ଖେଳ ଦେଶ ବିଦେଶ

ତୁଟିଲା ୧୦ ଋତୁର ଧାରା, ପ୍ରଥମ ଥର ପ୍ଲେ ଅଫ୍‌ରୁ ବାଦ୍ ପଡିଲା ଚେନ୍ନାଇ

ଆବୁଧାବି: ରବିବାରର ରାତି ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ଚାରି ଥର ବିଜେତା ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିବା ପରେ ଚଳିତ ଆଇପିଏଲ୍‌ର ପ୍ଲେ ଅଫ୍ ଦୌଡ଼ରୁ ପ୍ରଥମ ଥର ପାଇଁ ତିନି ଥର ବିଜେତା ଚେନ୍ନାଇ ସୁପରକିଙ୍ଗ୍ସ ବାଦ ପଡ଼ିଛି। ପ୍ଲେ ଅଫ୍ ଦୌଡ଼ରୁ ବାଦ ପଡ଼ିବାରେ ଚେନ୍ନାଇ ବି ଚଳିତ ଋତୁର ପ୍ରଥମ ଦଳ ହୋଇଛି। ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବାଧୀନ ଚେନ୍ନାଇ ପ୍ରଥମ ଥର ପାଇଁ ଏଭଳି ପରିସ୍ଥିତିର ପଡ଼ିଛି। ୨୦୦୮ ମସିହାରୁ ୨୦୧୯ ମସିହା ମଧ୍ୟରେ ଚେନ୍ନାଇ ଆଇପିଏଲ୍‌ର ୧୦ ଋତୁରେ ଅଂଶଗ୍ରହଣ କରିଥିଲା ବେଳେ ପ୍ରତି ଥର ପ୍ଲେ ଅଫ୍ ଖେଳିବାର ଗୌରବ ଅର୍ଜନ କରିଥିଲା। ହେଲେ ଚଳିତ ବର୍ଷର ଆଇପିଏଲ୍‌ରେ ଅସ୍ଥିର ପ୍ରଦର୍ଶନ ଦେଇ ୧୨ ମ୍ୟାଚ୍‌ରୁ ମାତ୍ର ୪ ବିଜୟ ହାସଲ କରିଛି। ଦଳ ପାଖରେ ଆଉ ମାତ୍ର ଦୁଇଟି ମ୍ୟାଚ୍ ବାକି ରହିଛି। ‌ଏହାକୁ ଜିତିଲେ ମଧ୍ୟ ଦଳ ପ୍ଲେ ଅଫ୍ ଖେଳିବାର କୌଣସି ସମ୍ଭାବନା ନାହିଁ। ରବିବାରର ରାଜସ୍ଥାନ ରୟାଲ୍ସ-ମୁମ୍ବାଇ ଇଣ୍ଡିଆନ୍ସ ମ୍ୟାଚ୍‌ରେ ମୁମ୍ବାଇ ବିଜେତା ହୋଇଥିଲେ ଚେନ୍ନାଇର ପ୍ଲେ ଅଫ୍ ଯିବା ଲାଗି ଗାଣିତିକ ସମ୍ଭାବନା ଥିଲା। ହେଲେ ରାଜସ୍ଥାନ ୮ ୱିକେଟ୍‌ରେ ବିଜେତା ହେବା ପରେ ଚେନ୍ନାଇର ଏହି ଆଶା ମଉଳି ଯାଇଥିଲା। ଚେନ୍ନାଇ ୨୦୧୦ ଓ ୨୦୧୧ରେ ଲଗାତାର ବିଜେତା ହୋଇଥିଲା। ଦୁଇ ବର୍ଷର ବାସନ୍ଦିଦେଶ ପରେ ଫେରି ଚେନ୍ନାଇ ୨୦୧୮ ମସିହାରେ ତୃତୀୟ ଥର ପାଇଁ ବିଜେତା ମୁକୁଟ ପିନ୍ଧିଥିଲା। ଚେନ୍ନାଇ ମଧ୍ୟ ୫ ଥର ଉପବିଜେତା ହୋଇଛି। ଚେନ୍ନାଇ ତା’ର ଶେଷ ଦୁଇ ମ୍ୟାଚ୍‌ରେ ଆସନ୍ତା ୨୯ ତାରିଖରେ କୋଲକାତା ନାଇଟ୍ ରାଇଡର୍ସ ଓ ନଭେମ୍ବର ପହିଲାରେ କିଙ୍ଗ୍ସ ଏକାଦଶ ପଞ୍ଜାବକୁ ଭେଟିବ।
ଦୁବାଇ, ୨୫|୧୦: ଚେନ୍ନାଇ ପ୍ଲେ ଅଫ୍ ଦୌଡ଼ରୁ ବାଦ ପଡ଼ିବା ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ମଧ୍ୟ ଢେର ବାଧିଛି। ଚଳିତ ଋତୁରେ ସେ ନିଜ ଜର୍ସିକୁ ଏକାଧିକ ଖେଳାଳିଙ୍କୁ ଦାନ କରିବା ପରେ ତାଙ୍କ ଆଇପିଏଲ୍ ଭବିଷ୍ୟତ ନେଇ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇଛି। ଏଥିନେଇ ଧୋନି କହିଛନ୍ତି ଯେ ଯେତେବେଳେ ଆପଣ ଭଲ କରନ୍ତି ନାହିଁ, ଏହା ନିଶ୍ଚିତ ଭାବେ ଆପଣଙ୍କୁ ବାଧେ। ସେତେବେଳେ ଭାବନାକୁ ନିୟନ୍ତ୍ରଣରେ ରଖିବା କଷ୍ଟକର ହୋଇଯାଏ। ତଥାପି ଲଢ଼ିବା ଛାଡ଼ ନାହିଁ ବୋଲି ମୁଁ ମୋ ଖେଳାଳିଙ୍କୁ ଆହ୍ବାନ କରିବି। ପ୍ରତିଯୋଗିତାରେ ‌ଆଉ ଯେଉଁ ୧୨ ଘଣ୍ଟାର ଯନ୍ତ୍ରଣାଦାୟକ ସମୟ ରହିଛି, ତାକୁ ମନଭରି ଉପଭୋଗ କର। ପଏଣ୍ଟ ଟେବୁଲରେ ଯେଉଁ ସ୍ଥାନରେ ଥିଲେ ମଧ୍ୟ ଖେଳକୁ ଉପଭୋଗ କରିବା ସବୁଠାରୁ ବଡ଼ କଥା। ଯଦି ଆପଣ କ୍ରିକେଟ୍‌କୁ ଉପଭୋଗ କରିବେ ନାହିଁ, ତାହାଲେ ଏହା ଯନ୍ତ୍ରଣା ଦାୟକ ଓ ଅବସାଦଭରା ହୋଇଯିବ। ଏଣୁ ଯୁବ ଖେଳାଳିମାନେ ଯେଭଳି ପ୍ରଦର୍ଶନ କଲେ ମୁଁ ସେଥିପାଇଁ ଗର୍ବିତ।

