ଖେଳ ଦେଶ ବିଦେଶ

୮୭ ବର୍ଷରେ ପ୍ରଥମ ଥର ହେବନି ରଣଜୀ ଟ୍ରଫି, ୧୯୩୪ରୁ ନିରବଚ୍ଛିନ୍ନ ଭାବେ ଆୟୋଜିତ ହୋଇଆସୁଥିଲା ସମାନ୍ତରାଳ ଭାବେ ଖେଳାଯିବ ବିଜୟ ହଜାରେ, ମହିଳା ଦିନିକିଆ

ନୂଆଦିଲ୍ଲୀ: ଦୀର୍ଘ ୮୭ ବର୍ଷର ଗୌରବମୟ ଇତିହାସ ମଧ୍ୟରେ ପ୍ରଥମ ଥର ପାଇଁ ଆୟୋଜିତ ହେବନି ଘରୋଇ କ୍ରିକେଟ୍‌ର ସବୁଠାରୁ ସମ୍ମାନଜନକ ପ୍ରତିଯୋଗିତା ରଣଜୀ ଟ୍ରଫି। କୋଭିଡ୍-୧୯ ମହାମାରୀର ଭୟାବହତା ପାଇଁ ସାଧାରଣତଃ ନଭେମ୍ବରରୁ ମାର୍ଚ ମଧ୍ୟରେ ଖେଳାଯାଉଥିବା ଏହି ପ୍ରତିଯୋଗିତା‌ ଚଳିତ ବର୍ଷ କରାଯିବ ନାହିଁ ବୋଲି ବିସିସିଆଇ ଶନିବାର ଘୋଷଣା କରିଛି। ଅଧିକାଂଶ ରାଜ୍ୟସଂଘ ରଣଜୀ ଟ୍ରଫି ପରିବର୍ତ୍ତେ ବିଜୟ ହଜାରେ ଟ୍ରଫି ସୀମିତ ଓଭର ପ୍ରତିଯୋଗିତା ଖେଳିବାକୁ ଆଗ୍ରହ ପ୍ରକାଶ କରିଥିବାରୁ ସେମାନଙ୍କ ଇଚ୍ଛାକୁ ସମ୍ମାନ ଜଣାଇବାକୁ ଯାଇ ଏଭଳି ନିଷ୍ପତ୍ତି ନିଆଯାଇଥିବା କହିଛି ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ। ରଣଜୀ ଟ୍ରଫି ୨୦୨୦-୨୧କୁ ବାତିଲ କରାଯାଇଥିଲେ ମଧ୍ୟ ୧୯ ବର୍ଷରୁ କମ୍‌ ଏକଦିବସୀୟ ଭିନୁ ମଙ୍ଗଡ଼ ଟ୍ରଫି ଏବଂ ଜାତୀୟ ମହିଳା ଏକଦିବସୀୟ ପ୍ରତିଯୋଗିତା ପୂର୍ବବତ୍ ଖେଳାଯିବ ବୋଲି ବିସିସିଆଇ ସଂପାଦକ ଜୟ ଶାହ ବିଭିନ୍ନ ରାଜ୍ୟସଂଘକୁ ପଠାଇଥିବା ପତ୍ରରେ ପ୍ରତିଶ୍ରୁତି ଦେଇଛନ୍ତି।

