ଦେଶ ବିଦେଶ ପର୍ଯ୍ୟଟନ ରାଜ୍ୟ ସ୍ପେଶାଲ ରିପୋର୍ଟ

ଖଣି ଖାଉଛି ଜମି, ଜଙ୍ଗଲ : କୋଇଲା ପାଇଁ ଉଜୁଡ଼ିବ ଛେଣ୍ଡିପଦା! ବିସ୍ଥାପିତ ହେବେ ୧୫ ହଜାର ପରିବାର, ହଜିଯିବ ଚିରସ୍ରୋତା ନଇ

ଅନୁଗୁଳ : ମାଟି ଉପ‌ରେ ସବୁଜ ବଳୟ। ହେକ୍ଟର ହେକ୍ଟର ଉର୍ବର ସମତଳ ମାଟି ସାଙ୍ଗକୁ ଘଞ୍ଚ ଜଙ୍ଗଲ। ତଳେ ରହିଛି କୋଇଲା। ଆଉ ଏହି କୋଇଲା ଖଣି ପାଇଁ ଏବେ ଉଜୁଡ଼ିବାକୁ ବସିଛି ଅନୁଗୁଳ ଜିଲ୍ଲାର ଛେଣ୍ଡିପଦା ଅଞ୍ଚଳ। ଘଞ୍ଚ ଜଙ୍ଗଲ ଓ ଭଲ ଚାଷ ପାଇଁ ଜଣାଶୁଣା ଛେଣ୍ଡିପଦା ତହସିଲରେ ଆଉ ୮ଟି କୋଲ ବ୍ଲକ ଆବଣ୍ଟନ ପ୍ରକ୍ରିୟ‌ା ଆରମ୍ଭ ହେବା ପରେ ଏହା ସ୍ପଷ୍ଟ ହୋଇଯାଇଛି। ଛେଣ୍ଡିପଦା ତହସିଲ ଅଞ୍ଚଳରେ ପୂର୍ବରୁ ୪ଟି କୋଲ ବ୍ଲକ ଆବଣ୍ଟନ ସରିଛି। ଏବେ ଆଉ ୮ଟି କୋଲ ବ୍ଲକ ପାଇଁ ଛେଣ୍ଡିପଦା ପ୍ରାୟ ୩୦ ହଜାର ଏକର ଜମି ହରାଇବାକୁ ଯାଉଛି। ଏଥିରେ ବ୍ୟାପକ ଜଙ୍ଗଲ ଓ ଚାଷ ଜମି ରହିଥିଲାବେଳେ ବହୁ ଚିରସ୍ରୋତା ନାଳ ସବୁଦିନ ପାଇଁ ହଜିଯିବା ଏକପ୍ରକାର ନିଶ୍ଚିତ। ଖାଲି ଏତିକି ନୁହେଁ, ପାଖାପାଖି ୧୫ ହଜାର ପରିବାର ସବୁଦିନ ପାଇଁ ଭିଟାମାଟି ହରାଇବେ।

