ନୂଆଦିଲ୍ଲୀ : କରୋନା ପ୍ରକୋପ ଯୋଗୁଁ ମାଲେସିଆ ଓପନ୍ ସୁପର ୭୫୦ ପ୍ରତିଯୋଗିତା ସ୍ଥଗିତ ରଖାଯାଇଛି। ଏହି ପ୍ରତିଯୋଗିତା କୁଆଲାଲୁମ୍ପୁରରେ ଚଳିତ ମାସ ୨୫ରୁ ୩୦ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାର ଥିଲା। ହେଲେ ସାଂପ୍ରତିକ କରୋନା ମହାମାରୀ ସ୍ଥିତି ସାଙ୍ଗକୁ ଖେଳାଳି ଓ ଅଧିକାରୀଙ୍କ ନିରାପତ୍ତାକୁ ଦୃଷ୍ଟିରେ ରଖି ଏହି ପ୍ରତିଯୋଗିତା ସ୍ଥଗିତ ରଖିବାକୁ ବାଧ୍ୟ ହେଲୁ ବୋଲି ଗୁରୁବାର ଏକ ବିବୃତ୍ତିରେ କହିଛି ବ୍ୟାଡ୍ମିଣ୍ଟନ ବିଶ୍ବ ଫେଡେରେସନ୍। ଏନେଇ ନୂଆ ସୂଚୀ ପରେ ପ୍ରସ୍ତୁତ ହେବ ବୋଲି ବିଶ୍ବ ସଂଘ କହିଛି।
ତେବେ ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତାପର୍ଯ୍ୟାୟ ପାଇଁ ଯେଉଁ ଦୁଇଟି ଶେଷ ପ୍ରତିଯୋଗିତା ବାକି ଥିଲା ସେଥିରୁ ମାଲେସିଆ ଓପନ୍ ଅନ୍ୟତମ। ଫଳରେ ଟୋକିଓ ଅଲିମ୍ପିକ୍ସକୁ ଯୋଗ୍ୟତା ହାସଲ କରିବା ପାଇଁ ଯେଉଁ ବ୍ୟାଡ୍ମିଣ୍ଟନ ଖେଳାଳି ଆଶା ବାନ୍ଧିଥିଲେ ସେମାନଙ୍କ ପାଇଁ ଶକ୍ତ ଝଟ୍କା ଲାଗିଛି। ସେଭଳି ଖେଳାଳିଙ୍କ ମଧ୍ୟରେ ରହିଛନ୍ତି ଦୁଇ ଭାରତୀୟ ତାରକା ସାଇନା ନେହ୍ବାଲ ଏବଂ କିଦାମ୍ବି ଶ୍ରୀକାନ୍ତ। ଚଳିତ ମାସ ୧୧ରୁ ୧୬ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଇଣ୍ଡିଆ ଓପନ୍ ସ୍ଥଗିତ ରହିବା ପରେ ଉଭୟ ସାଇନା ଓ ଶ୍ରୀକାନ୍ତଙ୍କ ଟୋକିଓ ଟିକେଟ ଭାଗ୍ୟ କୁଆଲାଲୁମ୍ପୁର ଓ ସିଙ୍ଗାପୁର ଓପନ୍ (ଜୁନ୍ ୧ରୁ ୬) ଉପରେ ନିର୍ଭର କରୁଥିଲା। କରୋନା ପାଇଁ ଭାରତରୁ ସବୁ ବିମାନ ସିଙ୍ଗାପୁରକୁ ବାତିଲ ହୋଇଥିଲା ବେଳେ ସାଇନା ଓ ଶ୍ରୀକାନ୍ତଙ୍କ ପାଇଁ ସେଠାକୁ ଯିବା ସମ୍ଭବ ହେବନାହିଁ। ଏପରିସ୍ଥଳେ ମାଲେସିଆ ଓପନ୍ ସ୍ଥଗିତ ଉଭୟଙ୍କ ଟୋକିଓ ଯୋଗ୍ୟତା