ସବୁ ବାଧାବିଘ୍ନ ସତ୍ତ୍ବେ ରଣଜୀ ଟ୍ରଫି ଆୟୋଜନ କରିବାକୁ ଶାହ ଏବଂ ବିସିସିଆଇ ସଭାପତି ତଥା ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଚାହୁଥିଲେ। ହେଲେ ଦୁଇଟି ପର୍ଯ୍ୟାୟରେ ଆୟୋଜିତ ହେଉଥିବା ରଣଜୀ ଟ୍ରଫି ଭଳି ବିଶାଳ ଏବଂ ଲମ୍ବା ପ୍ରତିଯୋଗିତା ଲାଗି ଦୀର୍ଘ ଦୁଇ ମାସ ପାଇଁ ଜୈବ ବଳୟ ସ୍ଥାପନ କରିବା ଅତ୍ୟନ୍ତ କଷ୍ଟକର ହେବ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିବା ପରେ ଉଭୟ ପଛଘୁଞ୍ଚା ଦେଇଥିଲେ। ରାଜ୍ୟସଂଘ ମଧ୍ୟ ଏଥିଲାଗି ଅମଙ୍ଗ ହେବା ପରେ ୧୯୩୪ ମସିହାରେ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାକୁ ପ୍ରଥମ ଥର ପାଇଁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ। ସୟଦ ମୁସ୍ତାକ ଅଲ୍ଲୀ ଟ୍ବେଣ୍ଟି-୨୦ ପ୍ରତିଯୋଗିତାର ସଫଳ ଆୟୋଜନ ଲାଗି ଶାହା କିନ୍ତୁ ନିଜ ପତ୍ରରେ ସବୁ ରାଜ୍ୟସଂଘକୁ ଧନ୍ୟବାଦ ଜଣାଇବା ସହ ୨୦୨୦-୨୧ ଋତୁ ଲାଗି ଘରୋଇ ସୂଚୀ ପ୍ରସ୍ତୁତ କରିବା ଅତ୍ୟନ୍ତ ଆହ୍ବାନପୂର୍ଣ୍ଣ ଥିଲା ବୋଲି ଲେଖିଛନ୍ତି। ସେହିଭଳି ଇଂଲଣ୍ଡ ଶୃଙ୍ଖଳା ଲାଗି ପ୍ରସ୍ତୁତି ପର୍ବ ଦ୍ରୁତ ଗତିରେ ଆଗେଇ ଚାଲିଛି ବୋଲି ସୂଚନା ଦେଇଛନ୍ତି।
୧୯୩୪ରୁ ନିରବଚ୍ଛିନ୍ନ ଭାବେ ଆୟୋଜିତ ହୋଇଆସୁଥିଲା

ଭାରତର ପ୍ରଥମ ଅନ୍ତର୍ଜାତୀୟ କ୍ରିକେଟର୍‌ ରଣଜୀତ ସିଂହଜୀଙ୍କ ନାମରେ ନାମିତ ‘ରଣଜୀ ଟ୍ରଫି’ ପ୍ରଥମ ଥର ପାଇଁ ୧୯୩୪-୩୫ ଋତୁରେ ‌ଖେଳାଯାଇଥିଲା। ଦ୍ବିତୀୟ ବିଶ୍ବଯୁଦ୍ଧ ସହ ବିଭିନ୍ନ ସମୟରେ ଆସିଥିବା ବହୁ ବାଧାବିଘ୍ନ ସତ୍ତ୍ବେ ଏହା ନିରବଚ୍ଛିନ୍ନ ଭାବେ ସେବେଠାରୁ ଆୟୋଜିତ ହୋଇଆସୁଥିଲା। ଏପରିକି ୧୯୬୨ ଭାରତ-ଚୀନ୍‌ ଯୁଦ୍ଧ, ୧୯୬୫ ଏବଂ ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧ ମଧ୍ୟ ଏହାକୁ ରୋକି ପାରିନଥିଲା। ହେଲେ ଅଦୃଶ୍ୟ ଏବଂ ଅାଖିକୁ ଦେଖା ଯାଉନଥିବା କରୋନା ଭୂତାଣୁ ପାଇଁ ଏହି ସମ୍ମାନଜନକ ପ୍ରତିଯୋଗିତାର ଆୟୋଜନ ଧାରା ବିଚ୍ଛିନ୍ନ ଓ ବିଖଣ୍ଡିତ ହୋଇଛି। ଯାହା କ୍ରିକେଟ୍‌ପ୍ରେମୀଙ୍କୁ ବ୍ୟଥିତ କରିଛି। ସେପଟେ ଘରୋଇ କ୍ରିକେଟର୍‌ ଆର୍ଥିକ ସଙ୍କଟର ସମ୍ମୁଖୀନ ହେବାର ଆଶଙ୍କା ଦେଖାଦେଇଛି। କାରଣ ରଣଜୀ ଟ୍ରଫି ହେଉଛି ଭାରତର ସବୁଠାରୁ ଦାମୀ ଘରୋଇ ପ୍ରତିଯୋଗିତା। ଘରୋଇ କ୍ରିକେଟର୍‌ଙ୍କ ପାଇଁ ଏହା ମଧ୍ୟ ରୋଜଗାରର ବଳିଷ୍ଠ ମା‌ଧ୍ୟମ। କାରଣ ଗୋଟିଏ ଗୋଟିଏ ରଣଜୀ ମ୍ୟାଚ୍ ଲାଗି ସେମାନେ ପାଖାପାଖି ୧.୫ ଲକ୍ଷ ଟଙ୍କା ପାଇଥା’ନ୍ତି। ଚଳିତ ବର୍ଷ ରଣଜୀ ଟ୍ରଫି ବନ୍ଦ ହେବା ପରେ ସେମାନଙ୍କ ବାର୍ଷିକ ଆୟରେ ଏହାର ପ୍ରତିକୂଳ ପ୍ରଭାବ ପଡ଼ିବାର ଯଥେଷ୍ଟ ସମ୍ଭାବନା ରହିଛି।
ସୂଚନାଯୋଗ୍ୟ ଯେ ୩୮ ଦଳକୁ ନେଇ ଖେଳାଯାଉଥିବା ରଣଜୀ ଟ୍ରଫିର ଗତ ସଂସ୍କରଣ‌ରେ ସୌରାଷ୍ଟ୍ର ବିଜେତା ଏବଂ ମୁମ୍ବାଇ ଉପବିଜେତା ହୋଇଥିଲା। ତେବେ ମୁମ୍ବାଇ ସର୍ବାଧିକ ୪୧ ଥର ଏହି ପ୍ରତିଯୋଗିତା ଜିତିବାର କୀର୍ତ୍ତିମାନ କରିଛି। ରଣଜୀ ଟ୍ରଫିରେ ସର୍ବାଧିକ ରନ୍ କରିବାର କୀର୍ତ୍ତିମାନ ୱାସିମ ଜାଫର (୧୨,୦୩୮) ଏବଂ ସର୍ବାଧିକ ୱିକେଟ୍ ନେବାର ସଫଳତା ରାଜିନ୍ଦର ଗୋୟଲ (୧୯୫୮-୧୯୮୫, ୬୪୦ ୱିକେଟ୍)ଙ୍କ ନାମରେ ରହିଛି।

