍ୟତା ପାଇଁ ଲୋକେ ତାଙ୍କୁ ଭଗବାନ ଭଳି ପୂଜା କରୁଛନ୍ତି। ଜଣେ ବ୍ୟକ୍ତି ସୋନୁ ସୁଦଙ୍କୁ ଏକ ଅଜବ ସାହାଯ୍ୟ ମାଗିଛନ୍ତି। ସୋନୁ ତାଙ୍କୁ ମଜାଳିଆ ଜବାବ ବି ଦେଇଛନ୍ତି। ସୋନୁଙ୍କ ଏହି ଟ୍ୱିଟ୍ ବର୍ତ୍ତମାନ ଖୁବ ଭାଇରାଲ୍ ହେଉଛି।

ସୋନୁ ସୁଦଙ୍କୁ ଟ୍ୟାଗ୍ କରି ବ୍ୟକ୍ତି ଜଣକ କହିଛନ୍ତି ଯେ ସେ ତାଙ୍କୁ ମାଳଦ୍ଵୀପ ପହଞ୍ଚାଇ ଦିଅନ୍ତୁ। ବ୍ୟକ୍ତିଙ୍କ ଏହି ଟ୍ୱିଟରେ ସୋନୁ ମଧ୍ୟ ତୁରନ୍ତ ଜବାବ ଦେଇଥିଲେ। ସୋନୁ ଲେଖିଲେ, ସାଇକେଲରେ ଯିବ ନା ରିକ୍ସାରେ। ଏହିଭଳି ଜବାବ ଦେଇ ସୋନୁ ସୁଦ ତାଙ୍କ ମୁହଁ ବନ୍ଦ କରିଦେଲେ। ନିକଟରେ ଜଣେ ବ୍ୟକ୍ତି ସୋନୁ ସୁଦଙ୍କୁ ନିଜ ଶିଶୁ ପାଇଁ ସାହାଯ୍ୟ ମାଗିଥିଲେ। ଏହାପରେ ସେ ତାଙ୍କୁ ସାହାଯ୍ୟ କରିବାକୁ ଆଶ୍ୱାସନା ଦେଇଥିଲେ। ଏହାସହ ସୋନୁ ସୁଦ୍ ଗାଁର ସବୁ ଛାତ୍ରୀଙ୍କୁ ସାଇକେଲ୍ ଦେବାକୁ ଘୋଷଣା କରିଛନ୍ତି।
ସନ୍ତୋଷ ଚୌହାନ ନାମକ ଜଣେ ଟ୍ୱିଟର ୟୁଜର୍ ଲେଖିଥିଲେ ଯେ, “ଗାଁରେ ୩୫ ଛାତ୍ରୀ ଅଛନ୍ତି ଯେଉଁମାନଙ୍କୁ ପଢିବା ପାଇଁ ୮ରୁ ୧୫ କିମି ଜଙ୍ଗଲ ରାସ୍ତା ଦେଇ ଯିବାକୁ ପଡେ। କିଛି ଛାତ୍ରୀଙ୍କ ପାଖରେ ସାଇକେଲ୍ ଅଛି। ଏହା ନକ୍ସଲ୍ ପ୍ରଭାବିତ ଅଞ୍ଚଳ। ନକ୍ସଲ ଭୟରେ ପରିବାର ଲୋକେ ନିଜ ଝିଅଙ୍କୁ ପଢିବାକୁ ପଠାଉ ନାହାନ୍ତି। ଯଦି ଆପଣ ଏ ସମସ୍ତଙ୍କୁ ସାଇକେଲ୍ ଯୋଗାଇ ପାରିବେ ତାହେଲେ ଏମାନଙ୍କ ଭବିଷ୍ୟତ ସୁଧୁରିଯିବ।”
ଏହି ଟ୍ୱିଟରେ ପ୍ରତିକ୍ରିଟ ରଖି ସୋନୁ ସୁଦ୍ ଲେଖିଛନ୍ତି, “ଗାଁର ସବୁ ଛାତ୍ରୀଙ୍କୁ ସାଇକେଲ ମିଳିବ ଓ ସବୁ ଝିଅ ପାଠ ପଢିବେ। ସମସ୍ତଙ୍କ ଭବିଷ୍ୟତ ଉଜ୍ଜ୍ୱଳମୟ ହେବ। ପରିବାର ଲୋକଙ୍କୁ ଜଣେଇଦେବେ, ସାଇକେଲ ଖୁବ ଶୀଘ୍ର ପହଞ୍ଚିଯିବ, ବାସ ଚା’ ରେଡି ରଖିବେ।”

