ରାଜ୍ୟ ସ୍ପେଶାଲ ରିପୋର୍ଟ

୫-ଟିରେ ସାମିଲ ହେବ ଖୋର୍ଦ୍ଧାର ସବୁ କଲେଜ: ଜନତା ମଇଦାନ ସଭାକୁ ନେଇ କେଁ ଉଠିଲା

ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲାର ୭୦ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(ଯୁକ୍ତ୨ କଲେଜ) ଓ ୩୮ଟି ଡିଗ୍ରି କଲେଜକୁ ୫-ଟି କାର୍ଯ୍ୟକ୍ରମ ଅଧୀନରେ ସାମିଲ କରାଯାଇଛି। ୬୬ କୋଟି ୭୫ ଲକ୍ଷ ଟଙ୍କା ବ୍ୟୟରେ ୧୦୮ଟି ଶିକ୍ଷାନୁଷ୍ଠାନର ରୂପାନ୍ତରୀକରଣ କରାଯିବ। ୬ ମାସ ମଧ୍ୟରେ କ୍ୟାମ୍ପସରେ ଅତ୍ୟାଧୁନିକ କ୍ଲାସରୁମ୍‌ ସାଙ୍ଗକୁ ଲାବରେଟୋରି, ଲାଇବ୍ରେରି ପରି ସୁବିଧା ଉପଲବ୍ଧ ହେବ।ଏ ନିଷ୍ପତ୍ତିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଥିବା ସମ୍ପର୍କରେ ଆଜି ଜନତା ମଇଦାନରେ ଖୋର୍ଦ୍ଧା ଜିଲ୍ଲାର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଡିଗ୍ରି କଲେଜ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବା ସମୟରେ ୫-ଟି ସଚିବ ଭିକେ ପାଣ୍ଡିଆନ୍‌ ସୂଚନା ଦେଇଛନ୍ତି। ଅନ୍ୟପଟରେ ଗୋଟିଏ କାର୍ଯ୍ୟଦିବସରେ ଏସବୁ ପିଲାଙ୍କୁ ଆଣିବା ଲାଗି କିଏ ନିଷ୍ପତ୍ତି ନେଇଥିଲେ? ମହାବିଦ୍ୟାଳୟ ଛୁଟି ହୋଇଥିଲା କି? କଲେଜଗୁଡିକୁ ୫-ଟିରେ ସାମିଲ ନିଷ୍ପତ୍ତିଟି ଅନ୍ୟ ସବୁ ଭଳି ବିଜ୍ଞପ୍ତି ଜରିଆରେ କୁହାଯାଇପାରିଥାନ୍ତା। ଏତିକି ଶୁଣାଇବା ପାଇଁ କାହିଁକି ଗୋଟିଏ ସଭାର ଆୟୋଜନ କରାଗଲା? ଏ ସଭାର ଖର୍ଚ୍ଚ କିଏ ବହନ କଲେ? ସର୍ବୋପରି ଏତେ ସଂଖ୍ୟକ ପିଲାଙ୍କୁ ଅଣାଯିବା ବାବଦ କେଉଁଠୁ ଭରଣା ହେଲା, ସେ ନେଇ ଛାତ୍ରନେତାମାନେ ପ୍ରଶ୍ନ ଉଠାଇଲେଣି।

ବିଜେପି, ଏବିଭିପି ଓ ଛାତ୍ର କଂଗ୍ରେସ ଗର୍ଜିଲେ
ନିର୍ବାଚନ ହେଉନି, ନିଷ୍ପତ୍ତି ଶୁଣାଇବାକୁ ସଭା କାହିଁକି?
କଲେଜ ବନ୍ଦ କରି ପିଲାଙ୍କୁ ଆଣିଲେ, କିଏ ଖର୍ଚ୍ଚ ବହନ କଲେ?

