ନୂଆଦିଲ୍ଲୀ: କୋଭିଡ୍-୧୯ ସଂକ୍ରମଣ ମାମଲା ତୀବ୍ର ବେଗରେ ବୃଦ୍ଧିପାଉଥିବା ବାତାବରଣରେ ଭାରତକୁ ନ ଯିବା ପାଇଁ ଏବଂ ଯେଉଁମାନେ ଭାରତରେ ଅଛନ୍ତି ନିରାପଦ ସମ୍ଭବ ମନେହେଉଥିଲେ ଯଥା ଶୀଘ୍ର ସମ୍ଭବ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବା ଲାଗି ଗୁରୁବାର ଦିନ ଯୁକ୍ତରାଷ୍ଟ୍ର ଆମେରିକା ତା’ର ନାଗରିକମାନଙ୍କୁ ପରାମର୍ଶ ଦେଇଛି।
ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ବିଭାଗଦ୍ବାରା ଜାରି ଏହି ପର୍ଯ୍ୟଟନ ପରାମର୍ଶନାମାରେ ଭାରତକୁ ୪ର୍ଥ ସ୍ତର ବା ସର୍ବୋଚ୍ଚ ସ୍ତରରେ ରଖି କୁହାଯାଇଛି ଯେ, ଭାରତରେ ସବୁ ପ୍ରକାରର ଡାକ୍ତରୀ ସେବା ଖୁବ୍ ସଙ୍କୁଚିତ ହୋଇଆସୁଛି।
ଟୁଇଟ୍ କରି ଆମେରିକାର ବୈଦେଶିକ ବିଭାଗ କହିଛି, କୋଭିଡ୍-୧୯ ସଂକ୍ରମଣ ମାମଲା ଯୋଗୁଁ ଭାରତରେ ସବୁ ପ୍ରକାର ଡାକ୍ତରୀ ସେବା ଅତି ସୀମିତ ହୋଇଯାଇଛି। ଭାରତରୁ ପ୍ରତ୍ୟାବର୍ତ୍ତନ କରିବାକୁ ଚାହୁଁଥିବା ଯୁକ୍ତରାଷ୍ଟ୍ର ଆମେରିକୀୟ ନାଗରିକମାନେ ଏବେ ଉପଲବ୍ଧ ବାଣିଜ୍ୟିକ ବିକଳ୍ପ (କମର୍ସିଆଲ୍ ଅପ୍ସନ୍ସ୍) ଉପଯୋଗ କରିବା ଉଚିତ। ସିଧାସଳଖ ଯୁକ୍ତରାଷ୍ଟ୍ର ଆମେରିକାକୁ ଏବଂ ପ୍ୟାରିସ୍ ଓ ଫ୍ରାଙ୍କ୍ପୁର୍ଟ ବାଟ ଦେଇ ବିମାନ ଯାତାୟାତ କରୁଛି।
ଏହାଛଡ଼ା, ଦୂତାବାସରୁ ଭାରତରେ ସ୍ବାସ୍ଥ୍ୟ ଏବଂ ନିରାପତ୍ତା ସଂକ୍ରାନ୍ତ ଗୁରୁତ୍ବପୂର୍ଣ୍ଣ ସୂଚନା ପାଇବା ପାଇଁ ‘ସ୍ମାର୍ଟ ଟ୍ରାଭେଲ୍ର୍ ଏନ୍ରୋଲ୍ମେଣ୍ଟ୍ ପ୍ରୋଗ୍ରାମ୍’ରେ ସାମିଲ ହେବାକୁ ଯୁକ୍ତରାଷ୍ଟ୍ର ଆମେରିକୀୟ ନାଗରିକମାନଙ୍କୁ ଅନୁରୋଧ କରାଯାଇଛି।
ସେହିପରି, ଭ୍ରମଣ ସଂକ୍ରାନ୍ତ କଟକଣା ବିଷୟରେ ସଦ୍ୟ ସୂଚନା ପାଇବା ଲାଗି ଆମେରିକା ତା’ର ନାଗରିକମାନଙ୍କୁ ‘ଭାରତୀୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ’ ୱେବ୍ସାଇଟ୍ ଦେଖିବାକୁ ମଧ୍ୟ ପରାମର୍ଶ ଦେଇଛି।