ଖେଳ ଦେଶ ବିଦେଶ

ପ୍ରଶିକ୍ଷକ ବକ୍ସଟରଙ୍କୁ ବିଦା କଲା ଓଡ଼ିଶା ଏଫ୍‌ସି ବିବାଦୀୟ ମନ୍ତବ୍ୟ ପାଇଁ ହଟହଟା

ଭୁବନେଶ୍ବର : ରାଜ୍ୟର ପ୍ରଥମ ଏବଂ ଏକମାତ୍ର ପେସାଦାର ଫୁଟ୍‌ବଲ୍ ଦଳ ଓଡ଼ିଶା ଏଫ୍‌ସି ମଙ୍ଗଳବାର ତା’ର ମୁଖ୍ୟ ପ୍ରଶିକ୍ଷକ ଷ୍ଟୁଆର୍ଟ ବକ୍ସଟରଙ୍କୁ ବରଖାସ୍ତ କରିଛି। ସାମ୍ବାଦିକ ସମ୍ମିଳନୀରେ ବିବାଦୀୟ ମନ୍ତବ୍ୟ ଦେବା ହିଁ ତାଙ୍କ ପାଇଁ କାଳ ହୋଇଛି। ସୋମବାର ଗୋଆର ବାମ୍ବୋଲିମଠାରେ ଖେଳିଥିବା ଜାମସେଦପୁର ଏଫ୍‌ସି ବିପକ୍ଷ ମ୍ୟାଚ୍‌ରେ ଓଡ଼ିଶା ଏଫ୍‌ସି ପରାଜିତ (୦-୧ ଗୋଲ୍‌ରେ) ହେବା ପରେ ରେଫରିଙ୍କ କେତେକ ନିଷ୍ପତ୍ତିରେ ତୀବ୍ର ଅସନ୍ତୋଷ ଜାହିର କରିବା ସହ ସମ୍ଭବତଃ ପେନାଲ୍ଟି ପାଇବା ଲାଗି ମୋର ଜଣେ ଖେଳାଳିଙ୍କୁ ଧର୍ଷଣ କରିବାକୁ ପଡ଼ିବ କିମ୍ବା ଧର୍ଷିତ ହେବାକୁ ହେବ ବୋଲି କହି ବକ୍ସଟର ଆଲୋଡ଼ନ ସୃଷ୍ଟି କରିଥିଲେ। ଏହାକୁ ‌‌ନେଇ ବିବାଦ ମଧ୍ୟ ଦେଖାଦେଇଥିଲା। ମାମଲାର ଗୁରୁତ୍ବକୁ ବୁଝି କ୍ଲବ୍ ମଙ୍ଗଳବାର ଏକ ଦୁଇ ଧାଡ଼ିଆ ‌ପ୍ରେସ୍ ବିଜ୍ଞପ୍ତି ଜାରି କରି ବକ୍ସଟରଙ୍କ ଚୁକ୍ତିକୁ ବାତିଲ କରାଗଲା ବୋଲି କହିଛି। ଦଳର ମଧ୍ୟବର୍ତ୍ତୀକାଳୀନ ପ୍ରଶିକ୍ଷକଙ୍କ ନାଁ ଖୁବ୍‌ଶୀଘ୍ର ଘୋଷଣା କରାଯିବ ବୋଲି ମଧ୍ୟ କହିଛି କ୍ଲବ୍‌।