ତୁଟିଲା ୧୦ ଋତୁର ଧାରା
୨୦୦୮ର ଉଦଘାଟନୀ ଋତୁଠାରୁ ଆଇପିଏଲ୍‌ରେ ଚେନ୍ନାଇ ସୁପରକିଙ୍ଗ୍ସକୁ ଅନ୍ୟତମ ସଫଳ ଦଳର ମାନ୍ୟତା ମିଳେ। ଏହି ଦଳ ୧୦ ଥର ପ୍ଲେ ଅଫ୍ ଏବଂ ୮ ଥର ଫାଇନାଲ୍ ଖେଳିଛି। ୨୦୧୦ ଓ ୨୦୧୪ରେ ଚେନ୍ନାଇ ଚାମ୍ପିଅନ୍ସ ଲିଗ୍ ଟ୍ବେଣ୍ଟି-୨୦ରେ ମଧ୍ୟ ବିଜେତା ହୋଇଥିଲା। ୨୦୧୩ର ମ୍ୟାଚ୍ ଫିକ୍ସିଂ ଘଟଣା ପାଇଁ ଏହି ଦଳ ଅବଶ୍ୟ ୨୦୧୬ ଓ ୨୦୧୭ ଋତୁରୁ ବାସନ୍ଦ ହୋଇଥିଲା। ୨୦୦୮ରେ ଚେନ୍ନାଇ ସୁପରକିଙ୍ଗ୍ସ ଉପବିଜେତା, ୨୦୦୯ରେ ଚତୁର୍ଥ, ୨୦୧୦, ୧୧ରେ ବିଜେତା, ୨୦୧୨, ୨୦୧୩, ୨୦୧୪ ଓ ୨୦୧୫ରେ ଉପବିଜେତା ହୋଇଥିଲା। ୨୦୧୮ରେ ଦଳ ତା’ର ତୃତୀୟ ଆଇପିଏଲ୍ ଟ୍ରଫି ହାସଲ କରିଥିଲା। ଗତବର୍ଷ ଚେନ୍ନାଇ ଉପବିଜେତାରେ ସନ୍ତୁଷ୍ଟ ରହିଥିଲା। ସବୁଥର କିନ୍ତୁ ମହେନ୍ଦ୍ର ସିଂହ ଧୋନି ହିଁ ଦଳର ନେତୃତ୍ବ ନେଇଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