ମୁମ୍ବାଇ ୧୯/୦୪ : ଗତ ବର୍ଷ କରୋନା ଲକଡାଉନ୍ ସମୟରେ ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟ କରି ବାସ୍ତବିକ ଜୀବନରେ ହିରୋ ହୋଇଥିବା ବଲିଉଡ୍ ଅଭିନେତା ସୋନୁ ସୁଦ୍ ବର୍ତ୍ତମାନ ନିଜେ କରୋନା ସଂକ୍ରମିତ। ପ୍ରବାସୀଙ୍କୁ ସାହାଯ୍ୟ କରିବା ପରେ ସେ ଅନେକ ଆବଶ୍ୟକୀୟ ଲୋକଙ୍କୁ ସାହାଯ୍ୟ କରିଛନ୍ତି ଏବଂ ଆଗକୁ ମଧ୍ୟ ଜାରି ରଖିବେ ବୋଲି କହିଛନ୍ତି। କରୋନା ଯୋଗୁଁ ଅନେକ ରାଜ୍ୟରେ ସ୍କୁଲ, କଲେ ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ଯାହାଫଳରେ ପିଲାଙ୍କ ପାଠ ପଢା ବାଧାପ୍ରାପ୍ତ ହେଉଛି। ସୋନୁ ସୁଦ୍ ଏହି ସମସ୍ୟାର ମଧ୍ୟ ଏକ ସମାଧାନ ବାହାର କରିଛନ୍ତି।
ସୋନୁ ସୁଦ୍ ସୋସିଆଲ୍ ମିଡ଼ିଆରେ ବହୁତ ଆକ୍ଟିଭ୍। କିଛି ସମୟ ପୂର୍ବରୁ ସେ ପିଲାଙ୍କ ପାଠ ପଢାକୁ ନେଇ ଏକ ଟ୍ୱିଟ କରିଛନ୍ତି। ସେ ଲେଖିଛନ୍ତି,’ ପିଲାଙ୍କ ପାଠ ପଢା ଉପରେ ଲକଡାଉନ୍ ଲାଗିବାକୁ ଦେବୁନି’। ଟ୍ୱିଟ୍ ସହ ସୋନୁ ସୁଦ ଏକ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି। ଭିଡିଓରେ ସୋନୁ ସୁଦ ଫାଉଣ୍ଡେସନ ତରଫରୁ ଆବଶ୍ୟକୀୟ ପିଲାଙ୍କୁ ମୋବାଇଲ ଫୋନ ଦିଆଯାଉଛି। ଫୋନ ପାଇ ପିଲାମାନେ ବହୁତ ଖୁସି ଯେ ଏବେ ଆଉ ତାଙ୍କ ଅନଲାଇନ କ୍ଲାସ୍ ମିସ୍ ହବନି ଓ ସେମାନେ ଭଲ ଭାବେ ପାଠ ପଢି ପାରିବେ।
ନିଜେ କରୋନା ସଂକ୍ରମିତ ହେବାପରେ ମଧ୍ୟ ଲୋକଙ୍କୁ ସାହାଯ୍ୟ କରିବା ଜାରି ରଖିଛନ୍ତି ଏହି ବିଶାଳ ହୃଦୟବାନ ଅଭିନେତା। ଜଣେ ବ୍ୟକ୍ତି ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ସୋନୁ ସୁଦଙ୍କୁ ଆଇସିୟୁ ବେଡ଼ ଓ ଆମ୍ବୁଲାନ୍ସ ପାଇଁ ସାହାଯ୍ୟ ମାଗିଥିଲେ। ସୋନୁ ସୁଦ୍ କହିଥିଲେ ୩୦ ମିନିଟରେ ତାଙ୍କୁ ଆଇସିୟୁ ବେଡ଼ ଓ ଆମ୍ବୁଲାନ୍ସ ମିଳିଯିବ। ଠିକ୍ ସମୟରେ ସହାୟତା ପାଇ ଯୁବକ ଜଣକ ଟ୍ୱିଟ କରି ସୋନୁ ସୁଦଙ୍କୁ ଧନ୍ୟବାଦ ଜଣାଇଛନ୍ତି ଓ ସୋନୁ ସୁଦଙ୍କ ଆରୋଗ୍ୟ କାମନା କରିଛନ୍ତି।