ଖେଳ ଦେଶ ବିଦେଶ

ଚକ୍ରବର୍ତ୍ତୀଙ୍କ ୫ ୱିକେଟ୍ ଚମକ, ଦିଲ୍ଲୀକୁ ଦୋହଲାଇଲା କୋଲକାତା

ଆବୁଧାବି: ପୂର୍ବ ବିଜେତା କୋଲକାତା ନାଇଟ୍ ରାଇଡର୍ସ (କେକେଆର୍‌) ଧୀରେ ଧୀରେ ଲୟ ଫେରି ପାଇବା ଆରମ୍ଭ କରିଛି। ଶନିବାର ଚଳିତ ଆଇପିଏଲ୍‌ର ଅନ୍ୟତମ ଶୃଙ୍ଖଳିତ ତଥା ସଫଳ ଦଳ ଦିଲ୍ଲୀ କ୍ୟାପିଟାଲ୍ସକୁ ୫୯ ରନ୍‌ର ବଡ଼ ବ୍ୟବଧାନରେ ହରାଇ କେକେଆର୍‌ ପ୍ଲେ ଅଫ୍ ଖେଳିବା ଆଶାକୁ ବି କାୟମ ରଖିଛି। ସ୍ପିନର୍‌ ବରୁଣ ଚକ୍ରବର୍ତ୍ତୀ (୪-୦-୨୦-୫)ଙ୍କ ପାଞ୍ଚ ୱିକେଟ୍ ସଫଳତା ହିଁ ଶକ୍ତିଶାଳୀ ଦିଲ୍ଲୀ ହାରିବାର ପ୍ରମୁଖ କାରଣ ପାଲଟିଛି। ଟସ୍ ଜିତି କେକେଆର୍‌କୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିବା ମଧ୍ୟ ଦିଲ୍ଲୀ ପାଇଁ ବୁମେରାଂ ସାବ୍ୟସ୍ତ ହୋଇଛି। ଶନିବାରର ଏକତରଫା ବିଜୟ ପରେ କେକେଆର୍‌ ୧୧ ମ୍ୟାଚ୍‌ରୁ ୧୨ ପଏଣ୍ଟ୍‌ରେ ପହଞ୍ଚିଯାଇଛି। ସେପଟେ ସମାନ ସଂଖ୍ୟକ ମ୍ୟାଚ୍‌ରୁ ଚତୁର୍ଥ ପରାଜୟ ବରଣ କରିଥିବା ଦିଲ୍ଲୀ ୧୪ ପଏଣ୍ଟ୍‌ରେ ଅପରିବର୍ତ୍ତିତ ରହିଛି। କେକେଆର୍‌ ଆଜି ନିର୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୧୯୪ ରନ୍ କରିଥିଲା। ଏହାର ଜବାବରେ ଦିଲ୍ଲୀ ମାତ୍ର ୧୩୫/୯ରେ ଅଟକି ଯାଇଥିଲା।

