ରାଜ୍ୟ ଶିକ୍ଷା ଓ ନିଯୁକ୍ତି

୭ କିମି ଚାଲିଲେ ୨୦୦ ଛାତ୍ରଛାତ୍ରୀ: ପ୍ରଶାସନ ବାଧା ଦେବାରୁ ଜାତୀୟ ରାଜପଥ ଅବରୋଧ

କଳାବାଡ଼ିଆ: ଶିକ୍ଷକ ଅଭାବ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ସମସ୍ୟାର ସମାଧାନ ଦାବିରେ ଆଜି ଏକ ମୟୂରଭଞ୍ଜର ଏକ ଏକଲବ୍ୟ ବିଦ୍ୟାଳୟର ଛାତ୍ରଛାତ୍ରୀ ଆଜି ଭିନ୍ନ ପଦକ୍ଷେପ ନେଇଛନ୍ତି। ଖରା ସତ୍ତ୍ବେ ଜିଲ୍ଲାପାଳଙ୍କୁ ଭେଟିବା ପାଇଁ ୨୦୦ ଛାତ୍ରଛାତ୍ରୀ ୭କିମି ବାଟ ଚାଲିଛନ୍ତି। ପ୍ରଶାସନ ସେମାନଙ୍କ ବାଟ ଓଗାଳିଥିଲେ ବି ମାନିନାହାନ୍ତି। ବରଂ, ଏହାର ପ୍ରତିବାଦରେ ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଫଳରେ, ୪୯ ନମ୍ବର ଜାତୀୟ ରାଜପଥରେ ଯାତାୟାତ ବାଧାପ୍ରାପ୍ତ ହୋଇଥିବା ଦେଖିବାକୁ ମିଳିଛି।

ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ୍‌ ଶ୍ୟାମସୁନ୍ଦର ପଞ୍ଚାୟତରେ ରହିଛି ଏହି ଏକଲବ୍ୟ ବିଦ୍ୟାଳୟ। ୫ବର୍ଷ ତଳେ ଏହି ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ଏଠାରେ ଷଷ୍ଠରୁ ନବମ ଶ୍ରେଣୀ ଓ ଦ୍ବାଦଶ ଶ୍ରେଣୀରେ ୩୮୦ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ବିଦ୍ୟାଳୟ ଆରମ୍ଭ ହେବା ଦିନଠାରୁ ଶିକ୍ଷକ ଅଭାବ ସମସ୍ୟା ଲାଗି ରହିଛି। ଏକାଧିକ ଗୃହର ଛାତରୁ ପାଣି ଗଳୁଛି। କେବଳ ସେତିକି ନୁହେଁ, ଉପଯୁକ୍ତ ପରିମାଣର ଏବଂ ସ୍ବାସ୍ଥ୍ୟକର ଖାଦ୍ୟ ମଧ୍ୟ ଦିଆଯାଉନି। ଛାତ୍ରଛାତ୍ରୀଙ୍କ ପ୍ରାକ୍ଟିକାଲ୍‌ ପାଇଁ ଲାବ୍‌ ନାହିଁ। ସମସ୍ୟାର ସମାଧାନ ପାଇଁ ବିଭିନ୍ନ ସମୟରେ ଛାତ୍ରଛାତ୍ରୀ ବିଭାଗୀୟ ଅଧିକାରୀ ଓ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କଠାରେ ଦାବି କରିଛନ୍ତି। ହେଲେ, କିଛି ଫଳ ମିଳିନି।

