ଗୋଳନ୍ଥରା,(ଉମାଶଙ୍କର ସାହୁ) : ଦିବ୍ୟାଙ୍ଗ ହୋଇବି ସେ ଜୀବନ ସଂଗ୍ରାମରେ ହାରିନାହାନ୍ତି। ଶତାଧିକ ମହିଳାଙ୍କୁ ଆତ୍ମନିର୍ଭରଶୀଳ ହେବାର ରାହା ଦେଖାଇ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି। ଏମିତି ଜଣେ ମହିଳା ହେଉଛନ୍ତି, ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ୍ ମେଣ୍ଡରାଜପୁର ପଞ୍ଚାୟତ ପାନ୍ନାପଲ୍ଲୀ ଗ୍ରାମର ପି.ଚନ୍ଦ୍ରମା (୩୫)। ପିଲାଟିଦିନରୁ ଦିବ୍ୟାଙ୍ଗ ଚନ୍ଦ୍ରମା ଜଟିଳ ପରିସ୍ଥିତିକୁ ଦୃଢ଼ତାର ସହ ମୁକାବିଲା କରି ନିଜକୁ ସକ୍ଷମ କରାଇପାରିଛନ୍ତି। ଆଉ ମାଟ୍ରିକ୍ ପାସ୍ ହୋଇବି ନିଜେ ରୋଜଗାରକ୍ଷମ ହେବା ସହ ଅନ୍ୟ ମହିଳାଙ୍କ ଆର୍ଥିକ ବିକାଶର କର୍ଣ୍ଣଧାର ସାଜିଛନ୍ତି। ଖାଲି ଏତିକି ନୁହେଁ, ଗାଁରେ ସେ ସମସ୍ତଙ୍କ ପାଇଁ ଅସମୟର ବନ୍ଧୁ ଭାବେ ବି ସେ ପରିଚିତ।
ପାନ୍ନାପଲ୍ଲୀ ଗ୍ରାମର ପି.ଦିଲେଶୁ ରେଡ୍ଡୀଙ୍କ ଝିଅ ଚନ୍ଦ୍ରମା। ୨ ଭାଇ ଓ ୨ ଭଉଣୀଙ୍କ ମଧ୍ୟରେ ସେ ସାନ। ମାତ୍ର ୧୦ ମାସର ହୋଇଥିବାବେଳେ ସେ ପୋଲିଓରେ ଆକ୍ରାନ୍ତ ହେଲେ। ଝିଅର ଏଭଳି ଅବସ୍ଥା ଦେଖି ଦିଲେଶୁ ଭାଙ୍ଗି ପଡ଼ିଥିଲେ। ହେଲେ ଚନ୍ଦ୍ରମା ନିଜ ଦୃଢ଼ ଇଚ୍ଛାଶକ୍ତି ଓ ମନୋବଳରେ ମାଟ୍ରିକ୍ ଯାଏ ପଢ଼ିଲେ। ଏଥିପାଇଁ ପ୍ରଥମେ ସିଲେଇ ଶିଖିଥିଲେ। ନିଜେ ଘରକୁ ଗୋଟିଏ ସିଲେଇ ମେସିନ୍ ଆଣି ସିଲେଇ କରିବା ସହ ଯୁବତୀଙ୍କୁ ବି ସିଲେଇ ଶିଖାଇବା ଆରମ୍ଭ କରିଥିଲେ। ଇତିମଧ୍ୟରେ ତାଙ୍କ ଅଞ୍ଚଳର ସିଏଚ୍. ସନ୍ଧ୍ୟାରାଣୀ, ବି.ମଞ୍ଜୁଳା ରେଡ୍ଡୀ ଓ କେ.ଜୟନ୍ତ ରେଡ୍ଡୀ ପ୍ରମୁଖ ଚନ୍ଦ୍ରମାଙ୍କଠୁ ସିଲେଇ ଶିଖି ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି।
ପରେ ଅଧିକ ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିବା ଲକ୍ଷ୍ୟରେ ଚନ୍ଦ୍ରମା ୨୦୦୩ ମସିହାରେ ମାପଲ୍ଲାମା ସ୍ବୟ˚ ସହାୟକ ଗୋଷ୍ଠୀ ଗଠନ କରିଥିଲେ। ବ୍ୟାଙ୍କରୁ ଋଣ ଆଣି ଏହାକୁ କିଭଳି ସୁବିନିଯୋଗ କରିବା, ଲାଭବାନ୍ ହେବା ଓ ପରିଶୋଧ କରିବା ଏଦିଗରେ ମହିଳାଙ୍କୁ ସଚେତନ କରିବା ଆରମ୍ଭ କରିଥିଲେ।
ଏହାମଧ୍ୟରେ ୧୮ ବର୍ଷ ବିତିସାରିଛି। ଆଉ ଚନ୍ଦ୍ରମା ତାଙ୍କ ପଞ୍ଚାୟତ ଇଲାକାରେ ୧୧ଟି ସ୍ବୟଂ ସହାୟିକ ଗୋଷ୍ଠୀ ଗଠନ କରି ସେମାନଙ୍କ ତଦାରଖ କରୁଛନ୍ତି। ସୁଖଦୁଃଖରେ ଛିଡ଼ା ହେଉଛନ୍ତି। ଉକ୍ତ ଗୋଷ୍ଠୀ ମଧ୍ୟରୁ କିଏ କିଆଫୁଲ ଚାଷ କରୁଛି ତ ଆଉ କିଏ ବ୍ୟବସାୟ କରୁଛନ୍ତି। ଚନ୍ଦ୍ରମାଙ୍କ କାର୍ଯ୍ୟଧାରା ବ୍ଲକ୍ ପ୍ରଶାସନକୁ ଆକୃଷ୍ଟ କରିଥିଲା। ଖାଲି ଏତିକି ନୁହେଁ, ଓଡ଼ିଶା ଜୀବିକା ମିସନ୍ ପୁରୀର କିଛି କର୍ମଚାରୀ ଆସି ଚନ୍ଦ୍ରମାଙ୍କ ସହିତ ଆଲୋଚନା କରି ତାଙ୍କ ଅଭିଜ୍ଞତା ବିଷୟରେ ତଥ୍ୟ ସଂଗ୍ରହ କରିଥିଲେ। ବର୍ତ୍ତମାନ ଚନ୍ଦ୍ରମା ମହିଳାଙ୍କୁ ରୋଜଗାରକ୍ଷମ କରିବା ସହ ସମାଜସେବାରେ ବି ନିଜକୁ ନିୟୋଜିତ କରିଛନ୍ତି। ଗାଁର କାହାର ଦେହ ଖରାପ ହେଲେ ଆଶୁ ଚିକିତ୍ସା ଯୋଗାଇବା ଓ ଡାକ୍ତରଖାନା ପଠାଇବା ଭଳି ସାମାଜିକଦାୟିତ୍ବବୋଧମୂଳକ କାର୍ଯ୍ୟ କରିଆସୁଛନ୍ତି। ଜୀବନର ଶେଷ ନିଃଶ୍ବାସ ପର୍ଯ୍ୟନ୍ତ ସଂଗ୍ରାମ ଜାରି ରହିବ ବୋଲି କହିଛନ୍ତି ଅବିବାହିତା ଚନ୍ଦ୍ରମା।