ସମାନ୍ତରାଳ ଭାବେ ଖେଳାଯିବ ବିଜୟ ହଜାରେ, ମହିଳା ଦିନିକିଆ ଚଳିତ ବର୍ଷ ବିଜୟ ହଜାରେ ଟ୍ରଫି ଏବଂ ମହିଳା ଦିନିକିଆ ସମାନ୍ତରାଳ ଭାବେ ଖେଳାଯିବ। ଅର୍ଥାତ୍ ଉଭୟ ପ୍ରତିଯୋଗିତା ଗୋଟିଏ ସମୟରେ ଖେଳାଯିବ। ବିସିସିଆଇ ସଂପାଦକ ଜୟ ଶାହ ରାଜ୍ୟ ସଂଘଗୁଡ଼ିକୁ ପଠାଇଥିବା ପତ୍ରରେ ଏହି ସୂଚନା ଦେଇଛନ୍ତି। ଭିନୁ ମଙ୍କଡ଼ ଟ୍ରଫି ୧୯ ବର୍ଷରୁ କମ୍ କ୍ରିକେଟ୍ ପ୍ରତିଯୋଗିତା ପରବର୍ତ୍ତୀ ସମୟରେ ଆୟୋଜିତ ହେବ। ତେବେ ତିନିଟି ଯାକ ପ୍ରତିଯୋଗିତା କେବେ ଏବଂ କେଉଁଠାରେ ହେବ, ସେଥିନେଇ କୌଣସି ସୂଚନା ଦେଇନାହାନ୍ତି ଶାହ। ରଣଜୀ ଟ୍ରଫିକୁ ବାତିଲ କରାଯାଇଥିଲେ ମଧ୍ୟ ମହିଳା ଦିନିକିଆ ଆୟୋଜିତ ହେବା ନେଇ ଶାହା ଲେଖିଥିବା ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ମହିଳା କ୍ରିକେଟ୍‌ର ଗୁରୁତ୍ବ ଆମ ପାଇଁ ଢେର ଅଧିକ। ସେଥିପାଇଁ ଏହି ପ୍ରତିଯୋଗିତାକୁ କରାଇବାକୁ ଆମେ ପ୍ରତିଶ୍ରୁତିବଦ୍ଧ। ଆମେ ବିଜୟ ହଜାରେ ଏବଂ ମହିଳା ଦିନିକିଆ କ୍ରିକେଟ୍ ପ୍ରତିଯୋଗିତାକୁ ଏକସଙ୍ଗରେ ଆୟୋଜନ କରିବୁ। ଏହା ପରେ ଭିନୁ ମଙ୍କଡ଼ ୧୯ ବର୍ଷରୁ କମ୍ ପ୍ରତିଯୋଗିତା ଖେଳାଯିବ। ସମସ୍ତ ରାଜ୍ୟ ସଂଘଙ୍କ ମତାମତ ଜାଣିବା ପରେ ଆମେ ଏହି ନିଷ୍ପତ୍ତି ନେଇଛୁ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