ଗତକାଲିର ଏହି ତୀବ୍ର ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ଜାମସେଦପୁର ଗୋଲ୍‌ରକ୍ଷକ ଟିପି ରେହେନେଶ ପେନାଲ୍ଟି ଏରିଆରେ ଓଡ଼ିଶା ଏଫ୍‌ସି ଷ୍ଟ୍ରାଇକର ଡିଏଗୋ ମୌରିସିଓଙ୍କୁ ଧକ୍କା ଦେବା ପରେ ଓଡ଼ିଶା ଏଫ୍‌ସି ପେନାଲ୍ଟି ଦାବି କରିଥିଲା। ହେଲେ ରେଫରି ଏହାକୁ ନାକଚ କରିଦେଇଥିଲେ। ମ୍ୟାଚ୍ ପରବର୍ତ୍ତୀ ସାମ୍ବାଦିକ ସମ୍ମିଳନୀରେ ଉତ୍‌କ୍ଷିପ୍ତ ବକ୍ସଟର ରେଫରିଙ୍କ ଏହି ନିଷ୍ପତ୍ତି ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ରାଗ ତମତମ ହୋଇ କହିଥିଲେ ଯେ ‌ନିଷ୍ପତ୍ତି ଆପଣଙ୍କ ସପକ୍ଷରେ ଯାଉ ବୋଲି ଆପଣ ଚାହାନ୍ତି, ହେଲେ ଏମିତି କିଛି ହେଲାନି। ମୁଁ ଜାଣିପାରୁନି ଆମେ କେତେବେଳେ ଆମ ପେନାଲ୍ଟିଗୁଡ଼ିକ ପାଇବୁ, ଲାଗୁଛି ପେନାଲ୍ଟି ପାଇବା ଲାଗି ମୋ ଖେଳାଳିଙ୍କ ଭିତରୁ ଜଣକୁ ଧର୍ଷଣ କରିବାକୁ ହେବ ନହେଲେ ଧର୍ଷିତ ହେବାକୁ ପଡ଼ିବ। ଏହା ପରେ କ୍ଲବ୍ ତୁରନ୍ତ ତାଙ୍କ ମନ୍ତବ୍ୟଠାରୁ ନିଜକୁ ଦୂରେଇ ନେଇଥିଲା। ୬୭ ବର୍ଷୀୟ ବକ୍ସଟରଙ୍କ ମନ୍ତବ୍ୟ କ୍ଲବ୍‌ର ଚରିତ୍ର ଏବଂ ନୀତିକୁ ପ୍ରତିଫଳିତ କରୁନି। ଏହା କୌଣସି ପରିସ୍ଥିତିରେ ଗ୍ରହଣୀୟ ନୁହେଁ ବୋଲି ସଫେଇ ଦେଇଥିଲା ଓଡ଼ିଶା ଏଫ୍‌ସି। କ୍ଲବ୍ ମଧ୍ୟ ଟ୍ବିଟ୍ କରି ଏଥିନେଇ କ୍ଷମା ମାଗି ନେଇଥିଲା। ସେହିଭଳି ବକ୍ସଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାର ସଙ୍କେତ ବି ଦେଇଥିଲା। ସୂଚନାଯୋଗ୍ୟ ଯେ ବକ୍ସଟରଙ୍କ ମାର୍ଗଦର୍ଶନରେ ଇଣ୍ଡିଆନ୍ ସୁପରଲିଗ୍‌ର ଚଳିତ ଋତୁରେ ଓଡ଼ିଶା ଏଫ୍‌ସି ଅତ୍ୟନ୍ତ ଖରାପ ପ୍ରଦର୍ଶନ କରିଛି। ୧୪ ମ୍ୟାଚ୍‌ରୁ ମାତ୍ର ଗୋଟିଏ ବିଜୟ ଏବଂ ୮ ପରାଜୟ ସହ ୧୧ ଦଳିଆ ପ୍ରତିଯୋଗିତା ପଏଣ୍ଟ ତାଲିକାର ସବାଶେଷ ସ୍ଥାନରେ ରହିଛି। ବକ୍ସଟର ଜଣେ ବ୍ରିଟିଶ୍ ପ୍ରଶିକ୍ଷକ ହୋଇଥିଲା ବେଳେ ଚଳିତ ଋତୁ ଲାଗି ଓଡ଼ିଶା ଏଫ୍‌ସି ସହ ଚୁକ୍ତିଭୁକ୍ତ ହୋଇଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