ଭୁବନେଶ୍ବର : ୫-ଟି ସଚିବ ଭି କେ ପାଣ୍ଡିଆନ୍ଙ୍କୁ ନେଇ ଆରମ୍ଭ ହୋଇଥିବା ରାଜନୈତିକ ବୟାନବାଜି ଆହୁରି ତେଜିବାରେ ଲାଗିଛି। ଆଜି ପୁଣି ବିଜେପି ନେତାମାନେ ୫-ଟି ସଚିବଙ୍କୁ ଟାର୍ଗେଟ୍ କରିଛନ୍ତି। ବିଜେପି-ବିଜେଡି ମୁହାଁମୁହିଁ ସ୍ଥିତିରେ ଥିବା ବେଳେ ଆଜି ଆଉ ଏକ ରୋଚକ ଘଟଣା ଘଟିଛି। ୫-ଟି ସଚିବଙ୍କ ପାଇଁ ଓକିଲାତି କରିବାକୁ ଯାଇ ବିଜେଡିର ବରିଷ୍ଠ ବିଧାୟକ ପ୍ରଫୁଲ୍ଲ ସାମଲ ହଟ୍ଟହଟ୍ଟା ହୋଇଛନ୍ତି। ତାଙ୍କୁ ନିଜ ଦଳରୁ ହିଁ ତୀବ୍ର ସମାଲୋଚନାର ଶୀକାର ହେବାକୁ ପଡ଼ିଛି।
ଗତକାଲି ଶ୍ରୀ ସାମଲ ୫-ଟି ସଚିବଙ୍କ ଗସ୍ତକୁ ଯଥାର୍ଥ ବୋଲି ଯୁକ୍ତି ବାଢ଼ିଥିଲେ। ତେବେ ସେ କହିଥିଲେ, ‘ବର୍ତ୍ତମାନ ନବୀନ ବାବୁ ନିଜେ ସବୁଆଡ଼େ ଯାଇ ପାରୁ ନଥିବାରୁ ସେ ତାଙ୍କ ବ୍ୟକ୍ତିଗତ ସଚିବଙ୍କୁ ପଠାଉଛନ୍ତି।’ ତାଙ୍କର ଏହି ପଦେ କଥାକୁ ବିରୋଧୀ ଆଜି ଅସ୍ତ୍ର କରିଥିଲେ। ସାଂସଦ ଅପରାଜିତା ଷଡ଼ଙ୍ଗୀ ଟ୍ବିଟ୍ କରି କଟାକ୍ଷ କରିଥିଲେ ଯେ ରାଜ୍ୟରେ ବୁଲିବାକୁ ମୁଖ୍ୟମନ୍ତ୍ରୀଙ୍କ ଅକ୍ଷମତା ସମ୍ପର୍କରେ ଶ୍ରୀ ସାମଲ କହିଛନ୍ତି। ଏହା ଚିନ୍ତାର ବିଷୟ। କାହିଁକି ଏହି ଅକ୍ଷମତା? କ’ଣ ହୋଇଛି ମୁଖ୍ୟମନ୍ତ୍ରୀଙ୍କର? ରାଜ୍ୟବାସୀ ଏହାର କାରଣ ଜାଣିବାକୁ ଚାହୁଛନ୍ତି।
ମୁଖ୍ୟମନ୍ତ୍ରୀ ସ୍ପଷ୍ଟୀକରଣ ଦିଅନ୍ତୁ: ସାଲୁଜା
ସଚିବ ଇସ୍ତଫା ଦେଇ ରାଜନୀତି କରନ୍ତୁ: ମୋହନ
ଏହି ପ୍ରସଙ୍ଗରେ ବିଜେଡି ଅକଳରେ ପଡ଼ିଯାଇଥିଲା। ବିଧିବଦ୍ଧ ଭାବେ ସାମ୍ବାଦିକ ସମ୍ମିଳନୀ ଡାକି କୌଣସି ନେତା ଏହି ପ୍ରସଙ୍ଗରେ କିଛି ପ୍ରତିକ୍ରିୟା ରଖି ନଥିଲେ। ମାତ୍ର ଗଣମାଧ୍ୟମକୁ ଢେଙ୍କାନାଳ ବିଧାୟକ ସୁଧୀର ସାମଲ କହିଥିଲେ, ‘କେଉଁ ବୟସ୍କ ନେତା ବାଚଳାମି କରି କ’ଣ କହିବେ ସେଥିରେ କିଛି କହିବାର ନାହିଁ। ମୁଖ୍ୟମନ୍ତ୍ରୀ ଯାଇ ପାରୁଛନ୍ତି କି ନାହିଁ ତାହା ସମସ୍ତେ ଦେଖୁଛନ୍ତି। ଭୁବନେଶ୍ୱରରେ ଯେଉଁ କାର୍ଯ୍ୟକ୍ରମ ହେଉଛି, ସେଥିରେ ମୁଖ୍ୟମନ୍ତ୍ରୀ ଯୋଗ ଦେଉଛନ୍ତି।’ ଏହି ପ୍ରସଙ୍ଗରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା କହିଛନ୍ତି, ଓଡ଼ିଶାବାସୀ ମୁଖ୍ୟମନ୍ତ୍ରୀଙ୍କୁ ଭୋଟ୍ ଦେଇଛନ୍ତି। ବିଜେଡି ନେତାଙ୍କ ମନ୍ତବ୍ୟ ଲୋକଙ୍କ ଭିତରେ ସନ୍ଦେହ ସୃଷ୍ଟି କରୁଛି। ମୁଖ୍ୟମନ୍ତ୍ରୀ ନିଜେ ସୁସ୍ଥ ଅଛନ୍ତି ଓ ଓଡ଼ିଶାର ଶାସନ ସମ୍ଭାଳୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନିଜେ ସ୍ପଷ୍ଟୀକରଣ ଦେବା ଦରକାର।
ଏପଟେ ବିଜେପି ବିଧାୟକ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, ୫-ଟି ସଚିବ ଭି କେ ପାଣ୍ଡିଆନ୍ ସରକାରୀ କର୍ମଚାରୀ। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ପରି ତାଙ୍କର ଗସ୍ତ ନେଇ ବି ମିନିଟ୍ ଟୁ ମିନିଟ୍ ପ୍ରୋଗ୍ରାମ ହେଉଛି। ତାଙ୍କ ସଭାରେ ଲୋକ ଠୁଳ କରାଯାଉଛି। ସେ ଅସାମ୍ବିଧାନିକ ଭାବେ ଜନସଭା କରୁଛନ୍ତି ଓ ସେଥିରେ ଭାଷଣ ଦେଉଛନ୍ତି। ବିଭିନ୍ନ ପ୍ରକଳ୍ପ ବି ଘୋଷଣା କରୁଛନ୍ତି। ଏହା ଦୁର୍ଭାଗ୍ୟଜନକ। ଯଦି ପାଣ୍ଡିଆନ୍ ବାବୁଙ୍କର ରାଜନୀତି କରିବାର ଅଛି, ତେବେ ସିଧାସଳଖ ଚାକିରିରୁ ଇସ୍ତଫା ଦେଇ ରାଜନୀତି କରନ୍ତୁ। କେହି କିଛି କହିବେ ନାହିଁ। କିନ୍ତୁ ଚାକିରିରେ ରହି ଏପରି ସବୁ କରିବାରେ ପ୍ରତିବନ୍ଧକ ଅଛି।
ଶ୍ରୀ ମାଝୀ ଆହୁରି କହିଲେ ଯେ ନିକଟରେ ୫-ଟି ସଚିବ କେନ୍ଦୁଝର ଯାଇଥିଲେ। ତାଙ୍କ ଗସ୍ତ ପୂର୍ବରୁ ଦୁଇ ଜଣ ମନ୍ତ୍ରୀ, ବିଧାୟକ, ୬ ସଚିବ କେନ୍ଦୁଝର ଯାଇ ପ୍ରସ୍ତୁତି କାର୍ଯ୍ୟର ତଦାରଖ କରିଥିଲେ। ନିଜକୁ ତାଙ୍କ ଚୌକିଦାର କହୁଥିବା ବବି ବାବୁ ପଡ଼ିଆରୁ ଘାସ ବି ଉଠାଇ ଦେଉଥିଲେ। ଯଦି ଜନପ୍ରତିନିଧିମାନେ ପାଣ୍ଡିଆନ୍ଙ୍କ କାର୍ଯ୍ୟକ୍ରମକୁ ତଦାରଖ କରିବେ, ତେବେ ଗଣତନ୍ତ୍ର ରହିଲା କେଉଁଠି? ମୁଖ୍ୟମନ୍ତ୍ରୀଙ୍କ ଦେହ ଖରାପ ବୋଲି ପାଣ୍ଡିଆନ୍ ବାବୁ ଏସବୁ କାମ କରୁଥିବା କୁହାଯାଉଛି। ମୁଖ୍ୟମନ୍ତ୍ରୀଙ୍କର ଦେହ ଯଦି ଅସୁସ୍ଥ ଅଛି, ତେବେ ସେ କୌଣସି କ୍ୟାବିନେଟ୍ ମନ୍ତ୍ରୀଙ୍କୁ ଦାୟିତ୍ବ ଦେଇ ପଠାଇପାରିବେ। କିନ୍ତୁ ଜଣେ ସରକାରୀ କର୍ମଚାରୀ ଜନସଭାରେ ଭାଷଣ ଦେବା କେତେଦୂର ଠିକ୍। ସାଉଥ୍ ଇଣ୍ଡିଆନ୍ କମ୍ପାନି ଭାବେ ପାଣ୍ଡିଆନ୍ ବାବୁ ଏଠି ରାଜ୍ କରୁଛନ୍ତି। ଠିକାଦାର, ଅଧିକାରୀ ଓ ଆଉଟ୍ସୋର୍ସିଂ କମ୍ପାନି ସବୁ ଏଠି ପୂରାଇଛନ୍ତି। ଏହାର ଶେଷ ଖୁବ୍ ଶୀଘ୍ର ହେବ।
ବିଜେପି ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଡକାଯାଇ ସୂଚନା ଅଧିକାର ଆଇନରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ସମ୍ପର୍କରେ କୁହାଯାଇଥିଲା। ଦଳର ମୁଖପାତ୍ର ଅନିଲ ବିଶ୍ବାଳ କହିଥିଲେ, ସୂଚନା ଅଧିକାର ଆଇନରେ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ଜନଶୁଣାଣି ବା ସମୀକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କ ବ୍ୟକ୍ତିଗତ ସଚିବଙ୍କୁ ସେପରି କିଛି ଅଧିକାର ବା ଅନୁମତି ଦେଇନାହାନ୍ତି। ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ କେତେ ଥର ହେଲିକପ୍ଟର୍ ବ୍ୟବହାର କରିଛନ୍ତି ବୋଲି ପଚରାଯାଇଥିବା ପ୍ରଶ୍ନରେ ଉତ୍ତର ମିଳିଛି ଯେ ସେ ଆଦୌ ହେଲିକପ୍ଟରରେ ଗସ୍ତ କରିନାହାନ୍ତି। କିନ୍ତୁ ଏବେ ବ୍ୟକ୍ତିଗତ ସଚିବ ସବୁ ସ୍ଥାନକୁ ହେଲିକପ୍ଟରରେ ଯାଉଛନ୍ତି। ଏହା କ’ଣ ଘରୋଇ ହେଲିକପ୍ଟର୍ କି? ଏହାର ଅର୍ଥ କିଏ ବହନ କରୁଛି ବୋଲି ବିଜେପି ପ୍ରଶ୍ନ କରିଛି। ସେହିପରି ମୁଖ୍ୟମନ୍ତ୍ରୀ ବିନା ଅନୁମତିରେ ଜଣେ ଅଧିକାରୀ କିପରି ଜନଶୁଣାଣି ବା ସମୀକ୍ଷା କରୁଛନ୍ତି ବୋଲି ଦଳ ପ୍ରଶ୍ନ କରିଛି।