ରାଜ୍ୟ

୯ କିଲୋମିଟର୍ ପାଇଁ ଖଣ୍ଡିଆ ରହିବ କି ମୁମ୍ବାଇ-ହାଓଡ଼ା ତୃତୀୟ ଲାଇନ୍!

ରାଉରକେଲା: ରାଉରକେଲା ଦେଇ ଯାଇଥିବା ମୁମ୍ବାଇ-ହାଓଡା ମୁଖ୍ୟ ମାର୍ଗରେ ଯାତାୟତ ସୁବିଧା ପାଇଁ ଝାଡ଼ଖଣ୍ଡ ପଟୁ ନିର୍ମାଣ ଚାଲିଛି ତୃତୀୟ ରେଳ ଲାଇନ୍‌। ନିର୍ମାଣ କାମ ରାଉରକେଲା ନିକଟସ୍ଥ ବନ୍ଧମୁଣ୍ଡା ପର୍ଯ୍ୟନ୍ତ ପହଞ୍ଚି ସାରିଛି। କିନ୍ତୁ ଜବରଦଖଲ ସମସ୍ୟାରୁ ରାଉରକେଲା-ପାନପୋଷ ମଧ୍ୟରେ ନିର୍ମାଣ କାମ ଆଗେଇ ପାରୁନି। ପ୍ରାୟ ୮ ବର୍ଷ ଧରି ମୁମ୍ବାଇ-ହାୱଡା ରେଳ ଲାଇନର ଡାହାଣ ପାର୍ଶ୍ବ ଉଚ୍ଛେଦ ପାଇଁ ୯ଟି ବସ୍ତିର ପାଖାପାଖି ୪ ହଜାରରୁ ଅଧିକ ଘର ଚିହ୍ନଟ ହୋଇଛି। ଏସବୁ ଘରଗୁଡ଼ିକୁ ଉଚ୍ଛେଦ କରିବାକୁ ରେଳବାଇ ପକ୍ଷରୁ ଥରେ କି ଦୁଇଥର ନୁହେଁ ଏକାଧିକ ଥର ନୋଟିସ୍‌ ହୋଇଛି। ହେଲେ ଆଜି ପର୍ଯ୍ୟନ୍ତ ରେଳବାଇ କିମ୍ବା ଜିଲ୍ଲା ପ୍ରଶାସନ ଗୋଟିଏ ହେଲେ ଘରକୁ ଉଚ୍ଛେଦ କରିପାରିନି। ଉଭୟ ରେଳବାଇ ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ସମନ୍ବୟ ଅଭାବରୁ ବର୍ଷ ବର୍ଷ ଧରି ଏହି ପ୍ରକଳ୍ପ ସେମିତି ଅଧାରେ ଅଟକିଛି।

କେବଳ ଏତିକି ନୁହେଁ ବସ୍ତିଗୁଡ଼ିକୁ ଉଚ୍ଛେଦ କରିବାକୁ ଜିଲ୍ଲା ପ୍ରଶାସନ ଓ ଦକ୍ଷିଣପୂର୍ବ ରେଳବାଇ ଚକ୍ରଧରପୁର ମଣ୍ଡଳର ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ଅନେକବାର ଗୁରୁତ୍ବପୂର୍ଣ୍ଣ ବୈଠକ ବସିଛି। ପର୍ଯ୍ୟାୟକ୍ରମେ ଉଚ୍ଛେଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ସେପଟେ ରେଳବାଇ ଓ ଜିଲ୍ଲା ପ୍ରଶାସନର ଏଭଳି ନିଷ୍ପତ୍ତି ବିରୋଧରେ ୯ ବସ୍ତିର କିଛି ଲୋକ ରହିତାଦେଶ ପାଇଁ କୋର୍ଟରେ ଆଶ୍ରୟ ନେଇଥିଲେ। କୋର୍ଟ ମାମଲାର ବିଚାର କରି ଉଚ୍ଛେଦ ସପକ୍ଷରେ ରାୟ ଦେଇଥିଲେ। କୋର୍ଟରୁ ସବୁଜ ସଂକେତ ମିଳିବା ପରେ ରେଳବାଇ ଓ ଜିଲ୍ଲା ପ୍ରଶାସନ ଉଚ୍ଛେଦ ପ୍ରକ୍ରିୟାକୁ ଜୋରଦାର କରିବାକୁ ଅଣ୍ଟା ଭିଡ଼ିଥିଲେ। ହେଲେ ରାଜନୈତିକ ଚାପ ଓ ବସ୍ତି ବାସିନ୍ଦାଙ୍କ କଡ଼ା ବିରୋଧ ଯୋଗୁ ସେମାନେ ଉଚ୍ଛେଦ ପ୍ରକ୍ରିୟା ସ୍ଥଗିତ ରଖିବାକୁ ବାଧ୍ୟ ହୋଇଥିଲେ।

