ନୂଆଦିଲ୍ଲୀ,୧୬/୦୩ : ଭାରତୀୟ ଦଳର ଦ୍ରୁତ ବୋଲର ଜସପ୍ରିତ ବୁମରାହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ସେ ଟିଭି ଆଙ୍କର ସଞ୍ଜନା ଗଣେଶନଙ୍କୁ ବିବାହ କରିଛନ୍ତି । ଉଭୟ କେବଳ ପରିବାର ଲୋକ ଏବଂ କମ୍ ଅତିଥିଙ୍କ ଉପସ୍ଥିତିରେ ପରସ୍ପରର ହାତ ଧରିଛନ୍ତି ।
ବୁମରାହ କ୍ରିକେଟ ଦୁନିଆର ଜଣେ ପରିଚିତ ଖେଳାଳି । ସେ ସର୍ବଶ୍ରେଷ୍ଠ ଦ୍ରୁତ ବୋଲର ମଧ୍ୟ । ସେ ଭାରତକୁ ଅନେକ ଥର ବିଜୟର ଉପହାର ଦେଇଛନ୍ତି । ସେ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ତରଫରୁ ଖେଳିଥାନ୍ତି । ତାଙ୍କ ପତ୍ନୀ ସଞ୍ଜନା ମଧ୍ୟ ଲୋକପ୍ରିୟ ।
ସଞ୍ଜନା ୨୦୧୪ରେ ମିସ୍ ଇଣ୍ଡିଆ ଟାଇଟଲ୍ ଜିତିଥିଲେ । ଏପରିକି ସେ ଏମଟିଭି ସ୍ପ୍ଲିଟସ୍ ଭିଲ୍ଲାରେ ମଧ୍ୟ ଅଂଶ ଗ୍ରହଣ କରିଥିଲେ । ପରେ ସେ କିଛି ବର୍ଷ କ୍ରିକେଟ ପ୍ରେଜେଣ୍ଟର ଭାବେ କାମ କରିଛନ୍ତି । କ୍ରିକେଟ ବ୍ୟତୀତ ସେ ବ୍ୟାଡମିଣ୍ଟନ ଓ ଫୁଟବଲ ଇଭେଣ୍ଟରେ ହୋଷ୍ଟ୍ କରିଛନ୍ତି ।
ସଞ୍ଜନା ମ୍ୟାନେଜମେଣ୍ଟ ଗୁରୁ ଗଣେଶନ ରାମାସ୍ୱାମୀଙ୍କ ଝିଅ । ରାମାସ୍ୱାମୀ ପୁଣେ ସ୍ଥିତ ଆଲାନା ଇନଷ୍ଟିଚ୍ୟୁଟ୍ ଅପ୍ ମ୍ୟାନେଜମେଣ୍ଟ ସାଇନ୍ସେସର ନିର୍ଦ୍ଦେଶକ ଅଟନ୍ତି । ସଞ୍ଜନା ସିମ୍ବଏସିସ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକନୋଲୋଜିରୁ ଇଞ୍ଜିନିୟରିଂ କରିବା ପରେ ମଡେଲିଂରେ ପାଦ ଦେଇଥିଲେ । ଏପରିକି ସେ ୩ ବର୍ଷ ଧରି ଆଇପିଏଲ ଟିମ୍ କେକେଆର ସହ ଯୋଡି ରହିଥିଲେ ।
ବୁମରାହ ଓ ସଞ୍ଜନାଙ୍କ ଲଭ୍ ଷ୍ଟୋରୀ କ୍ରିକେଟ ଷ୍ଟାଡିୟମରୁ ଆରମ୍ଭ ହୋଇଥିଲା । ଉଭୟ ଆଇପିଏଲରେ ସାକ୍ଷାତ କରିଥିଲେ । ପରେ ଉଭୟ ବନ୍ଧୁ ହୋଇତିଲେ । ଏପରିକି ଉଭୟଙ୍କର ୨୦୨୦ମସିହାର ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ସଞ୍ଜନା ବୁମରାହଙ୍କ ସାକ୍ଷାତକାର ନେଉଛନ୍ତି । ବିସିସିଆଇର ଏକ କାର୍ଯ୍ୟକ୍ରମରେ ଏହି ଭିଡିଓ ସୁଟ୍ କରାଯାଇଥିଲା ।