ନେଇ ଆଶଙ୍କା ସୃଷ୍ଟି କରିଛି। ଏହି ଦୁଇ ଜଣଙ୍କ ବ୍ୟତୀତ ଟୋକିଓ ଅଲିମ୍ପିକ୍ସକୁ ଯୋଗ୍ୟତା ହାସଲ କରିପାରିନଥିବା ଏନ୍ ସିକି ରେଡୀ ଓ ଅଶ୍ବିନୀ ପୋନାପା ଯୋଡ଼ି ମଧ୍ୟ ଉଭୟ ମାଲେସିଆ ଓ ସିଙ୍ଗାପୁର ଓପନ୍ ଉପରେ ନଜର ରଖିଥିଲେ। ସେମାନଙ୍କ ଆଶା ମଧ୍ୟ ବାଧାପ୍ରାପ୍ତ ହୋଇଛି।
ଜାପାନରେ ଜୋର ଧରିଲା ଅଲିମ୍ପିକ୍ସ ବିରୋଧୀ ଅଭିଯାନ
ଟୋକିଓ : ଗତବର୍ଷଠାରୁ ସ୍ଥଗିତ ଥିବା ଟୋକିଓ ଅଲିମ୍ପିକ୍ସର ଭବିଷ୍ୟତକୁ ନେଇ ପୁଣି ଅନିଶ୍ଚିତତା ଜାରି ରହିଛି। ଟୋକିଓ ଅଲିମ୍ପିକ୍ସ ବିନା ଦର୍ଶକରେ ଖେଳାଯିବ ବୋଲି ଆୟୋଜକମାନେ ବାରମ୍ବାର ଦୃଢ଼ୋକ୍ତି ପ୍ରକାଶ କରି ଆସୁଥିଲେ ମଧ୍ୟ ଜାପାନରେ ପ୍ରବଳ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି। ଜୁଲାଇ ୨୩ ତାରିଖରୁ ଆରମ୍ଭ ହେବାକୁ ଥିବା ଏହି ବିଶ୍ବସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାକୁ ନେଇ ଏକ ଜନମତ ସର୍ବେକ୍ଷଣ କରାଯାଇଥିଲା। ଯେଉଁଥିରେ ୭୦ ଭାଗ ଲୋକ ବାତିଲ କିମ୍ବା ସ୍ଥଗିତ ସପକ୍ଷରେ ମତ ଦେଇଥିଲେ। ଗତ ଦୁଇ ଦିନ ହେବ ଅନୁଷ୍ଠିତ ଏକ ଅନ୍ଲାଇନ୍ ଅଭିଯାନରେ ୨,୦୦,୦୦୦ ଦସ୍ତଖତ ସମ୍ବଳିତ ଅଭିଯୋଗ ଆସିଛି। ଯେଉଁଥିରେ ଟୋକିଓ ଅଲିମ୍ପିକ୍ସକୁ ବାତିଲ କରାଯାଉ ବୋଲି ମତ ଦିଆଯାଇଛି। ‘ଷ୍ଟପ ଟୋକିଓ ଅଲିମ୍ପିକ୍ସ’ ନାମକ ଏହି ଅଭିଯାନରେ ୨,୦୦,୦୦୦ ଲୋକଙ୍କ ସମ୍ପୃକ୍ତି ଲକ୍ଷ୍ୟ ରଖାଯାଇଥିଲେ ମଧ୍ୟ ଶୁକ୍ରବାର ସୁଦ୍ଧା ଏହା ୨,୧୦,୦୦୦ ଟପି ଯାଇଛି। ଜାପାନରେ କରୋନାର ଚତୁର୍ଥ ଲହର ଚାଲିଥିବା ବେଳେ ଟିକାକରଣ ଅଭିଯାନ ମଧ୍ୟ ମନ୍ଥର ହୋଇଯାଇଛି। ମେ’ ମାସ ଶେଷ ପର୍ଯ୍ୟନ୍ତ ମଧ୍ୟ ଜାପାନ ସରକାର ଟୋକିଓ ଓ ଅନ୍ୟ କିଛି ନଗରୀରେ ଇମର୍ଜିଜେନ୍ସି ଲାଗୁ କରିଛନ୍ତି।