ଖେଳ

ଚାପେଲଙ୍କ ଆକଳନ, ବାତିଲ ହୋଇପାରେ ଟ୍ବେଣ୍ଟି-୨୦ ବିଶ୍ବକପ୍

ସିଡ୍‌ନି: ଆଇପିଏଲ୍-୨୦୨୧ ଭଳି ଆଗାମୀ ଟ୍ବେଣ୍ଟି-୨୦ ବିଶ୍ବକପ୍ ମଧ୍ୟ ବାତିଲ କିମ୍ବା ସ୍ଥଗିତ ହୋଇପାରେ। ଏଭଳି ଅନୁମାନ ଓ ଆକଳନ କରିଛନ୍ତି ଅଷ୍ଟ୍ରେଲିଆର ମହାନ କ୍ରିକେଟର୍‌ ଇଆନ ଚାପେଲ। କୋଭିଡ୍-୧୯ର ବର୍ଦ୍ଧିତ ସଂକ୍ରମଣ ହିଁ ଏହାର ଏକମାତ୍ର କାରଣ ହେବ ବୋଲି ଚାପେଲ ଭବିଷ୍ୟବାଣୀ କରିଛନ୍ତି। ୨୦୨୧ ଟ୍ବେଣ୍ଟି-୨୦ ବିଶ୍ବକପ୍ ଆସନ୍ତା ଅକ୍ଟୋବର-ନଭେମ୍ବରରେ ଭାରତରେ ହେବାର ଅଛି। ତେବେ ଭାରତରେ ଦୈନିକ ୪ ଲକ୍ଷରୁ ଅଧିକ କରୋନା ସଂକ୍ରମଣ ମାମଲା ପଦାକୁ ଆସୁଥିବାରୁ ଏହି ୧୬ ଦଳିଆ ପ୍ରତିଯୋଗିତାକୁ ଭାରତ ବାହାରକୁ ନେବାକୁ ଆଇସିସି ଓ ବିସିସିଆଇ ଚିନ୍ତା କରୁଛନ୍ତି। ଆୟୋଜକ ଦୌଡ଼ରେ ୟୁଏଇ, ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଥିବା ଜଣାପଡ଼ିଛି।

ବିଶ୍ବକପ୍‌ର ସମ୍ଭାବ୍ୟ ବାତିଲ କିମ୍ବା ସ୍ଥଗିତ ଆଶଙ୍କା ଆଲୋଚନାରେ ଅଂଶଗ୍ରହଣ କରି ୭୭ ବର୍ଷୀୟ ଚା‌ପେଲ ଅତୀତର ଅନେକ ବିତର୍କିତ କ୍ରିକେଟ୍ ବ୍ୟାଘାତ ଉପରୁ ପରଦା ଉଠାଇଛନ୍ତି। ସେହିଭଳି ଅତ୍ୟନ୍ତ ଖରାପ ପାଗ ପାଇଁ ୧୯୭୦-୭୧ ମସିହାର ଅଷ୍ଟ୍ରେଲିଆ-ଇଂଲଣ୍ଡ ବକ୍ସିଂ ଡେ’ ଟେଷ୍ଟ୍ ଖେଳ ହୋଇ ନପାରିବା କିଭଳି ଦିନିକିଆ କ୍ରିକେଟ୍‌କୁ ଜନ୍ମ ଦେଇଥିଲା, ସେକଥା ମନେ ପକାଇଛନ୍ତି। ୧୯୭୦-୭୧ର ସେହି ବକ୍ସିଂ ଡେ’ ଟେଷ୍ଟ୍‌ ଲଗାଣ ବର୍ଷା ପାଇଁ ଗୋଟିଏ ବଲ୍ ପଡ଼ିବା ପୂର୍ବରୁ ବାତିଲ ହୋଇଯାଇଥିଲା। ତେବେ କ୍ରିକେଟ୍ ଅଷ୍ଟ୍ରେଲିଆ ହରାଇଥିବା ରାଜସ୍ବକୁ ଭରଣା କରିବା ଲାଗି ଏକ ଦିନିକିଆ ମ୍ୟାଚ୍ ଖେଳିବାର ପରିକଳ୍ପନା ସେହିଠାରେ ହିଁ କରାଯାଇଥିଲା। ଏହି ମ୍ୟାଚ୍ ଖେଳିବାକୁ ଦୁଇଦେଶର ଅଧିକାରୀମାନେ ଖେଳାଳିଙ୍କ ଅଗଚୋରରେ ରାଜି ହୋଇ ଯାଇଥିଲେ। ସେଥିପାଇଁ ଏକଥା ଜାଣିବା ପରେ ଦୁଇ ଦଳର ଖେଳାଳିମାନେ ରାଗିକି ନିଆଁବାଣ ହୋଇଯାଇଥିଲେ। ଏହି କାରଣରୁ ୧୯୭୭-୭୮ ମସିହାର ବିଶ୍ବ ସିରିଜ୍ କ୍ରିକେଟ୍‌ର ମୂଳଦୁଆ ବି ପଡ଼ିଥିଲା।