ଖଣି ଖାଦାନ ଓ କଳାକାରଖାନା ପାଇଁ ଏବେ ଅନୁଗୁଳକୁ ରାଜ୍ୟର ଶିଳ୍ପ ରାଜଧାନୀ କୁ‌ହାଯାଉଛି। ଏହି ଖଣି ଓ ଶିଳ୍ପ ପାଇଁ ଜିଲ୍ଲାରେ ଜମି କମି ଯାଉଥିଲାବେଳେ ପ୍ରଦୂଷଣ ବଢି ବଢି ଚାଲିଛି। ଜଙ୍ଗଲ ବି ହ୍ରାସ ପାଉଛି। ଖଣି ପାଇଁ ଜମି ଓ ଜଙ୍ଗଲ ନଷ୍ଟ ହେଉଥିବାରୁ ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଠିକ ଏହି ସମୟରେ କେନ୍ଦ୍ର ସରକାର ‌ବାଣିଜ୍ୟିକ ଉତ୍ତୋଳନ ପାଇଁ କୋଲ ବ୍ଲକ ଆବଣ୍ଟନ ନେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏଥିରୁ କେବଳ ଛେଣ୍ଡିପଦା ତହସିଲରେ ରହିଛି ୮ଟି କୋଲ ବ୍ଳକ। ମାଛକୁଟା, ମହାନଦୀ, ଛେଣ୍ଡିପଦା-୧, ‌ଛେଣ୍ଡିପଦା-୨, ବ୍ରାହ୍ମଣବିଲ-କରଡାବାହାଳ, ଫୁଲଝରୀ(ପୂର୍ବ ଓ ପଶ୍ଚିମ), ରାଧିକାରପୁର-ପୂର୍ବ ଓ ରାଧିକାପୂର-ପଶ୍ଚିମ ଆଦି କୋଲ ବ୍ଳକ ଆବଣ୍ଟନ ପାଇଁ ପ୍ରକ୍ରିୟା ଚାଲିଛି। ଏହି ସବୁ କୋଲ ବ୍ଲକ ପାଇଁ ଏହି ଛେଣ୍ଡିପଦା ତହସିଲର ପ୍ରାୟ ୩୦ ହଜାର ଏକର ଜମି ଅଧିଗ୍ରହଣ ହେବ।

ଗୁରୁତ୍ବପୂର୍ଣ୍ଣ କଥା ହେଲା, ଏଥିରେ ଅନେକ ଘଞ୍ଚ ଜଙ୍ଗଲ ରହିଛି। କୋଇଲା ଖୋଳିବା ପାଇଁ ପ୍ରାୟ ୨ ହଜାର ଏକର ଜଙ୍ଗଲ ଉଜୁଟିଯିବ। ଏହି ଜଙ୍ଗଲରେ ବହୁ ହାତୀ ସମେତ ଅନେକ ଜଙ୍ଗଲୀ ପ୍ରାଣୀ ରହୁଛନ୍ତି। ହାତୀ କରିଡର ଭାବେ ପରିଚିତ ଏହି ଜଙ୍ଗଲ ଉଜୁଡିଲେ ହାତୀ-ମଣିଷ ଲଢେଇକୁ ଅଧିକ ତୀବ୍ର ହେବାର ଆଶଙ୍କାକୁ ମଜଭୁତ କରିଛି। କେବଳ ଏତିକି ନୁହେଁ, ସିଙ୍ଗଡା, ଗଉଡୁଣି, ଟିକିରା, କୁମ୍ଭୀରା ପରି ଅଧା ଡଜନ ନାଳ ସବୁଦିନ ପାଇଁ ହଜିଯିବ। ବ୍ରାହ୍ମଣୀ ନଦୀକୁ ଜଳ ଯୋଗାଇବାରେ ଏହି ନାଳଗୁଡିକୁ ପ୍ରମୁଖ ଭୂମିକା ଗ୍ରହଣ କରି ଆସୁଥିଲାବେଳେ ସ୍ଥାନୀୟ ଅଂଚଳରେ ଚାଷ ଓ ବ୍ୟବହାର ପାଇଁ ଏହା ବେଶ ଉପଯୋଗୀ ହେଉଛନ୍ତି।

