ମୁମ୍ବାଇ ୧୮/୦୩: ନିକଟରେ ଅଭିନେତ୍ରୀ ପ୍ରୀୟଙ୍କା ଚୋପ୍ରା ସ୍ୱାମୀ ନିକ୍ ଜୋନାସଙ୍କ ସହିତ ୯୩ ତମ ଏକାଡେମୀ ଆୱାର୍ଡସ ନୋମିନେସନ୍ ର ଘୋଷଣା କରିଥିଲେ । କିନ୍ତୁ ଜଣେ ବିଦେଶୀ ସାମ୍ବାଦିକ ଓସ୍କାର ନୋମିନେସନ୍ ପାଇଁ ପ୍ରିୟଙ୍କାଙ୍କ ଯୋଗ୍ୟତା ଉପରେ ପ୍ରଶ୍ନ ଉଠାଇଛନ୍ତି । ଅଭିନେତ୍ରୀ ମଧ୍ୟ ତାଙ୍କୁ ଉଚିତ୍ ଜବାବ ଦେଇଛନ୍ତି । ଯାହାକୁ ନେଇ ଲୋକମାନେ ନିଜର ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି ।
ବାଦେଶୀ ଏଣ୍ଟରଟେନମେଣ୍ଟ ସାମ୍ବାଦିକ ପିଟର ଫୋର୍ଡ ଏକ ଟ୍ୱିଟ୍ କରିଛନ୍ତି । ଯେଉଁଥିରେ ସେ ପ୍ରିୟଙ୍କା-ନିକଙ୍କର ଓସ୍କାର ଆୱାର୍ଡ ନୋମିନେସନ୍ ପରେ ଏକ ଫଟୋ ସେୟାର କରି ଲେଖିଛନ୍ତି, ଏହି ଦୁଇଜଣଙ୍କୁ ମୁଁ କୌଣସି ଅସମ୍ମାନ କରୁନାହିଁ, କିନ୍ତୁ ମୋତେ ଲାଗୁନି ଫିଲ୍ମରେ ତାଙ୍କର ଅବଦାନ ସେମାନଙ୍କୁ ଓସ୍କାର ନାମାଙ୍କନ ଘୋଷଣା କରିବାରେ ସକ୍ଷମ କରୁଛି ।
ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସାମ୍ବାଦିକଙ୍କ ଏହି ଟ୍ୱିଟକୁ ଉପଯୁକ୍ତ ଜବାବ ଦେଇ ଲେଖିଛନ୍ତି, ‘କେହି ଜଣେ ଯୋଗ୍ୟତା କିପରି ହାସଲ କରିଥାଏ, ଏହି ବିଷୟରେ ମୁଁ ଆପଣଙ୍କ ମତାମତ ଜାଣିବାକୁ ଚାହେଁ । ଆପଣଙ୍କ ଧ୍ୟାନ ପାଇଁ ଏଠାରେ ୬୦ ରୁ ଅଧିକ ଫିଲ୍ମର ତାଲିକା ଅଛି । ‘ ଏହି ଟୁଇଟ୍ ମାଧ୍ୟମରେ ଅଭିନେତ୍ରୀ ତାଙ୍କ ଫିଲ୍ମର ସମ୍ପୂର୍ଣ୍ଣ ଲିଷ୍ଟ ମଧ୍ୟ ସେୟାର କରିଛନ୍ତି । ଯେତେବେଳେ ପ୍ରିୟଙ୍କା ଏହା ଉପରେ ପିଟର ଫୋର୍ଡଙ୍କୁ ଜବାବ ଦେଇଥିଲେ, ସାମ୍ବାଦିକ ମଧ୍ୟ ତାଙ୍କ ଟ୍ୱିଟକୁ ଡିଲିଟ୍ କରିଦେଇଥିଲେ ।
ଏହା ବ୍ୟତୀତ ଫିଲ୍ମ ରାଇଟର୍ ଅପୂର୍ବ ଅସରାନୀ ପିଟରଙ୍କ ଟ୍ୱିଟରେ ଆଶ୍ଚର୍ଯ୍ୟ ହୋଇ ଲେଖିଛନ୍ତି, ‘ଯୋଗ୍ୟ? ପ୍ରିୟଙ୍କା ଚୋପ୍ରା ୮୦ ଟି ଫିଲ୍ମରେ ଅଭିନୟ କରିଛନ୍ତି, ସେଥିମଧ୍ୟରୁ ୧୩ ଟି ଫିଲ୍ମର ସେ ନିର୍ମାତା । ତାଙ୍କର ପୂର୍ବ ଫିଲ୍ମ ଗୁଡିକ ବାଫଟା ଏବଂ ଓସ୍କାର ପାଇଁ ମନୋନୀତ ହୋଇଛି । ସେ ଟାଇମ୍ସର ୧୦୦ ସବୁଠାରୁ ପ୍ରଭାବଶାଳୀ ଲୋକ ଏବଂ ଫୋର୍ବସ୍ ର ୧୦୦ ଶକ୍ତିଶାଳୀ ମହିଳାଙ୍କ ତାଲିକାରେ ଅଛନ୍ତି ।’ ଏହା ବ୍ୟତୀତ ପ୍ରିୟଙ୍କାଙ୍କ ଫ୍ୟାନ୍ସମାନେ ମଧ୍ୟ କ୍ରମାଗତ ଭାବରେ ପିଟର ଫୋର୍ଡକୁ ଟ୍ରୋଲ କରୁଛନ୍ତି ।