୧୯୫ ରନ୍‌ର ବିଜୟ ଲକ୍ଷ୍ୟ ନେଇ ଖେଳିଥିବା ଦିଲ୍ଲୀ କ୍ୟାପିଟାଲ୍ସର ଅଧିକାଂଶ ବ୍ୟାଟ୍ସମ୍ୟାନ୍ ବରୁଣଙ୍କ ସ୍ପିନ୍‌ ଚାଲ୍‌କୁ ବୁଝି ନପାରି ନିଜ ନିଜ ୱିକେଟ୍ ଫିଙ୍ଗି ଦେଇଥିଲେ। ତେବେ ଅଷ୍ଟ୍ରେଲୀୟ ପ୍ୟାଟ୍ କମିନ୍ସ ଦେଇଥିବା ଯୁଗଳ ପ୍ରାରମ୍ଭିକ ଝଟ୍‌କା ଏହି ଦଳର ପଶ୍ଚାତଧାବନକୁ ଆରମ୍ଭରୁ ପଥଚ୍ୟୁତ କରିଥିଲା। ମ୍ୟାଚ୍‌ର ପ୍ରଥମ ବଲ୍‌ରେ ଅଜିଙ୍କ୍ୟ ରାହ‌ାଣେ (୦) ଙ୍କୁ ଏଲ୍‌ବିଡବ୍ଲ୍ୟୁ କରିଥିବା କମିନ୍ସ ତୃତୀୟ ଓଭରର ତୃତୀୟ ବଲ୍‌ରେ ଶିଖର ଧାୱନ (୬)ଙ୍କୁ କ୍ଲିନ୍ ବୋଲ୍ଡ କରି କେକେଆର୍‌ ପଲ୍ଲା ଭାରି କରି ଦେଇଥିଲେ। ଅଧିନାୟକ ଶ୍ରେୟସ୍ ଆୟର (୪୭) ଓ ଋଷଭ ପନ୍ତ (୨୭) କ୍ରିଜ୍‌ରେ ଥିଲା ବେଳେ ଦିଲ୍ଲୀ ପାଇଁ ଆଶା ଥିଲା। ଏହି ଦୁଇ ଜଣ ରନ୍ ହାର ବଢ଼ାଇବା ଲୋଭରେ ପ୍ୟାଭିଲିୟନ ଫେରିବା ପରେ ଦଳର ପରାଜୟ ଏକପ୍ରକାର ପକ୍କା ହୋଇ ଯାଇଥିଲା। ଗୋଟିଏ ଓଭରରେ ଆୟର ଓ ସିମରନ୍ ହେଟମେୟର (୧୦)ଙ୍କୁ ଆଉଟ୍ କରିବା ସହ ନିଜ ଆଇପିଏଲ୍ ଜୀବନରେ ପ୍ରଥମ ପାଞ୍ଚ ୱିକେଟ୍ ସଫଳତା ହାସଲ କରି କେକେଆର୍‌କୁ ମହତ୍ବପୂର୍ଣ୍ଣ ବିଜୟ ଉପହାର ଦେଇଥିଲେ ଚକ୍ରବର୍ତ୍ତୀ। ‌ସନ୍ଦେହାତ୍ମକ ବୋଲିଂ ଶୈଳୀ ପାଇଁ କିଛି ମ୍ୟାଚ୍ ଖେଳି ପାରିନଥିବା ସୁନିଲ ନାରାୟଣଙ୍କ ନୂ୍ଆ ଆକ୍ସନ ମଧ୍ୟ ମ୍ୟାଚ୍‌ର ଅନ୍ୟତମ ଆକର୍ଷଣ ଥିଲା। ସେ କିନ୍ତୁ ଏଥର ମହଙ୍ଗା ସାବ୍ୟସ୍ତ ହୋଇ ୪ ଓଭରରେ ୩୭ ରନ୍ ବ୍ୟୟ କରିଥିଲେ।
ପୂର୍ବରୁ କେକେଆର୍‌ ମଧ୍ୟ ଅନୁରୂପ ଭାବେ ପ୍ରାରମ୍ଭିକ ବିଫଳତାର ସମ୍ମୁଖୀନ ହୋଇଥିଲା। ୧୧ ରନ୍‌ରେ ଶୁଭମନ ଗିଲ୍‌ (୯) ଏବଂ ୪୨ ରନ୍‌ରେ ୩ ଜଣ ଶୀର୍ଷକ୍ରମ ବ୍ୟାଟରଙ୍କୁ ହରାଇ ସଙ୍କଟରେ ପଡ଼ିଥିଲା। ତେବେ ନୀତିଶ ରାଣା (୮୧) ଓ ସୁନିଲ ନାରାୟଣ (୬୪) ମଧ୍ୟରେ ହୋଇଥିବା ୧୧୫ ରନ୍‌ର ଦ୍ରୁତ ଓ ଦମଦାର ଚତୁର୍ଥ ୱିକେଟ୍ ଭାଗୀଦାରି ପାଇଁ କେକେଆର୍‌ ଦୃଢ଼ ସ୍ଥିତିରେ ପହଞ୍ଚି ଯାଇଥିଲା। ଶେଷ ଆଡ଼କୁ ଅଧିନାୟକ ଇଅନ ମୋର୍ଗାନ ମାତ୍ର ୯ ବଲ୍‌ରୁ ବିସ୍ଫୋରକ ୧୭ ରନ୍ କରିଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