କଲମ୍ବୋ: ଅଲ୍ରାଉଣ୍ଡର ଥିସାରା ପେରେରା କୌଣସି ବି ପେସାଦାର କ୍ରିକେଟ୍ ଫର୍ମାଟ୍ରେ ପ୍ରଥମ ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ୍ ଭାବେ ଗୋଟିଏ ଓଭରରେ ୬ ଛକା ମାରିବାର କୀର୍ତ୍ତିମାନ ରଚିଛନ୍ତି। ରବିବାର ଶ୍ରୀଲଙ୍କାର ମେଜର କ୍ଲବ୍ ପ୍ରତିଯୋଗିତାରେ ସେ ଏହି ସଫଳତା ହାତେଇଛନ୍ତି। ଶ୍ରୀଲଙ୍କା ଆର୍ମି ସ୍ପୋର୍ଟସ କ୍ଲବ୍ର ନେତୃତ୍ବ ନେଇଥିବା ପେରେରା ପଞ୍ଚମ ସ୍ଥାନରେ ବ୍ୟାଟିଂ କରିବାକୁ ଆସି ୧୩ ବଲ୍ରୁ ଅପରାଜିତ ୫୨ ରନ୍ କରିଥିଲେ। ଏହା ମଧ୍ୟ ଲିଷ୍ଟ-ଏ କ୍ରିକେଟ୍ରେ ଦ୍ବିତୀୟ ଦ୍ରୁତତମ ଅର୍ଦ୍ଧଶତକ ଥିଲା। ପୂର୍ବତନ ସିଂହଳୀ ଅଲ୍ରାଉଣ୍ଡର କୌଶଲ୍ୟ ବୀରାରତ୍ନେ ୨୦୦୫ରେ ୟୁଥ୍ କ୍ରିକେଟ୍ କ୍ଲବ୍ ବିପକ୍ଷରେ ୧୨ ବଲ୍ରୁ ଅର୍ଦ୍ଧଶତକ ହାସଲ କରି ଏବେ ବି ଦ୍ରୁତତମ କୀର୍ତ୍ତିମାନ ନିଜ ନାମରେ ରଖିଛନ୍ତି। ତାଙ୍କର ସେହି ୧୮ ବଲ୍ ୬୬ ରନ୍ ପାଳି ବେଳେ ବୀରାରତ୍ନେ ଗୋଟିଏ ଓଭରରେ ୫ ଛକା ସହିତ ମୋଟ ୮ ଛକା ଓ ୨ ଚୌକା ମାରିଥିଲେ। ରବିବାର ବ୍ଲୁମ୍ଫିଲ୍ଡ କ୍ରିକେଟ୍ ଓ ଆଥ୍ଲେଟିକ୍ କ୍ଲବ୍ ବିପକ୍ଷରେ ପେରେରା କାମଚଳା ସ୍ପିନର ତଥା ଅଭିଜ୍ଞ ପ୍ରଥମ ଶ୍ରେଣୀ କ୍ରିକେଟର୍ ଦିଲ୍ହାନ୍ କୁରେଙ୍କୁ ଗୋଟିଏ ଓଭରରେ ୬ ଛକା ମାରିଥିଲେ।
ଫଳରେ କୁାର ତାଙ୍କ ନିର୍ଦ୍ଧାରିତ ୪ ଓଭରରେ ୭୩ ରନ୍ ବ୍ୟୟ କରି ୱିକେଟ୍ଶୂନ୍ୟ ରହିଥିଲେ। ପେରେରା ମଧ୍ୟ ୨୦୨୧ରେ ୱେଷ୍ଟଇଣ୍ଡିଜ୍ ଅଲ୍ରାଉଣ୍ଡର ତଥା ଟି-୨୦ ଅଧିନାୟକ କିରଣ ପୋଲାର୍ଡଙ୍କ ପରେ ଏଭଳି ସଫଳତା ହାସଲ କରିବାରେ ଦ୍ବିତୀୟ କ୍ରିକେଟର୍ ହୋଇଛନ୍ତି। ମାତ୍ର ତିନି ସପ୍ତାହ ପୂର୍ବରୁ ପୋଲାର୍ଡ ମଧ୍ୟ ଶ୍ରୀଲଙ୍କା ବିପକ୍ଷ ଏକ ଟି-୨୦ ମ୍ୟାଚ୍ରେ ଅକିଲ ଧନଞ୍ଜୟଙ୍କୁ ଗୋଟିଏ ଓଭରରେ ୬ ଛକା ମାରିଥିଲେ। ମୋଟାମୋଟି ଭାବେ ପେସାଦାର କ୍ରିକେଟ୍ରେ ଏଭଳି ସଫଳତା ହାତେଇବାରେ ଗ୍ୟାରିଫିଲ୍ଡ ସୋବର୍ସ, ରବି ଶାସ୍ତ୍ରୀ, ହର୍ସେଲ୍ସ ଗିବ୍ସ, ଯୁବରାଜ ସିଂହ, ରନ୍ ହ୍ବିଟ୍ଲେ, ହାଜରୁତୁଲ୍ଲା ଜଜାଇ, ଲିଓ କାର୍ଟର ଓ ପୋଲାର୍ଡଙ୍କ ପରେ ନବମ କ୍ରିକେଟର୍ ହୋଇଛନ୍ତି।