ରାଜ୍ୟ

ୱାର୍ଡ ଅଫିସ ନିର୍ମାଣର ବିଚିତ୍ର ସ୍ଥିତି: ଜାଗା ମିଳିନି, ଟେଣ୍ଡର ସରିଲାଣି

ଭୁବନେଶ୍ବର: ତୃଣମୂଳ ସ୍ତରରୁ ଜନସାଧାରଣଙ୍କ ଅଭିଯୋଗ ସମାଧାନ କରିବା ସହ ଶତ ପ୍ରତିଶତ ସେବା ପ୍ରଦାନ କରିବାକୁ କେବଳ ବିଏମ୍‌ସି ନୁହେଁ, ସରକାର ବି ତତ୍ପର ହୋଇଥିଲେ। ସରକାର ଘୋଷଣା କରିଥିଲେ କି ରାଜ୍ୟରେ ୨୦୫୫ ୱାର୍ଡ ଅଫିସ ଚଳିତ ବର୍ଷ ମାର୍ଚ୍ଚ ମାସର ଗୋଟିଏ ତାରିଖରେ କାର୍ଯ୍ୟକ୍ଷମ ହେବ। ଏହି ୱାର୍ଡ ଅଫିସ ସବୁ ୱାର୍ଡ ଅଫିସର ଚଳାଇବେ ନାହିଁ, ବରଂ ସ୍ବୟଂ ସହାୟକ ଗୋଷ୍ଠୀ ଚଳାଇବେ। ଯେଉଁଠି ଘର ଅଛି ଭଲ କଥା, ଯେଉଁଠି ନାହିଁ ସେଠାରେ ନୂଆ ଘର ତିଆରି କରିବା ପର୍ଯ୍ୟନ୍ତ ୱାର୍ଡ ଅଫିସ ଭଡ଼ା ନେବା ସହ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଚୟନ କରିବାକୁ ନିର୍ଦ୍ଦେଶ ଥିଲା।

ସରକାରଙ୍କ ଏଭଳି ଘୋଷଣା ପରେ ବିଏମ୍‌ସି ତତ୍ପର ହୋଇଥିଲା। ପ୍ରାଥମିକ ପର୍ଯ୍ୟାୟରେ ୩୦ ୱାର୍ଡ ଅଫିସ ନିର୍ମାଣ ପାଇଁ ଟେଣ୍ଡର ଡାକିଥିଲା। ହେଲେ ଜମି ନଥିଲା। ଯାହା ଫଳରେ ୩ ମାସ ବିତିଥିଲେ ମଧ୍ୟ ୩୦ ୱାର୍ଡ ଅଫିସର ନିର୍ମାଣ ଆରମ୍ଭ ହୋଇ ପାରିଲା ନାହିଁ। ୩ ମାସ ମଧ୍ୟରେ ମାତ୍ର ୫ଟି ୱାର୍ଡ ଅଫିସର ନିର୍ମାଣ ଆରମ୍ଭ ହୋଇଛି। କେଉଁଠି ଜାଗା ଚିହ୍ନଟ ହୋଇନଥିବା ବେଳେ କେଉଁଠି ସାଧାରଣ ପ୍ରଶାସନ(ଜିଏ) ବିଭାଗକୁ ଜାଗା ପାଇଁ ଲେଖା ହୋଇଛି। ଏଣେ ୬୭ ୱାର୍ଡ ଅଫିସ ଚଳାଇବା ପାଇଁ ସ୍ବୟଂ ସହାୟକ ଗୋଷ୍ଠୀ(ଏସ୍‌ଏଚ୍‌ଜି)ଙ୍କ ଆବେଦନର ଶେଷ ତାରିଖ ଚାଲି ଯାଇଛି। କିନ୍ତୁ ୬୭ ସ୍ବୟଂ ସହାୟକ ଗୋଷ୍ଠୀ ଚୟନ ହୋଇ ପାରି ନାହିଁ। ଏ ସବୁ କେବେ ହେବ କାହା ପାଖରେ ଉତ୍ତର ନାହିଁ।

ଗୋଟିଏ ତାରିଖରେ ସାରା ରାଜ୍ୟରେ କାର୍ଯ୍ୟକ୍ଷମ ହୋଇଥାନ୍ତା
୩ ମାସ ପୂରିଲାଣି, କେବେ ହେବ ଠିକଣା ନାହିଁ

