ଖେଳ ଦେଶ ବିଦେଶ ରାଜ୍ୟ

୬ ବର୍ଷ ପରେ ହାରିଲେ ଦୂତି, ଅମିୟ ବି ନିରାଶ କଲେ ଶ୍ରୀଶଙ୍କରଙ୍କୁ ଅଲିମ୍ପିକ୍ସ ଯୋଗ୍ୟତା

ଭୁବନେଶ୍ବର: ପଞ୍ଜାବର ପାତିଆଲାଠାରେ ସୋମବାରଠାରୁ ଆରମ୍ଭ ହୋଇଥିବା ୨୪ତମ ଜାତୀୟ ବରିଷ୍ଠ ଫେଡେରେସନ୍ କପ୍ ଦୌଡ଼କୁଦ ପ୍ରତିଯୋଗିତାର ଦ୍ବିତୀୟ ଦିନରେ ଏକ ବଡ଼ ଧରଣର ଓଲଟପାଲଟ ଦେଖିବାକୁ ମିଳିଛି। ପ୍ରତୀକ୍ଷିତ ମହିଳା ୧୦୦ ମିଟର ଦୌଡ଼ରେ ଦେଶର ଦ୍ରୁତତମ ଧାବିକା ତଥା ଅଲିମ୍ପିଆନ୍ ଦୂତି ଚାନ୍ଦ ଏବଂ ବିଶ୍ବ କନିଷ୍ଠ ଦୌଡ଼କୁଦ ସ୍ବର୍ଣ୍ଣ ପଦକ ବିଜୟିନୀ ହିମା ଦାସଙ୍କ ଭଳି ଚର୍ଚ୍ଚିତ ଓ ଦକ୍ଷ ଧାବିକାଙ୍କୁ ପଛରେ ପକାଇ ତାମିଲନାଡୁର ଧନଲକ୍ଷ୍ମୀ ପ୍ରଥମ ସ୍ଥାନ ଅଧିକାର କରି ସ୍ବର୍ଣ୍ଣ ପଦକ ଜିତି ନେଇଛନ୍ତି। ୧୧.୩୯ ସେକେଣ୍ଡ ସମୟ ସହ ଧନଲକ୍ଷ୍ମୀ ଯେତେବେଳେ ଦୂତିଙ୍କଠାରୁ ୦.୧୯ ସେକେଣ୍ଡ କମ୍ ସମୟ ନେଇ ଫିନିସିଂ ରେଖା ପାର କଲେ, ସେତେବେଳେ ସେଠାରେ ଉପସ୍ଥିତ ଥିବା ଅଧିକାରୀ ଏବଂ ଖେଳାଳି ଏହାକୁ ଆଦୌ ବିଶ୍ବାସ କରି ପାରି ନଥିଲେ।

ଏଠାରେ ଆୟୋଜିତ ଇଣ୍ଡିଆନ୍ ଗ୍ରାଁପ୍ରିର ଚଳିତବର୍ଷର ଦୁଇଟି ଯାକ ସଂସ୍କରଣରେ ଚମତ୍କାର ପ୍ରଦର୍ଶନ କରିଥିବା ଦୂତି ବି ଦୀର୍ଘ ବ୍ୟବଧାନ ପରେ କୌଣସି ଜାତୀୟସ୍ତରୀୟ ପ୍ରତିଯୋଗିତାର ଦ୍ବିତୀୟ ସ୍ଥାନରେ ସନ୍ତୁଷ୍ଟ ରହି ରୌପ୍ୟ ପଦକ ଜିତିବାକୁ ବାଧ୍ୟ ହୋଇଥିଲେ। ୧୧.୫୮ ସେକେଣ୍ଡ ସମୟ ସହ ଦୂତି ମଧ୍ୟ ଟୋକିଓ ଅଲିମ୍ପିକ୍ସ ଲାଗି ଯୋଗ୍ୟତା ଅର୍ଜନ (୧୧.୧୫ ସେକେଣ୍ଡ) କରିବାର ଆଉ ଏକ ସୁଯୋଗ ହାତଛଡ଼ା କରିଥିଲେ। ନିଜ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ (୧୧.୨୨ ସେକେଣ୍ଡ, ରାଞ୍ଚି)ଠାରୁ ବି ଢେର ପଛରେ ରହିଥିଲେ ଏହି ଓଡ଼ିଆ ଝିଅ। ଭାରତୀୟ ଧାବିକାଙ୍କୁ ନେଇ ଆୟୋଜିତ କୌଣସି ପ୍ରତିଯୋଗିତାରେ ଶେଷ ଥର ପାଇଁ ୨୦୧୫ ମସିହାରେ ଭୋପାଳଠାରେ ଆ‌‌ୟୋଜିତ ଅନ୍ତଃରେଳବାଇ ମିଟ୍‌ରେ ଦୂତି ପ୍ରଥମ ସ୍ଥାନରେ ରହି ପାରି ନଥିଲେ। ଅନ୍ୟପକ୍ଷରେ ନିକଟରେ ଆସାମ ପୁଲିସ ବିଭାଗରେ ଡିଏସ୍‌ପି ଭାବେ ଯୋଗ ଦେଇଥିବା ହିମା ବିଫଳ ଆରମ୍ଭ କରି ଅଯୋଗ୍ୟ ଘୋଷିତ ହୋଇଥିଲେ। ପଶ୍ଚିମବଙ୍ଗର ହିମାଶ୍ରୀ ରାୟଙ୍କୁ ପଛରେ ପକାଇ ସେହି ତାମିଲନାଡୁର ଅର୍ଚ୍ଚନା ସୁସିନ୍ଦ୍ରନ୍ (୧୧.୭୬ ସେକେଣ୍ଡ) ତୃତୀୟ ସ୍ଥାନ ଅଧିକାର କରିଥିଲେ।