ଏହି ବିବାଦୀୟ ସିରିଜ୍‌ ଖେଳିବାକୁ ଅଷ୍ଟ୍ରେଲିଆ ଓ ଇଂଲଣ୍ଡର ୫୦ରୁ ଅଧିକ ଖେଳାଳି ସମ୍ମତି ପ୍ରକାଶ କରିଥିଲେ। ଚାପେଲ ମଧ୍ୟ ୨୦୦୬ ମସିହାରେ ପାକିସ୍ତାନ କ୍ରିକେଟ୍ ଦଳକୁ ନେଇ ସୃଷ୍ଟି ହୋଇଥିବା ବିବାଦ ବିଷୟ ଏକ ଇଂରାଜୀ ଦୈନିକରେ ଲେଖିଥିବା ନିଜ ସ୍ତମ୍ଭରେ ଉଲ୍ଲେଖ କରିଛନ୍ତି। ୨୦୦୬ ମସିହାର ପାକିସ୍ତାନ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ୍ ଅବସରରେ ପାକିସ୍ତାନ ଖେଳାଳିଙ୍କ ବିରୋଧରେ ବଲ୍ ବିକୃତ ଅଭିଯୋଗ ଆସିଥିଲା। ଅମ୍ପାୟାର ଏହି ଦଳକୁ ୫ ରନ୍‌ର ପେନାଲ୍ଟି ବି ଦେଇଥିଲେ। ହେଲେ ପାକିସ୍ତାନ ଅଧିନାୟକ ଇଞ୍ଜମାମ-ଉଲ୍-ହକ୍ ନିଷ୍ପତ୍ତିକୁ ବିରୋଧ କରି ନିଜ ଖେଳାଳିଙ୍କୁ ପଡ଼ିଆ ଭିତରକୁ ନେଇ ଆସି ନଥିଲେ। ଇଂଲଣ୍ଡ ଖେଳାଳିଙ୍କ ଦୀର୍ଘ ଅପେକ୍ଷା ପରେ ଯେତେବେଳେ ପାକିସ୍ତାନ ଖେଳାଳି ଖେଳିବାକୁ ଆସିଲେନି, ସେତେବେଳେ ଅମ୍ପାୟାର ମ୍ୟାଚ୍‌ରେ ଇଂଲଣ୍ଡକୁ ବିଜୟୀ ଘୋଷଣା କରିଥିଲେ। ତେବେ ବିଦ୍ରୋହର ଆଶଙ୍କା କରି ଆଇସିସି ଏହାକୁ ଏକ ଅମୀମାଂସିତ ମ୍ୟାଚ୍ ଭାବେ ଘୋଷଣା କରିଥିଲା। ତେବେ ଚାରିଆଡ଼ୁ ସମାଲୋଚନା ହେବା ପରେ ୨୦୦୮ ମସିହାରେ ଆଇସିସି ନିଜ ନିଷ୍ପତ୍ତିକୁ ପୁନର୍ବାର ବଦଳାଇ ଇଂଲଣ୍ଡକୁ ଆନୁଷ୍ଠାନିକ ଭାବେ ବିଜୟୀ ଘୋଷଣା କରିଥିଲା। ଯାହାକୁ ଚା‌ପେଲ ବି ସମର୍ଥନ କରିଥିଲେ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