ନୂଆଦିଲ୍ଲୀ ୦୯/୦୩; ଇଂରାଜୀରେ ଏକ କଥା ଅଛି, ‘Where there is a will there is a way’. ଅର୍ଥାତ୍ ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ। ମଣିଷ ଶରୀରିକ ଭାବେ ଅକ୍ଷକ ହୋଇପାରେ କିନ୍ତୁ ମନରେ ନୁହେଁ। ସେମିତି ଜଣେ ଦୃଢମନା ବ୍ୟକ୍ତି ହେଲେ ଗୁଜୁରାଟର ବାବୁ ଭାଇ ପରମର। ୯ବର୍ଷରେ ୨ ହାତ ହରାଇଥିଲେ ବାବୁ ଭାଇ। ତଥାପି ପାଠ ପଢିଛନ୍ତି, ଶିକ୍ଷିତ ହୋଇଛନ୍ତି ସେ। ପାଟି ଏବଂ ପାଦ ସାହାଯ୍ୟରେ ଲେଖନ୍ତି। ବଡ କଥାଟି ହେଲା ଶତାଧିକ ଗରିବ ପିଲାଙ୍କୁ ପାଠ ପଢାଇ ଶିକ୍ଷିତ କରିଛନ୍ତି।
ବିଦ୍ୟୁତ ଦୁର୍ଘଟଣାକାରଣରୁ ମାତ୍ର ୯ବର୍ଷରେ ବାବୁ ଭାଇ ଦୁଇ ହାତ କାଟିବାକୁ ପଡିଲା। ବାବୁ ଭାଇଙ୍କ ବାପା ପାଟନାରେ ଅନ୍ୟ ମାନଙ୍କ ଘରେ କାମ କରୁଥିଲେ। ପରିବାରର ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନଥିଲା। ସେଥିପାଇଁ ବାବୁ ଭାଇ ଚାହୁଁଥିଲେ, ଭଲ ପାଠ ପଢି ରୋଜଗାର କରିବେ। ବାପାଙ୍କୁ ସାହାଯ୍ୟ କିରିବେ। କିନ୍ତୁ ବିଦ୍ୟୁତ୍ ଦୁର୍ଘଟଣା ତାଙ୍କ ଜୀବନର ସଂଘର୍ଷକୁ କରିଦେଲା ଜଟିଳ। ୨ ହାତ ହରାଇବା ପରେ ସେ ଗାଁର ସରକାରୀ ବିଦ୍ୟାଳୟକୁ ଯାଉଥିଲେ। କିନ୍ତୁ କିଛି ଲେଖି ପାରୁନଥିଲେ। କିଛି ବର୍ଷ ପରେ ଲେଖିବାର ପ୍ରୟାସରେ ବାବୁ ଭାଇଙ୍କ ମୁଣ୍ଡକୁ ଆସିଲା ଏକ ଚିନ୍ତା। ସେ ମୁହଁରେ ଏକ ପେନ୍ସିଲ୍ ନେଇ ଲେଖିବା ଆରମ୍ଭ କଲେ। କିଛି ଦିନ ପରେ ସେ ପାଦ ସାହାଯ୍ୟରେ ମଧ୍ୟ ଲେଖିବା ଅଭ୍ୟାସ କଲେ। ଧିରେ ଧିରେ ତାଙ୍କୁ ଏଥିରେ ଲେଖିବା ଟିକେ ସହଜ ଲାଗିଲା ।
ବାପାଙ୍କ ପ୍ରେରଣା ତାଙ୍କୁ ଆଗକୁ ବଢାଇଲା। ଗୁଜୁରାଟର କାଡି ସହରର ଏକ ଦିବ୍ୟାଙ୍ଗ ସ୍କୁଲରେ ବାବୁ ଭାଇ ଅଧ୍ୟୟନ କଲେ। ସେଠାରେ ସେ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପଢିଲେ। ଏହାପରେ ଦୁଇ ବର୍ଷର ଶିକ୍ଷକ ତାଲିମ ନେଲେ। ବାବୁ ଭାଇ କୁହନ୍ତି, ସେ ସବୁବେଳେ ଜଣେ ଶିକ୍ଷକ ହେବାକୁ ଚାହୁଁଥିଲେ। ଶିକ୍ଷକ ତାଲିମ ନେବା ପରେ ସେ ଅହମ୍ମଦାବାଦ ଚାଲିଗଲେ। ସେଠାରେ ରହି ସେ ଘରେ କିଛି ପିଲାଙ୍କୁ ପାଠ ପଢାଇଲେ। ୨୦୦୩ ମସିହାରେ ବାବୁ ଭାଇ ବିବାହ କଲେ। ତାଙ୍କ ପତ୍ନୀ ମଧ୍ୟ ଥିଲେ ଦିବ୍ୟାଙ୍ଗ।ସେ ଗୋଟିଏ ଅଖିରେ ଦେଖିପାରନ୍ତିନି। ସେ ସ୍କୁଲ୍ ଘର ଝାଡୁ କରି ରୋଜଗାର କରୁଥିଲେ।
ଥରେ ଜଣେ ସାମାଜିକ କର୍ମୀ ଅମ୍ରିଶ ଓଝା ବାବୁ ଭାଇଙ୍କୁ ପିଲାଙ୍କୁ ଟ୍ୟୁସନ କରିବାର ପ୍ରସ୍ତାବ ଦେଲେ। ଏହା ପରେ ସେ ଅମ୍ରିଶ ଙ୍କ ମାଧ୍ୟମରେ ‘ଚାୟାଡୋ’ ସହ କାମ କଲେ। ଚୟୋଡା ଏକ ଏନ୍ଜିଓ ଗ୍ରୁପ୍ ଯେଉଁଠି ଗରିବ ପିଲାଙ୍କୁ ପାଠ ପଢାଯାଉଥିଲା। ସେଠାରେ ସେ ଶତାଧିକ ପିଲାଙ୍କୁ ପାଠ ପଢାଇଲେ। ଏଥିପାଇଁ ତାଙ୍କୁ ମାସିକ ୨ହଜାର ଟଙ୍କା ମିଳୁଥିଲା। ଏବେ ବି ସେଠାରେ ବାବୁ ଭାଇ ପାଠ ପଢାଉଛନ୍ତି। ବାବୁ ଭାଇଙ୍କୁ ଦେଖି ଅନେକ ଗରିବ ପିଲା ପ୍ରେରଣା ପାଉଛନ୍ତି। କେବଳ ଗରିବ ପିଲା ନୁହଁନ୍ତି ବାବୁ ଭାଇ ସମସ୍ତଙ୍କ ପାଇଁ ପ୍ରେରଣା। ଜଣେ ରୋଲ୍ ମଡେଲ୍।

