ମୁମ୍ବାଇ,୨୫/୦୪: ଆଇପିଏଲ୍ ୨୦୨୧ର ୧୯ତମ ଲିଗ୍ ମ୍ୟାଚ୍ରେ ରବିବାର ହେବ ଏକ ରୋମାଞ୍ଚକର ମୁକାବିଲା । ପଏଣ୍ଟ ତାଲିକାର ଆଗରେରହିଥିବା ଦୁଇ ଦଳ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଚେନ୍ନାଇ ସୁପରକିଙ୍ଗ୍ସ ପରସ୍ପରକୁ ଭେଟିବେ । ମୋଟ୍ ଉପରେ କହିବାକୁ ଗଲେ ଆଜିର ମ୍ୟାଚ୍ରେ ଅଧିନାୟକ ଗୁରୁ ମହେନ୍ଦ୍ର ସିଂ ଧୋନି ଓ ଶିଷ୍ୟ ବିରାଟ କୋହଲିଙ୍କ ମଧ୍ୟରେ ଲଢେଇ ହେବ ।
ରୟାଲ୍ ଚ୍ୟାଲେଞ୍ଜର୍ସ ଇତି ମଧ୍ୟରେ ୪ଟି ମ୍ୟାଚ୍ ଖେଳି ସାରିଛି । ସମସ୍ତ ମ୍ୟାଚ୍ରେ ଦଳ ବିଜୟୀ ହୋଇଛି । ଗୁରୁବାର ଅନୁଷ୍ଠିତ ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ୧୦ ୱିକେଟ୍ରେ ବିଜୟ ହାସଲ କରିଥିଲା । ଦେବଦତ୍ତ ପାଡ଼ିକଲ ଶତକ ଅର୍ଜନ କରିଥିଲେ । କୋହଲି ମଧ୍ୟ ଅର୍ଦ୍ଧଶତକ ଅର୍ଜନ କରି ଫର୍ମକୁ ଫେରିବାର ସଂକେତ ଦେଇଥିଲେ ।
ସୁପରକିଙ୍ଗ୍ସ ପ୍ରଥମ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସଠୁ ପରାଜିତ ହୋଇଥିଲା । ଏହାପରେ ଦଳ ସମସ୍ତ ତ୍ରୁଟି ସୁଧାରିନେଇଛି । କ୍ରମାନ୍ୱୟରେ ୩ଟି ମ୍ୟାଚ୍ ଜିତି ସୁପରକିଙ୍ଗ୍ସ ପଏଣ୍ଟ ତାଲିକାର ଦ୍ୱିତୀୟ ସ୍ଥାନ ଅଧିକାର କରିଛି । ବିଶେଷ କରି ଦୁଇ ଓପନର ଫର୍ମକୁ ଫେରିବା ପରେ ଦଳର ମନୋବଳ ଦ୍ୱିଗୁଣିତ ହୋଇଛି । ବୋଲିଂ ବିଭାଗ ସନ୍ତୁଳିତ ରହିଥିବାରୁ ସୁପରକିଙ୍ଗ୍ସ ଶକ୍ତିଶାଳୀ ଦଳ ରୂପେ ଉଭା ହୋଇଛି ।
ରବିବାର ମ୍ୟାକ୍ସୱେଲ ଓ ରବିନ୍ଦ୍ର ଜାଡେଜାଙ୍କ ମଧ୍ୟରେ ଚ୍ୟାଲେଞ୍ଜ ଦେଖିବାକୁ ମିଳିବ । ଜାଡେଜାଙ୍କ ବିପକ୍ଷରେ ମ୍ୟାକ୍ସୱେଲ୍ ୧୧ଟି ଟି-ଟ୍ୱେଣ୍ଟି ଖେଳି ୫ଥର ଆଉଟ୍ ହୋଇଛନ୍ତି । ମ୍ୟାକ୍ସୱେଲ୍ ବର୍ତ୍ତମାନ ଉନ୍ନତ ଫର୍ମରେ ରହିଛନ୍ତି । ତେଣୁକରି ଆସନ୍ତା କାଲି ଜାଡେଜାଙ୍କ ବଲ୍କୁ ବାଉଣ୍ଡାରୀ ବାହାରକୁ ପଠାଇବାକୁ ମ୍ୟାକ୍ସୱେଲ୍ ପ୍ରୟାସ କରିବେ । ସୁପରକିଙ୍ଗ୍ସର ମଧ୍ୟଭାଗ ବ୍ୟାଟ୍ସମ୍ୟାନ୍ ମୋଇନ ଅଲି, ସୁରେଶ ରାଇନା, ଅମ୍ବାତି ରାୟୁଡୁ ଓ ରୟାଲ୍ ଚ୍ୟାଲେଞ୍ଜର୍ସର ଦୁଇ ବିଦେଶୀ ପେସ ବୋଲର କେନ ରିଚାର୍ଡସନ, କେଲି ଜାମିସନଙ୍କ ମଧ୍ୟରେ ଲଢେଇ ହେବା ଏକ ପ୍ରକାର ନିଶ୍ଚିତ । ଉଭୟ ବଲ୍କୁ ଅତିରିକ୍ତ ବାଉନ୍ସ କରାଇବାରେ ସିଦ୍ଧହସ୍ତ । ସେହିପରି ରାଇନା, ମୋଇନ ଓ ରାୟୁଡୁ ଆକ୍ରମଣାତ୍ମକ ବ୍ୟାଟିଂକୁ ଗୁରୁତ୍ୱ ଦେଉଛନ୍ତି । ତେଣୁ ଉଭୟ ପକ୍ଷ ମଧ୍ୟରେ ଘମାଘୋଟ ଲଢେଇ ହେବ ।