ରାଜ୍ୟ ସ୍ପେଶାଲ ରିପୋର୍ଟ

ପୁରୀ : ଖଟିଖିଆ ଲୋକ। ଖଟୁଛୁ, ଖାଉଛୁ। ଶ୍ରମିକ ପରିଚୟ ପତ୍ର କ’ଣ ଜାଣିନୁ, କି ଆମକୁ କେହି ଜଣାଇନାହାନ୍ତି। ବଡ଼ଦାଣ୍ଡରେ ସକାଳୁ ଖରାବେଳ ଯାଏ ଅପେକ୍ଷା କଲେ କେବେ କାମ ମିଳେ, କେବେ ମିଳେନି। ଆମେ ଅପାଠୁଆ, ତେଣୁ ଏତେ କଥା କାହୁଁ ଜାଣିବୁ? ଏ କଥା ଓ ବ୍ୟଥା ବଡ଼ଦାଣ୍ଡରେ ନିଜକୁ ୮ ଘଣ୍ଟା ପାଇଁ ବିକ୍ରି କରିବାକୁ ସକାଳୁ ସଂଘର୍ଷ କରୁଥିବା ବାଲୁଗାଁ’ର ଝାଡ଼େଶ୍ବର ପଲେଇଙ୍କର। ସେ ବହୁଦିନ ହେଲା ମଜୁରି କରି ପରିବାର ପୋଷୁଛନ୍ତି, କିନ୍ତୁ ଏ ଶ୍ରମିକ ପରିଚୟପତ୍ର କଥା କେବେ କେହି ତାଙ୍କୁ କହିନାହାନ୍ତି।

ରାତି ପାହିଲେ ଶ୍ରମିକ ଦିବସ ପାଳିତ ହେବ। ପ୍ରଶାସକଙ୍କଠୁ ନେଇ ନେତାଙ୍କ ପର୍ଯ୍ୟନ୍ତ ସମସ୍ତେ ଶ୍ରମିକଙ୍କ କଲ୍ୟାଣ କଥା କହି ଗଦ୍‌ଗଦ୍‌ ହେବେ। ଗଦାଗଦା ପ୍ରତିଶ୍ରୁତି ମିଳିବ। କିନ୍ତୁ ଏହା ଯେ ପ୍ରକୃତ ଶ୍ରମିକଙ୍କ ପାଖରେ ପହଞ୍ଚିବ ସେନେଇ କୌଣସି ଗ୍ୟାରେଣ୍ଟି ନାହିଁ। ପୁରୀ ଜିଲ୍ଲାରେ ୮୨ ହଜାର ଶ୍ରମିକ ପଞ୍ଜିକୃତ ହୋଇଛନ୍ତି। ଯଦିଓ ନଥିପତ୍ରରେ ସଂଖ୍ୟା ଏତିକି, କିନ୍ତୁ ବାସ୍ତବ ସଂଖ୍ୟା ଏହାଠୁ ଢେର୍‌ ଅଧିକ। ମାତ୍ର ସେଥିରେ ବି ଅଣଶ୍ରମିକମାନେ ନିଜକୁ ଶ୍ରମିକ ସଜାଇ ଶ୍ରମିକ କଲ୍ୟାଣ ପାଇଁ ରହିଥିବା ପାଣ୍ଠିରୁ ଫାଇଦା ଉଠାଉଛନ୍ତି। ଅଥଚ ଶ୍ରମିକମାନେ ଅଜ୍ଞତାରୁ ଶ୍ରମ କଲ୍ୟାଣ ପାଇଁ ରହିଥିବା ବ୍ୟବସ୍ଥାରୁ ଫାଇଦା ପାଇପାରୁନାହାନ୍ତି। ଅଧିକାଂଶ ଶ୍ରମିକମାନେ ଜାଣନ୍ତି ନାହିଁ ଯେ ଶ୍ରମିକଙ୍କ ପାଇଁ ସ୍ବତନ୍ତ୍ର କଲ୍ୟାଣ ପାଣ୍ଠି ରହିଛି।

ସରକାରଙ୍କ ଆଇନ ମୁତାବକ ୧୦ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ନିର୍ମାଣ କାମ ହେଲେ ତା’ର ୧ ପ୍ରତିଶତ ସେସ୍‌ ଭାବେ ଶ୍ରମ କମିସନ ଅଧୀନରେ ଥିବା ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡକୁ ଯାଏ। ଏହି ଅର୍ଥରେ ଶ୍ରମିକମାନଙ୍କ ଝିଅ ବାହାଘର, ଛାତ୍ରବୃତ୍ତିଠୁ ନେଇ ଗୁରୁତର ଚିକିତ୍ସା ପାଇଁ ପ୍ରଦାନ କରାଯିବାର ନିୟମ ରହିଛି। ସହାୟତା ମିଳୁଛି ମଧ୍ୟ। ଅଥଚ ଅଧିକାଂଶ ନିର୍ମାଣ ଶ୍ରମିକ ସଚେତନତା ଅଭାବରୁ ଏହାର ସୁଯୋଗ ନେଇପାରୁନାହାନ୍ତି। ନିର୍ମାଣ ଶ୍ରମିକଙ୍କର ନିର୍ମାଣ ବେ‌ଳେ ମୃତ୍ୟୁ ହେଲେ ୨ଲକ୍ଷ ୫୦ ହଜାର ଟଙ୍କାର ସହାୟତା ରାଶି ଦେବାର ବନ୍ଦୋବସ୍ତ କରାଯାଇଛି, କିନ୍ତୁ କେହି ନିର୍ମାଣ କାମ କରୁଥିବା ବେଳେ ଭିନ୍ନକ୍ଷମ ହୋଇଗଲେ ସେମାନଙ୍କ ପାଇଁ ଟଙ୍କାଟିଏ ସହାୟତାର ବ୍ୟବସ୍ଥା କରାଯାଇନାହିଁ। ୧୯୯୬ ବିଲ୍‌ଡିଂ ଆଣ୍ଡ୍‌ ଅଦର କନ୍‌ଷ୍ଟ୍ରକ୍ସନ ୱାର୍କର୍ସ ଆକ୍ଟକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଥିଲେ ହେଁ ଶ୍ରମିକଙ୍କ ପାଇଁ ସରକାରଙ୍କର ଦରଦ ନାହିଁ।

ଏନେଇ ସେଣ୍ଟର ଅଫ୍ ଇଣ୍ଡିଆନ ଟ୍ରେଡ୍ ୟୁନିୟନର ପୁରୀ ଜିଲ୍ଲା ଉପସଭାପତି ଶରତ କୁମାର ରାୟଗୁରୁ କହିଛନ୍ତି, କେରଳରେ ସର୍ବନିମ୍ନ ମଜୁରି ୭୦୦ ଟଙ୍କା ରହିଛି। କିନ୍ତୁ ଓଡ଼ିଶାରେ ଏହା ୩୧୫ ଟଙ୍କାରେ ସୀମିତ। ଶ୍ରମିକମାନଙ୍କ ସର୍ବନିମ୍ନ ମଜୁରି ୬୦୦ ଟଙ୍କାକୁ ବୃଦ୍ଧି କରିବାକୁ ୨୦୧୪ ମସିହାରୁ ବାରମ୍ବାର ଦାବି ‌ହୋଇ ଆସୁଥିଲେ ହେଁ ସରକାର ଶୁଣୁନାହାନ୍ତି। ଶ୍ରମିକ ତାଲିକାରେ ବହୁ ଅଣଶ୍ରମିକ ଯୋଡ଼ି ହୋଇ କଲ୍ୟାଣ ବୋର୍ଡ ପକ୍ଷରୁ ଉପଲବ୍ଧ ସୁବିଧା ନେଉଛନ୍ତି।

ଅନ୍ୟପକ୍ଷରେ ଶ୍ରମିକ କଲ୍ୟାଣ ପାଇଁ ପାଣ୍ଠି ଥିଲେ ହେଁ ଏଥିରୁ ଶ୍ରମିକମାନଙ୍କୁ ଭତ୍ତା ଦେବା ନେଇ ଆଜିଯାଏ ବିଚାର କରାଯାଇନଥିବା ଅଭିଯୋଗ ହୋଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।