ଅମିୟ ବି ନିରାଶ କଲେ
ପୁରୁଷ ୧୦୦ ମିଟରରେ ଦେଶର ଦ୍ରୁତତମ ଧାବକ ତଥା ଓଡ଼ିଆ ତାରକା ଅମିୟ ମଲ୍ଲିକ ମଧ୍ୟ ନୈରାଶ୍ୟଜନକ ପ୍ରଦର୍ଶନ ସହ ସପ୍ତମ ସ୍ଥାନରେ ରହିଛନ୍ତି। କରୋନା ସଙ୍କଟ ତଥା କଟକଣା ପାଇଁ ଅଭ୍ୟାସର ପର୍ଯ୍ୟାପ୍ତ ସୁଯୋଗ ପାଇ ନଥିବା ଅମିୟ ୧୦.୭୫ ‌ସେକେଣ୍ଡ ସମୟ ନେଇ ଦୌଡ଼ ଶେଷ କରିଥିଲେ। ଯାହା ତାଙ୍କ ଜାତୀୟ କୀର୍ତ୍ତିମାନ (୧୦.୨୬ ସେକେଣ୍ଡ) ଓ ଅଲିମ୍ପିକ୍ସ ଯୋଗ୍ୟତା ସମୟ (୧୦.୦୫ ସେକେଣ୍ଡ)ଠାରୁ ଯଥେଷ୍ଟ ଅଧିକ ଥିଲା। ଏହି ବର୍ଗରେ ପଞ୍ଜାବର ଉଦୀୟମାନ ଧାବକ ଗୁରିନ୍ଦରବୀର ସିଂହ (୧୦.୩୨ ସେକେଣ୍ଡ) ପ୍ରଥମ, ତାମିଲନାଡୁର ଏଲାକିଆଦସନ୍ କନ୍ନଡ (୧୦.୪୩ ସେକେଣ୍ଡ) ଦ୍ବିତୀୟ ଓ ମହାରାଷ୍ଟ୍ରର କୃଷ୍ଣକୁମାର ସତୀଶ ରାୟ (୧୦.୫୬ ସେକେଣ୍ଡ) ତୃତୀୟ ସ୍ଥାନ ଅଧିକାର କରିଥିଲେ।

ଶ୍ରୀଶଙ୍କରଙ୍କୁ ଅଲିମ୍ପିକ୍ସ ଯୋଗ୍ୟତା
ମଙ୍ଗଳବାର ଭାରତୀୟ ଯୁବ ଲମ୍ବଡିଆଁ ତାରକା କେରଳର ମୁରଲୀ ଶ୍ରୀଶଙ୍କରଙ୍କ ପାଇଁ ବେଶ୍ ସ୍ମରଣୀୟ ଥିଲା। ଏହି ୨୨ ବର୍ଷୀୟ ତାରକା ୮.୨୬ ମିଟର ଦୂରତାକୁ ଲମ୍ଫ ମାରି ନୂଆ ଜାତୀୟ କୀର୍ତ୍ତିମାନ ସ୍ଥାପନ କରିବା ସହ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରି ନେଇଥିଲେ। ନିଜ ପଞ୍ଚମ ପ୍ରୟାସରେ ହିଁ ସେ ଏହି ସ୍ମରଣୀୟ ସଫଳତା ପାଇଥିଲେ। ଅଲିମ୍ପିକ୍ସ ଯୋଗ୍ୟତା ଦୂରତା ୮.୨୨ ମିଟରକୁ ଟପି ଯାଇଥିଲେ। ନିଜ ପ୍ରଥମ ପ୍ରୟାସରେ ଶ୍ରୀଶଙ୍କର ୮.୦୨, ଦ୍ବିତୀୟରେ ୮.୦୪, ତୃତୀୟରେ ୮.୦୭ ଏବଂ ଚତୁର୍ଥରେ ୮.୦୯ ଦୂରତାକୁ ଡେଇଁଥିଲେ। ସେ ମଧ୍ୟ ଭୁବନେଶ୍ବରଠାରେ ନିଜେ ସ୍ଥାପନ କରିଥିବା ୮.୨୦ ମିଟର କୀର୍ତ୍ତିମାନକୁ ଭାଙ୍ଗିଥିଲେ। କେରଳର ମହମ୍ମଦ ଆନିସ୍ ୟାହିୟା (୮ ମିଟର) ଓ କର୍ଣ୍ଣାଟକର ଏସ୍ ଲୋକେଶ (୭.୬୦ ମିଟର) ତୃତୀୟ ସ୍ଥାନ ଅଧିକାର କରିଥିଲେ। ୧୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାର ପ୍ରଥମ ଦିନରେ ଜାଭେଲିନ୍ ତାରକା ଅନୁରାଣୀ (୬୩.୨୪ ମିଟର) ନୂଆ ଜାତୀୟ କୀର୍ତ୍ତିମାନ ସ୍ଥାପନ କରିଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