ମୁମ୍ବାଇ: ଡାକ୍ତରଖାନା ଶଯ୍ୟା ଖାଲି ରଖିବା ଉଦ୍ଦେଶ୍ୟରେ କୋଭିଡ୍ ହସ୍ପିଟାଲ୍ରେ ସୁସ୍ଥ ହୋଇଥିବା ଏବଂ ଗୁରୁତ୍ୱପୂର୍ଣ୍ଣ ଚିକିତ୍ସା ଆବଶ୍ୟକ କରୁ ନ ଥିବା କୋଭିଡ୍-୧୯ ରୋଗୀମାନଙ୍କୁ ସ୍ଥାନାନ୍ତର କରିବା ଲାଗି ‘ବିଏମ୍ସି’ ଚାରି ଓ ପାଞ୍ଚ ତାରକା ହୋଟେଲ୍ କୋଠରି ଅଧିଗ୍ରହଣ କରିବା ଲାଗି ଯୋଜନା କରୁଛି।
ଏହି ହୋଟେଲ୍ କୋଠରିମାନଙ୍କରେ ରଖାଯିବାକୁ ଥିବା ରୋଗୀମାନଙ୍କର ଦେଖାଶୁଣା ନିମନ୍ତେ ପ୍ରମୁଖ କୋଭିଡ୍ ହସ୍ପିଟାଲ୍ରୁ କର୍ମଚାରୀମାନଙ୍କୁ ଅଣାଯିବ। ଏହାଛଡ଼ା, ସବୁବେଳେ ସେମାନଙ୍କର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଆଯିବ।

ଏହା ବ୍ୟତିରେକେ, ସାମାନ୍ୟ ଆକ୍ରାନ୍ତ ହୋଇଥିବା କୋଭିଡ୍-୧୯ ରୋଗୀ, ଯେଉଁମାନେ ଗୁରୁତ୍ୱପୂର୍ଣ୍ଣ ଚିକିତ୍ସା ଆବଶ୍ୟକ କରୁ ନ ଥିବେ ସେମାନଙ୍କ ଚିକିତ୍ସା ନିମନ୍ତେ ‘ବୃହନ୍ମୁମ୍ବାଇ ମ୍ୟୁନିସ୍ପାଲ୍ କର୍ପୋରେସନ୍’ (ବିଏମ୍ସି) କେତୋଟି ପାଞ୍ଚ ଓ ଚାରି ତାରକା ହୋଟେଲ୍ର ନାମ ଉଲ୍ଲେଖ କରିଛି।
ସେଗୁଡ଼ିକ ମଧ୍ୟରେ ରହିଛି, ମେରାଇନ୍ ଡ୍ରାଇଭ୍ ଅଞ୍ଚଳର ଇଣ୍ଟର୍କଣ୍ଟିନେଣ୍ଟାଲ୍ ଓ ଟ୍ରାଇଡେଣ୍ଟ୍ ହୋଟେଲ୍ ଏବଂ ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସ୍।
ତତ୍ତ୍ୱାବଧାନ ଆବଶ୍ୟକ କରୁଥିଲେ ମଧ୍ୟ ‘ଆଇସିୟୁ’ ଏବଂ ‘ଅମ୍ଳଜାନ’ ଯୋଗାଣ ଆବଶ୍ୟକ କରୁ ନ ଥିବା ରୋଗୀମାନଙ୍କୁ ଏହି ହୋଟେଲ୍କୁ ସ୍ଥାନାନ୍ତର କରାଯିବ। ଫଳରେ ସାଂଘାତିକ ଆକ୍ରାନ୍ତ ରୋଗୀମାନେ ଡାକ୍ତରଖାନାରେ ଶଯ୍ୟା ପାଇ ପାରିବେ।