ଉଲ୍ଲେଖଥାଉକି, ଶ୍ରୀ ପାଣ୍ଡିଆନ୍‌ ପରାମର୍ଶ ଦେଇଥିଲେ ଯେ ଛାତ୍ରଛାତ୍ରୀ ଭଲ ସାଙ୍ଗ ବାଛନ୍ତୁ। ପିଲାମାନେ ନିଶା, ସୋସିଆଲ ମିଡିଆ, ମଦଠାରୁ ଦୂରେଇ ରୁହନ୍ତୁ। ଆପଣମାନେ ଯେମିତି ଘରେ ଶ୍ରମ ଦାନ କରନ୍ତି, ସେମିତି କଲେଜ ରୂପାନ୍ତରରେ ଶ୍ରମଦାନ କରିବେ। କଲେଜ ବି ଆପଣଙ୍କ ଘର ଓ ମନ୍ଦିର ପରି। ନୂଆ ବର୍ଷରେ ଆପଣମାନଙ୍କର ନୂଆ କ୍ଲାସରୁମ ହେବ। ଏବେ କଲେଜ କେମିତି ଅଛି, ରୂପାନ୍ତର ପରେ କେମିତି ରହିବ, ଶ୍ରମଦାନର ସମସ୍ତ ଫଟୋ ନେଇ ଇନଷ୍ଟ୍ରାଗ୍ରାମରେ ପୋଷ୍ଟ କରିବାକୁ ଛାତ୍ରଛାତ୍ରୀଙ୍କୁ ସେ ଆହ୍ବାନ ଦେଇଥିଲେ। ଗୋଟିଏ ପଟେ ଜନତା ମଇଦାନରେ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଅନ୍ୟପଟେ ଜିଲ୍ଲାର ଅଧିକାଂଶ କଲେଜ କ୍ୟାମ୍ପସ ଖାଁ ଖାଁ ହୋଇଯାଇଥିଲା। ପିଲା ନ ଥିଲେ। ଗୋଟିଏ ଗୋଟିଏ କ୍ଲାସରେ ମାତ୍ର ୪ରୁ ୬ ଜଣ ଛାତ୍ରଛାତ୍ରୀ ବସିଥିଲେ। ଆଉ କିଛି କ୍ଲାସରେ କେହି ପିଲା ନ ଥିବାରୁ ବାତିଲ୍‌ ହୋଇଥିଲା। ମଧ୍ୟାହ୍ନ ୧୨ଟା ୩୦ରେ ୫-ଟି ସଚିବଙ୍କ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଥିବା ବେଳେ ଦୂରଦୂରାନ୍ତ କଲେଜ ପିଲାଙ୍କୁ ସକାଳ ୮ଟାରୁ ବସ୍‌ରେ ଜନତା ମଇଦାନକୁ ଅଣାଯାଇଥିଲା। ହଜାର ହଜାର ଛାତ୍ରଛାତ୍ରୀ ବର୍ଷାରେ ଭିଜିଥିଲେ। ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟହ୍ନଭୋଜନ ହୋଇଥିବା ସମ୍ପର୍କରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଲେଜ କର୍ତ୍ତୃପକ୍ଷଙ୍କୁ କରାଯାଇଥିଲେ ମଧ୍ୟ ଆବଶ୍ୟକୀୟ ବ୍ୟବସ୍ଥା କରାଯାଇ ନ ଥିବାରୁ ପିଲାମାନେ ଉପାସରେ ଫେରିଥିଲେ।

