ଖେଳ ରାଜ୍ୟ ସ୍ପେଶାଲ ରିପୋର୍ଟ

୮ ବର୍ଷ ପରେ ରାଉରକେଲା ଫେରିଲା ହକି ଉତ୍କର୍ଷ କେନ୍ଦ୍ର

ରାଉରକେଲା: ‘ସମ୍ବାଦ’ର ପୂର୍ବାନୁମାନ ସତ ହୋଇଛି। ଅପେକ୍ଷାକୃତ ଉତ୍କୃଷ୍ଟମାନର ହକି କ୍ରୀଡ଼ାବିତଙ୍କ ପାଇଁ ଉଦ୍ଦିଷ୍ଟ ‘ହକି ଉତ୍କର୍ଷ କେନ୍ଦ୍ର’ ବା ‘ବରିଷ୍ଠ ହକି ଛାତ୍ରାବାସ/ଛାତ୍ରୀନିବାସ’ ପୁଣିଥରେ ରାଉରକେଲାକୁ ଫେରିଆସିଛି। ପାନପୋଷ କ୍ରୀଡ଼ାଛାତ୍ରାବାସ(ରାଉରକେଲା)ରୁ କଳିଙ୍ଗ ଷ୍ଟାଡିୟମ(ଭୁବନେଶ୍ବର)କୁ ସ୍ଥାନାନ୍ତର ହେବାର ପ୍ରାୟ ୮ ବର୍ଷପରେ ମୂଳ ସ୍ଥାନକୁ ଫେରିବା କେବଳ ହକି ଖେଳାଳିଙ୍କୁ ନୁହେଁ, ଜିଲ୍ଲାର ହକିପ୍ରେମୀଙ୍କୁ ମଧ୍ୟ ଆନନ୍ଦିତ ଓ ଉତ୍ସାହିତ କରିଛି। ତେବେ ତୀବ୍ର ବିରୋଧ ସତ୍ତ୍ବେ ସ୍ଥାନାନ୍ତର କରିବା ପରେ ପୁଣି ଫେରାଇ ଆଣିବା ପଛରେ ଭିନ୍ନ ଭିନ୍ନ କାରଣ ଥିବା ଆଲୋଚନା ଜୋର୍‌ ଧରିଛି। ସମ୍ଭବତଃ କଳିଙ୍ଗ ଷ୍ଟାଡିୟମରେ ଅନ୍ୟ ସଂସ୍ଥାକୁ ଅବସ୍ଥାପିତ କରାଯାଇଥିବାରୁ ସ୍ଥାନାଭାବ ଦେଖାଦେଇଥିଲା। ଫଳରେ ଏହି କେନ୍ଦ୍ରକୁ ରାଉରକେଲାକୁ ଫେରାଇ ଅଣାଯାଇଥିବା ଆଲୋଚନା ହେଉଛି।

ଏହି ବରିଷ୍ଠ କ୍ରୀଡ଼ା ଛାତ୍ରାବାସ ସ୍ଥାନାନ୍ତର ପାଇଁ ଗତ ଅଗଷ୍ଟ ମାସରୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିଲା। ପରେ ଅକ୍ଟୋବର ଦ୍ବିତୀୟ ସପ୍ତାହରେ ଉଭୟ ପୁରୁଷ ଓ ମହିଳା ବରିଷ୍ଠ ଛାତ୍ରାବାସ ରାଉରକେଲାକୁ ଉଠି ଆସିଥିଲା। ପୁରୁଷରେ ୧୪ ଜଣ ଓ ମହିଳାରେ ୮ ଜଣ, ମୋଟ୍‌ ୨୨ ଜଣ ଖେଳାଳି ରାଉରକେଲାକୁ ଫେରିଆସିଛନ୍ତି। ସଂପ୍ରତି ଉଭୟ ପୁରୁଷ ଓ ମହିଳା କ୍ରୀଡ଼ାବିତ୍‌ ପାନପୋଷ କ୍ରୀଡ଼ା ଛାତ୍ରାବାସରେ ରହିବା ସହ ସେଠାକାର ଆଷ୍ଟ୍ରୋଟର୍ଫ‌୍ ପଡ଼ିଆରେ ଅଭ୍ୟାସ କରୁଛନ୍ତି। ଆସନ୍ତା ଜାନୁଆରି ମାସରେ ପୁରୁଷ ହକି ବିଶ୍ବକପ୍‌ ଶେ‌ଷ ହେବାପରେ ପୁରୁଷ ଖେଳାଳିମାନେ ନବ ନିର୍ମିତ ଷ୍ଟାଡିୟମ ସଂଲଗ୍ନ ଅନ୍ୟାନ୍ୟ ପଛୁଆ ବର୍ଗ(ଓବିସି) ଓ ଶିକ୍ଷାଗତ ଓ ସାମାଜିକ ପଛୁଆ ବର୍ଗ(ଏସ୍‌ଇବିସି) ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ଛାତ୍ରାବାସରେ ରହିବେ। ଏନେଇ ଚୁକ୍ତିନାମା ସମ୍ପନ୍ନ ହୋଇସାରିଛି। ତେବେ ମହିଳା ଖେଳାଳି ପୂର୍ବବତ୍‌ ପାନପୋଷ କ୍ରୀଡ଼ା ଛାତ୍ରାବାସରେ ରହିବୋଲି ସୂଚନାରୁ ପ୍ରକାଶ।

