ପୁରୀ ୧୦।୦୨: କରୋନା ମହାମାରୀ ପାଇଁ ଶ୍ରୀମନ୍ଦିର ବନ୍ଦ ଥିଲା । ଦୀର୍ଘ ୯ମାସ ପରେ ଏବ ଶ୍ରୀମନ୍ଦିର ଖୋଲିଛି । ଏଥିପାଇଁ ସ୍ୱତନ୍ତ୍ର ଏସ୍ଓପି ଜାରି କରାଯାଇଥିଲା । କିନ୍ତୁ ଏବ ସେହି ଏସଓପିରେ ପରିବର୍ତ୍ତନ କରାଯିବାର ସମ୍ଭାବନା ରହିଛି । ରଥ ନିର୍ମାଣ ଅନୁକୂଳ, ଚନ୍ଦନଯାତ୍ରା, ସ୍ନାନଯାତ୍ରା, ରଥଯାତ୍ରା, ସନ୍ଧ୍ୟା ଦର୍ଶନ, ବାହୁଡ଼ାଯାତ୍ରା, ରଥ ଉପରେ ସୁନାବେଶ, ନାଗାବେଶ ଦର୍ଶନରୁ ଭକ୍ତମାନେ ଚଳିତବର୍ଷ ବଞ୍ଚିତ ହୋଇଛନ୍ତି । ଏବେ ପୁଣି ଥରେ ଆଶଙ୍କା ଜାତ ହୋଇଛି ମହାପ୍ରଭୁଙ୍କ ପଦ୍ମବେଶ ଦର୍ଶନରୁ ଭକ୍ତ ବଞ୍ଚିତ ହେବେ ।
ଶ୍ରୀମନ୍ଦିର ଦର୍ଶନ ପାଇଁ ରାଜ୍ୟ ସରକାର କୋଭିଡ୍ ଗାଇଡଲାଇନରେ ମାସର ପ୍ରତି ରବିବାର ଶ୍ରୀମନ୍ଦିର ଦର୍ଶନ ବନ୍ଦ ରଖିବାକୁ ଏସ୍ଓପି ଜାରି କରିଛନ୍ତି । ଏହି ଦିନ ଶ୍ରୀମନ୍ଦିରକୁ ସାନିଟାଇଜ କରାଯିବା ସହ ସାଧାରଣ ଦର୍ଶନକୁ ବନ୍ଦ ରଖିବା ଏସ୍ଓପିରେ ସୂଚନା ରହିଛି । ତେଣୁ କଟକଣା ଆଗାମୀ ରବିବାର ଦିନକ ପାଇଁ ହଟା ନଗଲେ ଭକ୍ତମାନେ ପଦ୍ମବେଶ ଦର୍ଶନରୁ ବଞ୍ଚିତ ହେବା ନେଇ ଭକ୍ତ ଚିନ୍ତାରେ ରହିଛି । ଆସନ୍ତା ରବିବାର ଦର୍ଶନ ବନ୍ଦ କଟକଣାକୁ ସାମାନ୍ୟ କୋହଳ କରିବାକୁ ବିଚାର ବିମର୍ଶ ଚାଲିଛି । ବର୍ତ୍ତମାନ ପର୍ଯ୍ୟନ୍ତ କିଛି ସ୍ପଷ୍ଟ ସୂଚନା ମିଳିନାହିଁ ।
ଶ୍ରୀମନ୍ଦିର ନୀତି ପ୍ରଶାସକ ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ରବିବାର ଏସ୍ଓପି ମୁତାବକ ପଦ୍ମବେଶ ଦର୍ଶନ ବନ୍ଦ ରହିବ । ଯଦି ଆଗାମୀ ଦିନରେ ଏହି ନିୟମରେ କିଛି କୋହଳ କରାଯାଏ । ଆସନ୍ତା ୧୩ ତାରିଖ ପୂର୍ବରୁ ଏହି ନିଷ୍ପତ୍ତିକୁ ପୁନଃବିଚାର କରାଯାଇପାରେ । ଭକ୍ତଙ୍କ ଦର୍ଶନରେ ଆଉ ବାଧା ସୃଷ୍ଟି ନହେଉ ଏବଂ ଭକ୍ତଙ୍କୁ ପଦ୍ମବେଶର ଶ୍ରୀମୁଖ ଦର୍ଶନ ପାଇଁ ସୁଯୋଗ ଦେବାକୁ ବିଚାର ବିମର୍ଶ ବି ଚାଲିଥିବାର ସୂଚନା ମିଳିଛି ।
ସୂଚନାଯୋଗ୍ୟ, ଫେବ୍ରୁଆରି ୧୩ ତାରିଖ ଶନିବାର ରାତିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଦ୍ମବେଶ ହେବ । ବଡ଼ସିଂହାର ବେଶରେ ହିଁ ପ୍ରଭୁଙ୍କ ପଦ୍ମବେଶ ଶେଷ କରାଯିବ । ତା ପରଦିନ ଫେବ୍ରୁଆରୀ ୧୪ ରବିବାର ମଙ୍ଗଳଆଳତି ପର୍ଯ୍ୟନ୍ତ ଭକ୍ତମାନେ ମହାପ୍ରଭୁଙ୍କ ପଦ୍ମବେଶ ଦର୍ଶନ କରପାରିବେ । ଏହି ପୃଷ୍ଠଭୂମିରେ ଶ୍ରୀମନ୍ଦିର ସାନିଟାଇଜ କରିବାକୁ ପ୍ରତି ରବିବାର ଶ୍ରୀମନ୍ଦିର ଦର୍ଶନ ବନ୍ଦ ଏସ୍ଓପି ଚିନ୍ତାର କାରଣ ରହିଛି ।