ଆହୁରି ଆଚମ୍ବିତ କରୁଥିବା କଥାଟି ହେଲା, ମହର୍ଷି କଲେଜ ଅଫ୍ ନାଚ୍ୟୁରାଲ ଲ’ ଅଧ୍ୟକ୍ଷାଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିକୁ ନେଇ ଏବେ ସବୁଠି ଚର୍ଚ୍ଚା। ମୁଖ୍ୟମନ୍ତ୍ରୀଙ୍କ ସହ ଛାତ୍ରଛାତ୍ରୀ ଆଲୋଚନା କରିବେ ବୋଲି ଛାତ୍ରଛାତ୍ରୀଙ୍କୁ କୁହାଯାଇଥିଲା। ସକାଳ ୯ଟା ସୁଦ୍ଧା ଛାତ୍ରଛାତ୍ରୀ କଲେଜରେ ପହଞ୍ଚିବାକୁ ନିର୍ଦ୍ଦେଶ ଥିଲା ଓ ସମସ୍ତ ଛାତ୍ରଛାତ୍ରୀ କଲେଜ ୟୁନିଫର୍ମ ପିନ୍ଧିବା ସହ ଆଇକାର୍ଡ ପକାଇବାକୁ ବାଧ୍ୟତାମୂଳକ ହୋଇଥିଲା। କୁହାଯାଇଥିଲା ଯେ କଲେଜ ପକ୍ଷରୁ ସ୍ୱତନ୍ତ୍ର ବସ୍‌ର ବ୍ୟବସ୍ଥା ସହ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟାହ୍ନଭୋଜନର ମଧ୍ୟ ବ୍ୟବସ୍ଥା ହୋଇଛି। କାର୍ଯ୍ୟକ୍ରମ ସମୟରେ ଛାତ୍ରଛାତ୍ରୀଙ୍କୁ ଉତ୍ତମ ବ୍ୟବହାର କରିବା ପାଇଁ ତାଗିଦ୍‌ କରାଯାଇଥିଲା। ମାତ୍ର ସେଠାରେ ସବୁ ନିୟମ ବଦଳି ଯାଇଥିଲା। ରାଜ୍ୟର ଛାମୁଆ ଛାତ୍ର ସଙ୍ଗଠନମାନେ ଏସବୁକୁ ସହଜରେ ଗ୍ରହଣ କରିପାରି ନାହାନ୍ତି। ବିଜେପି ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡାଙ୍କ କହିବାନୁଯାୟୀ, କଲେଜ ଓ ବିଶ୍ବବିଦ୍ୟାଳୟରେ ଅଧ୍ୟାପକ ପଦ ଖାଲି ପଡ଼ିଛି। ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ମିଳୁନି। ଏଭଳି ସମୟରେ ୧୮ରୁ ୨୨ ବର୍ଷ ପିଲାଙ୍କୁ ଏକାଠି କରିବା ପଛରେ କେବଳ ଭୋଟ ବିକଳ ରାଜନୀତି। ମିଛ କୁହାଯାଇ ପିଲାଙ୍କୁ ଅଣାଯାଇଛି। ନବୀନ ନିବାସଠାରୁ ୮ କିମି ଭିତରେ କାର୍ଯ୍ୟକ୍ରମ ହେଉଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ କାହିଁକି ଯାଇପାରିଲେ ନାହିଁ। ସାଧାରଣ ଲୋକଙ୍କ ଅର୍ଥରେ ଦଳୀୟ କାର୍ଯ୍ୟକ୍ରମ କରାଯାଇ ସରକାରୀ କାର୍ଯ୍ୟକ୍ରମର ରୂପ ଦିଆଯିବା ଆଦୌ ଗ୍ରହଣୀୟ ନୁହେଁ।

ଏବିଭିପି ରାଜ୍ୟ ସମ୍ପାଦକ ଅରିଜିତ୍‌ ପଟ୍ଟନାୟକ କହିଛନ୍ତି ବଳପୂର୍ବକ ଛାତ୍ରଛାତ୍ରୀଙ୍କୁ କାର୍ଯ୍ୟକ୍ରମକୁ ନିଆଯାଇଥିଲା। ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ ବୋଲି ଛାତ୍ରଛାତ୍ରୀଙ୍କୁ କୁହାଯାଇ ବସ୍‌ରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ୫-ଟି ସଚିବ ଆଲୋଚନା କଲେ। ବ୍ୟାପକ ଅବ୍ୟବସ୍ଥା ମଧ୍ୟ ଦେଖିବାକୁ ମିଳିଲା। ପିଲାମାନେ ଖାଇବାକୁ ପାଇଲେ ନାର୍ହି। ବର୍ଷାରେ ଭିଜି ହଟହଟା ହୋଇଛନ୍ତି। କ୍ୟାମ୍ପସରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ କରି ଶାସନ ଦଳ ଏଠାରେ ରାଜନୀତି କରୁଛି। ଏଭଳି ଘଟଣାକୁ ଏବିଭିପି ନିନ୍ଦା କରୁଛି ଏବଂ ଆଗାମୀ ଦିନରେ ଆନ୍ଦୋଳନ କରିବ। ଛାତ୍ର କଂଗ୍ରେସ ସଭାପତି ୟାସିର୍ ନୱାଜ କହିଛନ୍ତି ଛାତ୍ର ସଂସଦ ନିର୍ବାଚନ କରୁନାହାନ୍ତି। ଛାତ୍ର ବିଜେଡି କ୍ୟାମ୍ପସ କମିଟି ଗଠନ କରି ନିଜ ଦଳରେ ସାମିଲ କରିବାକୁ ପିଲାଙ୍କ ଉପରେ ଚାପ ପକାଉଛି। ଧମକ ଦିଆଯାଉଛି। ଏହାକୁ ବରଦାସ୍ତ କରାଯିବ ନାହିଁ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।