ଏସବୁ ଭିତରେ ରାଉରକେଲାରୁ ପାନପୋଷ ଷ୍ଟେସନ୍ ପର୍ଯ୍ୟନ୍ତ ୯ କିଲୋମିଟର୍ ପାଇଁ ମୁମ୍ବାଇ-ହାଓଡ଼ା ମୁଖ୍ୟ ରେଳପଥର ତୃତୀୟ ଲାଇନ୍‌ ଖଣ୍ଡିଆ ହୋଇ ରହି ଯିବନି ତ ବୋଲି ସହରବାସୀ ଆଶଂକା ବ୍ୟକ୍ତ କରୁଛନ୍ତି। ଉଲ୍ଲେଖଯୋଗ୍ୟ, ୨ ବର୍ଷ ତଳେ ରେବଳାଇ ତୃତୀୟ ଲାଇନ କାମ ଆଗେଇ ନେବାକୁ ମୁମ୍ବାଇ-ହାୱଡା ମୁଖ୍ୟ ମାର୍ଗର ଡାହାଣ ପାର୍ଶ୍ବର ୮୪ ଫୁଟ୍‌ ପର୍ଯ୍ୟନ୍ତ ଜାଗା ଚିହ୍ନଟ କରିଥିଲା। ୮୪ ଫୁଟ୍‌ ଜାଗା ମଧ୍ୟରେ ରାଉରକେଲାରୁ -ପାନପୋଷ ମଧ୍ୟରେ ବିରଜାପାଲି, ହରିପୁର, ଅମ୍ବେଦକରନଗର, ମାଲଗୋଦାମ, ଏଫ୍‌ସିଆଇ, ଗଙ୍ଗାଧରପାଲି, ଗଜପତିବସ୍ତି, ଖରିଆବାହାଲ ଏମିତି ୯ଟି ବସ୍ତିର ୪ହଜାରରୁ ଅଧିକ ଘର ଚିହ୍ନଟ ହୋଇଥିଲା। ପ୍ରତିବାଦରେ ବସ୍ତିର ପ୍ରତିନିଧି ରାଜନୈତିକ ନେତାଙ୍କ ନେତୃତ୍ବରେ ତତ୍କାଳୀନ ‌କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ଦିଲ୍ଲୀରେ ଭେଟିଥିଲେ। ୮୪ ଫୁଟ୍‌ ପରିବର୍ତ୍ତେ ୬୫ ଫୁଟ୍‌ ପର୍ଯ୍ୟନ୍ତ ଉଚ୍ଛେଦ ସହ କିଛି ମାସ ସମୟ ଦେବାକୁ ଅନୁରୋଧ କରିଥିଲେ।

ପୀୟୁଷ ଗୋଏଲଙ୍କ ପରେ ଏବେ ଅଶ୍ବିନୀ ବୈଷ୍ଣବ ରେଳମନ୍ତ୍ରୀ ଦାୟିତ୍ବ ରହିଛନ୍ତି। ହେଲେ ଆଜି ପର୍ଯ୍ୟନ୍ତ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଫଳରେ ତୃତୀୟ ରେଳଲାଇନ ଜବରଦଖଲ ସମସ୍ୟା ମଧ୍ୟରେ ଅଟକି ରହିଯାଇଛି। ଏହି ବ୍ୟସ୍ତ ରେଳ ଲାଇନ୍‌ରେ ଯାତ୍ରୀବାହୀ ଓ ମ‌ାଲବାହୀକୁ ମିଶାଇ ଦୈନିକ ହାରାହାରି ୧୭୦ ଟ୍ରେନ୍‌ ଯାତାୟତ କରୁଛି। ଦିନକୁ ଦିନ ମାଲ୍‌ବାହୀ ଟ୍ରେନ୍‌ ସଂଖ୍ୟା ବୃଦ୍ଧି ପାଉଥିଲାବେଳେ ରେଳ ଟ୍ରାଫିକ୍ ବଢ଼ିବଢ଼ି ଚାଲିଛି। ତେଣୁ ଉଭୟ ଦିଗରୁ ରାଉରକେଲା ଆସୁଥିବା ଯାତ୍ରୀବାହୀ ଟ୍ରେନ୍‌ ଗୁଡ଼ିକ ପହଞ୍ଚିବାରେ ଅହେତୁକ ବିଳମ୍ବ ହେଉଛି। ରାଉରକେଲା ନିକଟବର୍ତ୍ତୀ ଷ୍ଟେସନ୍ ଗୁଡ଼ିକରେ ଏ ଗୁଡ଼ିକୁ ଅନେକ ସମୟ ଧରି ପକାଇ ରଖାଯାଉଛି। ତୃତୀୟ ଲାଇନ୍‌ କାମ ସଂପୂର୍ଣ୍ଣ ନହେବା ଯାଏ ଏହି ସମସ୍ୟା ଲାଗି ରହିବ ବୋଲି ବିଶେଷଜ୍ଞମାନେ ମତ ଦିଅନ୍ତି।.

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।