ଏଭଳି ପରିସ୍ଥିତିରେ ଆଜି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ଅସନ୍ତୋଷ ଉଗ୍ରରୂପ ନେଇଛି। ସମସ୍ୟା ବାବଦରେ ଜିଲ୍ଲାପାଳ ବିନୀତ ଭରଦ୍ବାଜଙ୍କୁ ଅବଗତ କରିବା ପାଇଁ ବିଦ୍ୟାଳୟର ୨୦୦ ଛାତ୍ରଛାତ୍ରୀ ଚାଲିଚାଲି ବାହାରିଥିଲେ। ଖରାରେ ପ୍ରାୟ ୭ କିମି ରାସ୍ତା ଚାଲିବା ପରେ ସ୍ଥାନୀୟ ପ୍ରଶାସନ ବାଙ୍ଗିରିପୋଷିଠାରେ ସେମାନଙ୍କୁ ଅଟକାଇଥିଲା ଏବଂ ଭର୍ଚୁଆଲ୍‌ ମୋଡ୍‌ରେ ଜିଲ୍ଲାପାଳଙ୍କ ସହ କଥା କରାଇଦେବ ବୋଲି କହିଥିଲା। ହେଲେ ଛାତ୍ରଛାତ୍ରୀ ଭର୍ଚୁଆଲ୍‌ ମୋଡ୍‌ରେ ନୁହେଁ, ସାମ୍ନାସାମ୍ନି କଥା ହେବେ ବୋଲି ଜିଦ୍‌ରେ ଅଟଳ ରହିଥିଲେ। ପ୍ରଶାସନ ବାଧା ଦେବାରୁ ଛାତ୍ରଛାତ୍ରୀ ୪୯ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ । ଫଳରେ ଯାତାୟାତ ବାଧାପ୍ରାପ୍ତ‌ ହୋଇଥିଲା। ଏକ ପ୍ଲାଟୁନ ଫୋର୍ସ ସହ ସଦର ଏସ୍‌ଡିପିଓ କେକେ ହରିପ୍ରସାଦ, ଝାଡ଼ପୋଖରିଆ ଥାନା ଅଧିକାରୀ ଫଣୀନ୍ଦ୍ର ଭୂଷଣ ନାଏକ, ବାଙ୍ଗିରିପୋଷି ଏସ୍‌ଆଇ ଘନଶ୍ୟାମ ମଲ୍ଲିକ, ବାରିପଦା ପିଏ, ଆଇଟିଡିଏ ବସନ୍ତ କୁମାର ସେଠୀ, ଜିଲ୍ଲା ମଙ୍ଗଳ ଅଧିକାରୀ ସୁନାରାମ ସିଂ, ବ୍ଲକ୍‌ ମଙ୍ଗଳ ଅଧିକାରୀ ପ୍ରିୟବ୍ରତ ନାଏକ, ବିଡିଓ ସତ୍ୟବାନ ନାୟକ, ତହସିଲଦାର ସାହେବରାମ ବାସ୍କେ, ଆଇଟିଡିଏ ଯନ୍ତ୍ରୀ ପୀତାମ୍ବର ରାୟ ପ୍ରମୁଖ ଘଟଣାସ୍ଥଳରେ ଉପସ୍ଥିତ ରହି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ।

ସଂଧ୍ୟା ୬ଟାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ମେଲ୍‌ ଯୋଗେ ତୁରନ୍ତ ବିଦ୍ୟାଳୟରେ ୬ ଜଣ ଶିକ୍ଷକ ନିଯୁକ୍ତ ହେବା ସହ ସପ୍ତାହକୁ ୪ ଦିନ ଖାଦ୍ୟର ମାନ ଯାଞ୍ଚ କରାଯିବା, ସ୍ଥାନୀୟ ଲକ୍ଷ୍ମୀକାନ୍ତ ମହାବିଦ୍ୟାଳୟ ଲାବ୍‌ରେ ଅସ୍ଥାୟୀ ଭାବେ ପ୍ରାକ୍ଟିକାଲ୍‌ କରିବା, ଶ୍ରେଣୀଗୃହଗୁଡ଼ିକର ମରାମତି କରାଯିବା ନେଇ ସୂଚନା ଦିଆଯାଇଥିଲା। ତା’ ପରେ ବି ଛାତ୍ରଛାତ୍ରୀ ଜିଲ୍ଲାପାଳଙ୍କୁ ଭେଟିବା ଦାବିରେ ରାସ୍ତା ଅବରୋଧ କରି ରଖିଥିଲେ। ତେବେ ରାତି ପ୍ରାୟ ୮ଟା ବେଳେ ଅତିରିକ୍ତ ଜିଲ୍ଲାପାଳ ସୁରେଶ ପାତ୍ର ପହଞ୍ଚି ବୁଝାସୁଝା କରିଥିଲେ ଏବଂ ଗାଡ଼ି କରି ଛାତ୍ରଛାତ୍ରୀଙ୍କୁ ହଷ୍ଟେଲ୍‌ରେ ଛାଡ଼ିଥିଲେ। ଅନ୍ୟପଟେ ଛାତ୍ରଛାତ୍ରୀଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଥିବାରୁ ପିଏ-ଆଇଟିଡିଏ ବସନ୍ତ କୁମାର ସେଠୀ କାର୍ଯ୍ୟାନୁଷ୍ଠାନ ଦାବି କରି ବିଦ୍ୟାଳୟର ଅଧ୍ୟକ୍ଷ ଓ ସମସ୍ତ ଶିକ୍ଷକଙ୍କ ନାମରେ ବାଙ୍ଗିରିପୋଷି ଥାନାରେ ଏତଲା ଦେଇଥିବା ଜଣାପଡ଼ିଛି।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି