ନୂଆଦିଲ୍ଲୀ ୨୭।୦୪: ଦେଶରେ କୋଭିଡ୍-୧୯ ମହାମାରୀ ବିକଟାଳ ରୂପ ନେବାରେ ଲାଗିଛି। ଗତ କିଛି ଦିନ ହେବ ଭାରତରେ ଦୈନିକ ତିନି ଲକ୍ଷରୁ ଅଧିକ ନୂତନ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଭାରତରେ ବର୍ତ୍ତମାନ ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍) ୨୦୨୧ ଖେଳାଯାଉଛି। ପୁଣି ବର୍ଷର ଶେଷ ଆଡକୁ ଟି-୨୦ ବିଶ୍ଵ କପ୍ ଆୟୋଜନ ହେବାର ଅଛି। କିନ୍ତୁ ସଂପ୍ରତି ଦେଶରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ପରିଷଦ(ଆଇସିସି) ଟି-୨୦ ବିଶ୍ଵ କପ୍କୁ ଭାରତରୁ ଅନ୍ୟ ଦେଶକୁ ସ୍ଥାନାନ୍ତର କରିପାରେ।
ଡେଲିମେଲ୍ର ଖବର ଅନୁଯାୟୀ, ଟି-୨୦ ବିଶ୍ଵକପ୍କୁ ଛଅ ମାସ ବାକି ଥିଲେ ମଧ୍ୟ ଯେଉଁଭଳି ଭାବେ ଭାରତରେ କରୋନା ସ୍ଥିତି ରହିଛି ତାକୁ ଆଖି ଆଗରେ ରଖି ୟୁଏଇରେ ବିଶ୍ଵ କପ୍ ଆୟୋଜନ କରାଯାଇପାରେ। ଆଇସିସି ମଧ୍ୟ ୟୁଏଇକୁ ବିକଳ୍ପ ଭେନ୍ୟୁ ଭାବେ ପ୍ରସ୍ତୁତ ରଖିଛି। ଗତ ବର୍ଷ ୟୁଏଇରେ ସଫଳତା ସହ ଆଇପିଏଲ୍ ଆୟୋଜନ ହୋଇଥିଲା।
ଗତ ବର୍ଷ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ଵକପ୍ ଖେଳାଯିବାର ଥିଲା। ମାତ୍ର କୋଭିଡ୍-୧୯ ମହାମାରୀ କାରଣରୁ ଏହାକୁ ସ୍ଥଗିତ ରଖାଯାଇଥିଲା। ଚଳିତ ବର୍ଷ ବିଶ୍ଵ କପ୍ ପାଇଁ ଭାରତର ନଅଟି ସହର ଚୟନ କରାଯାଇଛି। ଫାଇନାଲ ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ।