କଳା ଓ ସଂସ୍କୃତି ଧର୍ମ

ଷଡ଼ଜୟନ୍ତୀ: କେଉଁ ଛଅ?

‘ଜୟନ୍ତୀ’ ଇନ୍ଦ୍ରଙ୍କ କନ୍ୟା ଓ ଦେବୀ ଦୁର୍ଗାଙ୍କର ଏକ ନାମ। କିନ୍ତୁ ଆମେ ‘ଜୟନ୍ତୀ’ କହିଲେ ମୁଖ୍ୟତଃ ଜନ୍ମଦିନକୁ ବୁଝିଥାଉ। ‘ଜୟନ୍ତୀ’ର ଆଉ କେତୋଟି ଅର୍ଥ ମଧ୍ୟ ଅଛି। ସେଥି ମଧ୍ୟରୁ ଗୋଟିଏ ଅର୍ଥ ହେଉଛି- ପତାକା। ଫଳିତ ଜ୍ୟୋତିଷ ଅନୁସାରେ, ଶ୍ରାବଣ କୃଷ୍ଣ ଅଷ୍ଟମୀ ମଧ୍ୟରାତ୍ରିର ରୋହିଣୀ ନକ୍ଷତ୍ରଯୁକ୍ତ ତିଥିକୁ ମଧ୍ୟ ‘ଜୟନ୍ତୀ’ କୁହାଯାଏ।
ଜନ୍ମତିଥିକୁ ‘ଜୟନ୍ତୀ’ ରୂପେ ଗ୍ରହଣ କରି, ହିନ୍ଦୁମାନେ ବର୍ଷରେ ଯେଉଁ ଛଅଟି ଜନ୍ମଦିନ ପାଳନ କରନ୍ତି- ତାହା ‘ଷଡ଼ଜୟନ୍ତୀ’ ଭାବରେ ଖ୍ୟାତ। ଏହାକୁ ନେଇ ‘ଷଡଜୟନ୍ତୀ ବ୍ରତ’ ମଧ୍ୟ ପାଳିତ ହୋଇଥାଏ।
ଓଡ଼ିଆ ଓଷାବ୍ରତ ମଧ୍ୟରେ ‘ଷଡ଼ଜୟନ୍ତୀ ବ୍ରତ’ କଥା ଅଛି। ସେଥି ମଧ୍ୟରୁ ଗୋଟିଏରେ ଦୁଇଟି ଧର୍ମର କଥା କୁହାଯାଇଛି। ପ୍ରଥମଟି ‘ସ୍ମାର୍ତ୍ତ’ ଓ ଦ୍ୱିତୀୟଟି ‘ପରମାର୍ଥ’। ‘ସ୍ମାର୍ତ୍ତ’ ଧର୍ମ ହେଉଛି ସ୍ମୃତିଶାସ୍ତ୍ରରେ କଥିତ ଧର୍ମ। ‘ପରମାର୍ଥ’ ଧର୍ମ ପରଂବ୍ରହ୍ମଙ୍କ ସହିତ ସଂପୃକ୍ତ। ସେଥିରେ ‘ଷଡ଼ଜୟନ୍ତୀ’ ସଂପର୍କରେ ଥିବା ବର୍ଣ୍ଣନା ଏହିପରି-
ସ୍ମାର୍ତ୍ତ ଧର୍ମରେ ମନୁଷ୍ୟର। ଜୟନ୍ତୀ ହୋଏ ଛ ପ୍ରକାର।।
ଶିବ ଦୁର୍ଗାର ବ୍ରତ ଦୁଇ। ରାମ ନୃସିଂହ ଜନ୍ମ ହୋଇ।।
ଶ୍ରୀକୃଷ୍ଣ ଜନ୍ମ ବ୍ରତ ଆର। ବାମନ ଜନ୍ମ ଛ ପ୍ରକାର।।
ଏଥିରୁ ସ୍ପଷ୍ଟ ଯେ ଶିବଚତୁର୍ଦ୍ଦଶୀ, ଦୁର୍ଗାଷ୍ଟମୀ, ରାମନବମୀ, ନୃସିଂହଚତୁର୍ଦ୍ଦଶୀ, ଜନ୍ମାଷ୍ଟମୀ ଓ ବାମନଦ୍ୱାଦଶୀ- ଏହି ଛଅଟି ହେଉଛି ଷଡ଼ଜୟନ୍ତୀ। ଏହି ତିଥିଗୁଡ଼ିକରେ ଯଥାକ୍ରମେ ଶିବ, ଦୁର୍ଗା, ରାମ, ନୃସିଂହ, କୃଷ୍ଣ ଓ ବାମନଙ୍କର ଆବିର୍ଭାବ ଘଟିଥିଲା।
‘ଷଡ଼ଜୟନ୍ତୀ ବ୍ରତ’କଥାରେ, ‘ସ୍ମାର୍ତ୍ତ ଷଡ଼ଜୟନ୍ତୀ ବ୍ରତ’ ପରି ‘ପରମାର୍ଥ ଷଡ଼ଜୟନ୍ତୀ ବ୍ରତ’ର ଉଲ୍ଲେଖ ମଧ୍ୟ ଅଛି।
ସେଥିରେ କୁହାଯାଇଛି-
ପରମାର୍ଥରେ ମନୁଷ୍ୟର। ବ୍ରତ ଗଣନା ଏ ପ୍ରକାର।।
ଶ୍ରୀରାଧା ଚୈତନ୍ୟ ପ୍ରଭୁର। ବ୍ରତ କରନ୍ତି ଦି’ ପ୍ରକାର।।
ରାମ ନୃସିଂହ ଶ୍ରୀକୃଷ୍ଣର। କରନ୍ତି ଜନ୍ମ ବ୍ରତ ନର।।
ବାମନ ଜନ୍ମକୁ ହିଁ ପୁଣ୍ୟ। ଘେନିଣ ଷଷ୍ଠ ପ୍ରକାରେଣ।।
ଏଣୁ ପରମାର୍ଥ ଷଡ଼ଜୟନ୍ତୀ ହେଉଛି- ରାମ, ନୃସିଂହ, ଶ୍ରୀକୃଷ୍ଣ ଓ ବାମନଙ୍କ ସହିତ, ରାଧା ଓ ଚୈତନ୍ୟଙ୍କ ଜନ୍ମତିଥିର ବ୍ରତ।
କିନ୍ତୁ ହିନ୍ଦୁମାନେ ମୁଖ୍ୟତଃ ସ୍ମାର୍ତ୍ତ ମତର ଷଡ଼ଜୟନ୍ତୀକୁ ହିଁ ବ୍ରତ ଭାବରେ ପାଳନ କରିଥାଆନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