ବାଳକରେ ୧୪, ବାଳିକାରେ ୮ ଖେଳାଳି ଆସିଲେ
ପାନପୋଷ ଛାତ୍ରାବାସ ପଡ଼ିଆରେ ଅଭ୍ୟାସ କରୁଛନ୍ତି
ଉଲ୍ଲେଖନୀୟ ଯେ ଜୋର୍‌ଦାର ବିରୋଧ ସତ୍ତ୍ବେ ଗତ ୨୦୧୪ ମସିହାରେ ରାଜ୍ୟ ସରକାର ପାନପୋଷ କ୍ରୀଡ଼ା ଛାତ୍ରାବାସରେ ଥିବା ହକି ଉତ୍କର୍ଷ କେନ୍ଦ୍ରକୁ କଳିଙ୍ଗ ଷ୍ଟାଡିୟମ, ଭୁବନେଶ୍ବରକୁ ସ୍ଥାନାନ୍ତର କରିନେଇଥିଲେ। ଏହି କେନ୍ଦ୍ରରେ ଉଭୟ ପୁରୁଷ ଓ ମହିଳା ବର୍ଗରେ ୩୦ ଜଣ ଲେଖାଏଁ ଶ୍ରେଷ୍ଠ ଖେଳାଳି ରହୁଥିଲେ। କେନ୍ଦ୍ର ସ୍ଥାନାନ୍ତର ପାଇଁ ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କରିବା ଦିନଠାରୁ ଏହାକୁ ବିରୋଧ ହୋଇଥିଲା। ବହୁ ବରିଷ୍ଠ କ୍ରୀଡ଼ାବିତ୍‌, କ୍ରୀଡ଼ାପ୍ରେମୀ, କ୍ରୀଡ଼ା ସଂଗଠନ ଏହାକୁ ଖୋଲାଖୋଲି ବିରୋଧ କରିଥିଲେ। ଏମିତିକି ତତ୍କାଳୀନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ମଧ୍ୟ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିବାସହ ନିଷ୍ପତ୍ତି ପ୍ରତ୍ୟାହାର ଦାବି କରିଥିଲେ। ତେବେ ରାଜ୍ୟ ସରକାର ଦାବିକୁ ଅଣଦେଖା କରି କେନ୍ଦ୍ରକୁ ସ୍ଥାନାନ୍ତର କରିନେଇଥିଲେ। କେନ୍ଦ୍ର ସ୍ଥାନାନ୍ତର ହେବାର ହାତଗଣତି କିଛି ଦିନ ପରେ କଳିଙ୍ଗ ଷ୍ଟାଡିୟମରେ ଥିବା ଅନେକ ସମସ୍ୟା ଦର୍ଶାଇ ବହୁସଂଖ୍ୟକ ଅନ୍ତେବାସୀ/ଅନ୍ତେବାସିନୀ ହଷ୍ଟେଲ ଛାଡ଼ି ରାତିଅଧିଆ ରାଉରକେଲା ଫେରିଆସିଥିଲେ। ତଥାପି ରାଜ୍ୟ ସରକାର ସେତେବେଳେ ନିଜ ଜିଦ୍‌ରେ ଅଟଳ ରହି ସମସ୍ତଙ୍କୁ ଫେରାଇ ନେଇଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