ଗୋଟିଏ ୱାର୍ଡ ଅଫିସ୍‌ ନିର୍ମାଣ ପାଇଁ ୪୭ ଲକ୍ଷ ୯୧ ହଜାର ଟଙ୍କା ଖର୍ଚ୍ଚ ଆକଳନ କରାଯାଇଥିଲା। ୩୦ ୱାର୍ଡ ଅଫିସ୍‌ ପାଇଁ ୧୪ କୋଟି ୩୭ ଲକ୍ଷ ୩୦ ହଜାର ବ୍ୟୟ ଅଟକଳ ହେବା ସହ କାର୍ଯ୍ୟାଦେଶ ମଧ୍ୟ ପ୍ରଦାନ କରାଯାଇଥିଲା। ଗୋଟିଏ ଢାଞ୍ଚାରେ ଏ ସବୁ ନିର୍ମାଣ ହେବାକୁ ଯୋଜନା ହେବା ସହ ୩ ମାସ ମଧ୍ୟରେ ଏହି ସବୁ ୱାର୍ଡ ଅଫିସ୍‌ ନିର୍ମାଣ କରିବାକୁ ଘୋଷଣା ହୋଇଥିଲା। ଅର୍ଥାତ୍‌ ଚଳିତ ମାସରେ ନିର୍ମାଣ ଶେଷ ହେବା କଥା। କିନ୍ତୁ ବିଭିନ୍ନ କାରଣରୁ ନିର୍ମାଣ ଶେଷ ହେବା ଦୂରର କଥା, ନିର୍ମାଣ ଆରମ୍ଭ ହୋଇ ନାହିଁ।

୧୯ ନମ୍ବର ୱାର୍ଡରେ ଅଫିସ ନିର୍ମାଣ ପାଇଁ ଟେଣ୍ଡର ହେବା ସହ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି। କିନ୍ତୁ ଜମି ଚିହ୍ନଟ ହୋଇ ନାହିଁ। ବିଏମ୍‌ସି କହିଛି ଜମି ଚିହ୍ନଟ, ସୀମାଙ୍କନ ଓ ଭୂମିର ଆବଣ୍ଟନ ପରେ ଯାଇ କାମ ଆରମ୍ଭ ହେବ। କିନ୍ତୁ ଏହା କେତେବେଳେ ହେବ ସେ ପ୍ରଶ୍ନର ଉତ୍ତର ନାହିଁ। ସେହିଭଳି ୱାର୍ଡ ନମ୍ବର ୪୮ରେ ମଧ୍ୟ ଅନୁରୂପ ଅବସ୍ଥା। ଜାଗା ମିଳିନି, ଟେଣ୍ଡର ସରିଯାଇଛି। ଜିଏ ବିଭାଗକୁ ଜାଗା ଯୋଗାଇ ଦେବାକୁ ବିଏମ୍‌ସି ଗତ ବର୍ଷ ନଭେମ୍ବର ମାସରୁ ଚିଠି ଲେଖିଛି, ହେଲେ ଏ ଯାଏଁ ସ୍ବୀକୃତି ମିଳୁନି। ୩୦ ୱାର୍ଡ ଅଫିସ୍‌ରୁ ଏ ଯାବତ୍‌ ୫ଟିରେ ନିର୍ମାଣ କାମ ଆରମ୍ଭ ହୋଇଥିବା ସୂଚନା ମିଳିଛି। ବାକି ୱାର୍ଡରେ ସମାନ ଅବସ୍ଥା। ଜମି ନଥାଇ ଟେଣ୍ଡର ସରିଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ୩୦ଟି ଘର ପାଇଁ ଅନୁମୋଦନ ମିଳିଥିଲା। ଏହା ସରିଥିଲେ ବାକି ଗୁଡ଼ିକ ହୋଇଥାନ୍ତା। ଜମି ସମସ୍ୟା ଯୋଗୁ ପ୍ରାଥମିକ ପର୍ଯ୍ୟାୟର ପ୍ରକଳ୍ପ ୩ ମାସ ହେବ ଆଣ୍ଠେଇଥିବାରୁ ଦ୍ବିତୀୟ ପର୍ଯ୍ୟାୟ କଥା ଚିନ୍ତା କରାଯାଇ ନାହିଁ। ଜବରଦଖଲ ମଧ୍ୟ ଏହି ପ୍ରକଳ୍ପର ଅନ୍ୟତମ ବାଧକ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଅଫିସ କୋଠା ନିର୍ମାଣ ହୋଇ ପାରୁନଥିବାରୁ ୱାର୍ଡ ଅଫିସ୍‌କୁ ନେଇ ରହିଥିବା ସମସ୍ତ ସ୍ବପ୍ନ ଅଧୁରା ରହିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।