ଛେଣ୍ଡିପଦାରେ ଏହି ନୂଆ କୋଲ ବ୍ଲକ ଆବଣ୍ଟନ ପରେ ବାର୍ଷିକ ୧୨୪ ମିଲିଅନ ଟନ କୋଇଲା ଉତ୍ତୋଳନ ହେବ। ଏଥିପାଇଁ ଏଠାକାର ପାଖାପାଖି ୧୫ ହଜାର ପରିବାର ଭିଟାମାଟି ହରାଇବେ। ଶତାଧିକ ଗାଁ ବିସ୍ଥାପିତ ହେବାର ଆଶଙ୍କା କରାଯାଉଛି। ଏହି ଅଂଚଳର ମାଟି ବେଶ ଉର୍ବର ଥିବାରୁ ବହୁ ଲୋକ ଚାଷ କରି ନିଜ ଗୁଜୁରାଣ ମେଣ୍ଟାଇଥାନ୍ତି। ତେଣୁ ଏବେ ଲୋକମାନଙ୍କ ଜୀବନଜୀବିକା ଗୁରୁତର ଭାବେ ପ୍ରଭାବିତ ହେବ। ଅନୁଗୁଳ ଜିଲ୍ଲାରେ ପ୍ରଦୂଷଣ ଏବେ ପ୍ରମୁଖ ସମସ୍ୟା ଭାବେ ଛିଡା ହୋଇଥିଲାବେଳେ ଏହା ଅଧିକ ସାଂଘାତିକ ହେବ ବୋଲି ଜଳଜଳ ଦିଶିଲାଣି। ଏମିତିରେ କେବଳ ଛେଣ୍ଡିପଦାରେ ଡ‌ଜନେ କୋଇଲା ଖଣି ହେବା ଦ୍ବାରା ଆଗକୁ ଏହି ବ୍ଲକ ଉଜୁଡି ଯିବାର ଆଶଙ୍କା ଦେଖା ଦେଇଛି। ଏହାକୁ ନେଇ ସାଧାରଣ ଲେ‌ାକେ ଛାନିଆ ହୋଇଯାଇଥିଲାବେଳେ ସେମାନେ ଭବିଷ୍ୟତକୁ ନେଇ ଚିନ୍ତାରେ ଅଛନ୍ତି। ଏଥିନେଇ ଏନଜିଟିରେ ମାମଲା ଲଢୁଥିବା ଆଇନଜୀବୀ ଶଙ୍କର ପାଣି କହିଛନ୍ତି ଯେ, ଏକ ସମୟରେ ଏତେଗୁଡିଏ କୋଲ ବ୍ଲକ ଆବଣ୍ଟନ କରିବା ଉଚିତ ହେବନି। ପାଖାପାଖି ଥିବା ଏହି ୮ଟି କୋଲ ବ୍ଳକରୁ କୋଇଲା ଉତ୍ତୋଳନ କରାଗଲେ ବ୍ୟାପକ ଜମି ଓ ଜଙ୍ଗଲ କ୍ଷୟ ହେବା ସହ ହାତୀ ମଣିଷ ଲଢେଇ ବଢିବ। ଭୁତଳ ଜଳସ୍ତର କମିଯିବ। ଲୋକମାନଙ୍କ ଜୀବନଜୀବିକା ପ୍ରଭାବିତ ହେବ। ତେଣୁ ସରକାର ଏକାସାଙ୍ଗରେ ସବୁ କୋଲ ବ୍ଲକ ଆବଣ୍ଟନ ନ କରି ଗୋଟିଏ ପରେ ଗୋଟିଏ କୋଲ ବ୍ଲକ ଆବଣ୍ଟନ କରିବାକୁ ସେ ଦାବି କରିଛନ୍ତି।

NewsLaxmi7

About Author

You may also like

ପର୍ଯ୍ୟଟନ

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ

ଦୀର୍ଘଦିନ ପରେ କରୋନା କଟକଣା ମଧ୍ୟରେ ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ। କୋଭିଡ କଟକଣା ମାନି ଜାତୀୟ ଉଦ୍ୟାନରେ ବୁଲି
ପର୍ଯ୍ୟଟନ

ପରିବେଶ ପର୍ଯ୍ୟଟନରୁ ବଢିଛି ଆୟ, ଏହାର ଅଭିବୃଦ୍ଧି ପାଇଁ ଚଳିତବର୍ଷ ବଜେଟରେ 19 କୋଟି ଟଙ୍କା ବ୍ୟବସ୍ଥା

ପରିବେଶ ପର୍ଯ୍ୟଟନରୁ ବଢିଛି ଆୟ। 2019-20 ଆର୍ଥିକ ବର୍ଷରେ 46 ହଜାରରୁ ଅଧିକ ପର୍ଯ୍ୟଟକ ପରିବେଶ ପର୍ଯ୍ୟଟନର ସୁଯୋଗ ନେଇଥିଲେ। ଏଥିରୁ 6 କୋଟି 85 ଲକ୍ଷ