ନୂଆଦିଲ୍ଲୀ,୨୨/୩: ଭାରତ ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜରେ ବିଜୟ ଲାଭ କରିଛି । କିନ୍ତୁ ଦଳକୁ ଏକ ବଡ ଝଟକା ଲାଗିଛି । ଦଳର ସମସ୍ତ ଖେଳାଳିଙ୍କ ଉପରେ ଜରିମାନା ଲାଗିଛି । ମନ୍ଥର ବୋଲିଂ କାରଣରୁ ଖେଳାଳିଙ୍କ ମ୍ୟାଚ୍ ଫି ୪୦ ପ୍ରତିଶତ କଟିଛି । କାରଣ ଦଳ ନିର୍ଣ୍ଣାୟକ ମୁକାବିଲାରେ ନିର୍ଦ୍ଦିଷ୍ଟ ସମୟ ସୁଦ୍ଧା ୨ ଓଭର କମ୍ ବୋଲିଂ କରିଥିଲା ।
ସିରିଜରେ ଦ୍ୱିତୀୟ ଥର ପାଇଁ କୋହଲିଙ୍କ ନେତୃତ୍ୱାଧିନ ଟିମ୍ ଉପରେ ଜରିମାନା ଲାଗିଛି । ଏହାପୂର୍ବରୁ ଦ୍ୱିତୀୟ ଟି୨୦ରେ ଦଳ ନିର୍ଦ୍ଦିଷ୍ଟ ସମୟ ସୁଦ୍ଧା ୧ ଓଭର କମ୍ ବୋଲିଂ କରିଥିଲା । ମ୍ୟାଚ୍ ରେଫରୀ ଓ ଟିମ୍ ଇଣ୍ଡିଆର ପୂର୍ବତନ ଦ୍ରୁତ ବୋଲର ଜାଭାଗଲ ଶ୍ରୀନାଥ ଏହି ଜରିମାନା ଲଗାଇଛନ୍ତି ।
ଆଇସିସି ଏକ ବୟାନ ଜାରି କରି କହିଛି ଯେ, ଖେଳାଳି ଓ ସହଯୋଗୀ ଷ୍ଟାଫ୍ ଆଇସିସି ଆଚାର ସଂହିତାର ଅନୁଚ୍ଛେଦ ୨.୨୨ ଆଧାରରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ପ୍ରତି ଓଭରରେ ଧିମା ବୋଲିଂ ପାଇଁ ୨୦ ପ୍ରତିଶତ ଜରିମାନା ଲାଗୁ ହୁଏ । ଭାରତ ୨ ଓଭର ମନ୍ଥର ବୋଲିଂ କରିଛି । ତେଣୁ ୪୦ ପ୍ରତିଶତ ମ୍ୟାଚ୍ ଫି କଟିଛି ।
ଫିଲ୍ଡ ଅମ୍ପାୟାର ଅନିଲ ଚୌଧରୀ, ନୀତିନ ମେନନ ଓ ତୃତୀୟ ଅମ୍ପାୟାର କେଏନ ଅନନ୍ତପଦ୍ମନାଭନ ଏନେଇ ମ୍ୟାଚ୍ ରେଫରୀଙ୍କୁ ଅଭିଯୋଗ କରିଥିଲେ । ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଜରିମାନା ସ୍ୱୀକାର କରିଛନ୍ତି ।