ଉତ୍ତରପ୍ରଦେଶ ୦୪/୦୩: ଭାରତୀୟ ସଂସ୍କୃତି ଧିରେ ଧିରେ ଲୋପ ପାଇବାକୁ ବସିଛି। ପୂର୍ବ ସମୟରେ, ପିଲାମାନେ ବିଦ୍ୟାଳୟରେ ସଂସ୍କୃତ ଅଧ୍ୟୟନ କରିବା ନିହାତି ଆବଶ୍ୟକ ଥିଲା, କିନ୍ତୁ ବର୍ତ୍ତମାନ ପିଲାମାନେ ଭାରତର ଭାଷା ନୁହେଁ ବରଂ ଇଂରାଜୀ, ସ୍ପେନ୍ ଏବଂ ଫରାସୀ ଶିଖିବାକୁ ଭଲ ପାଉଛନ୍ତି । ନିକଟରେ ସୋସିଆଲ ମିଡିଆରେ ସ୍ପେନର ମାରିଆଙ୍କ ନାମ ଖୁବ୍ ଭାଇରାଲ ହେବାରେ ଲାଗିଛି । ବାସ୍ତବରେ, ସ୍ପେନର ମାରିଆ ହିନ୍ଦୀ, ଇଂରାଜୀ, ଜର୍ମାନ, ସ୍ପାନିଶ୍ ଭାଷା କହିବା ସହିତ ସେ ସଂସ୍କୃତକୁ ଏତେ ଭଲଭାବେ କୁହନ୍ତି ଯେ, ସେ ଭାରତୀୟ ଛାତ୍ରମାନଙ୍କୁ ପଛରେ ପକାଇ ଉତ୍ତରପ୍ରଦେଶର ବାରାଣାସୀର ସମ୍ପୁର୍ଣ୍ଣାନନ୍ଦ ସଂସ୍କୃତ ବିଶ୍ୱବିଦ୍ୟାଳୟର ସମାରୋହରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ।
ସୂଚନା ଅନୁଯାୟୀ, ମାରିଆ ଏହା ପୂର୍ବରୁ ଏୟାର ହୋଷ୍ଟେସ୍ ଭାବରେ କାମ କରୁଥିଲେ, କିନ୍ତୁ ସଂସ୍କୃତ ଶିଖିବା ଆଉ ତାହା ବିଷୟରେ ଅଧିକ ଜାଣିବା ପାଇଁ ତାଙ୍କର ସର୍ବଦା ଆଗ୍ରହ ରହିଥିଲା ଏବଂ ଏଥି ପାଇଁ ସେ ଏୟାର ହୋଷ୍ଟେସ୍ ଚାକିରି ଛାଡି ଦେଇଥିଲେ । ମାରିଆ ପ୍ରଥମେ ଗୁରୁକୁଲ ଟ୍ରଷ୍ଟରେ ରହି ସଂସ୍କୃତ ଜ୍ଞାନ ଅଧ୍ୟୟନ କରିଥିଲେ ଏବଂ ତା’ପରେ ସେ ବିଶ୍ୱବିଦ୍ୟାଳୟରେ ନାମ ଲେଖାଇଥିଲେ ।
ମାରିଆଙ୍କର କେବଳ ଗୋଟିଏ ସ୍ୱପ୍ନ, ସେ ଏହି ଭାଷାକୁ ଅନ୍ୟ ଲୋକଙ୍କ ମଧ୍ୟରେ ବିସ୍ତାର କରିବେ ଏବଂ ଜଣେ ଶିକ୍ଷୟତ୍ରୀ ହୋଇ ଏହି କାର୍ଯ୍ୟ କରିବେ। ମାରିଆଙ୍କ ସମସ୍ତ ପରିବାର ସ୍ପେନରେ ରୁହନ୍ତି । ସେ କାଶୀଙ୍କୁ ଖୁବ୍ ଭଲ ପାଉଥିବାରୁ କାଶୀ ଆସି ସଂସ୍କୃତ ଶିଖିଛନ୍ତି । ମାରିଆଙ୍କୁ ରାଜ୍ୟପାଳ ଆନନ୍ଦିବେନ୍ ପଟେଲ ସ୍ୱର୍ଣ୍ଣ ପଦକ ଏବଂ ପ୍ରମାଣପତ୍ର ଦେଇ ସମ୍ମାନିତ କରିଛନ୍ତି । ମାରିଆଙ୍କୁ ରାଜ୍ୟପାଳ ପ୍ରଶଂସା କରି କହିଛନ୍ତି, ‘ଏହି ପଦକ କୌଣସି ଭାଷା ଏବଂ ଗୋଟିଏ ବିଷୟକୁ ଦିଆଯାଇ ନାହିଁ, ଏହି ପଦକ ଆମ ଭାରତୀୟ ସଂସ୍କୃତି କେତେ ଅଗ୍ରଗତି କରୁଛି ତାହା ଦର୍ଶାଉଛି ।‘
ମାରିଆଙ୍କ ଅନୁଯାୟୀ ସଂସ୍କୃତ ହେଉଛି ସେହି ଭାଷା ଯେଉଁଥିରେ ସମଗ୍ର ଜଗତର ଜ୍ଞାନ ରହିଛି । ସେଥିପାଇଁ ସେ ସ୍ପେନରୁ ସଂସ୍କୃତ ଅଧ୍ୟୟନ ପାଇଁ କାଶୀରେ ଥିବା ସାମ୍ପୁର୍ଣ୍ଣାନନ୍ଦ ସଂସ୍କୃତ ବିଶ୍ୱବିଦ୍ୟାଳୟକୁ ଆସି ଆଡମିଶନ ନେଇଥିଲେ । କେବଳ ଏତିକି ନୁହେଁ, ମାରିଆ ଗୁରୁମାନଙ୍କ ଆଶୀର୍ବାଦ ସହିତ ଆଚାର୍ଯ୍ୟାର ଆଖ୍ୟା ପାଇଛନ୍ତି । ଏବେ ସେ ସ୍ପେନ୍ ରେ ମଧ୍ୟ ସଂସ୍କୃତ ଭାଷାର ପ୍ରଚାର କରିବେ ।

