ରାଜ୍ୟ ସ୍ପେଶାଲ ରିପୋର୍ଟ

୫ କଲରାପତରିଆ ଚମଡ଼ା ଜବତ: ୭ ମାଫିଆ ଗିରଫ

ଭୁବନେଶ୍ବର: ଅନ୍ତଃରାଜ୍ୟ ବନ୍ୟପ୍ରାଣୀ ଚୋରାକାରବାର କରୁଥିବା ବଡ଼ ରୢାକେଟ୍‌ର ପର୍ଦ୍ଦାଫାସ କରିଛି ଗଜପତି ଜିଲ୍ଲା ବନ୍ୟପ୍ରାଣୀ ବିଭାଗ। ରାଜ୍ୟ ବାହାରକୁ ଚାଲାଣ ପାଇଁ ଯୋଜନା ଚାଲିଥିବା ବେଳେ ବନ କର୍ମଚାରୀ ୭ ମାଫିଆଙ୍କୁ ଘଟଣା ସ୍ଥଳରୁ ଗିରଫ କରିଛି। ସେମାନଙ୍କଠାରୁ ୫ଟି କଲରାପତରିଆ ବାଘ ଚମଡା ସହ ଗୋଟିଏ ଫିସିଂ କ୍ୟାଟ୍‌ ଚମଡ଼ା ଓ ଗୋଟିଏ କଲରାପତରିଆ ଜଙ୍ଗଲୀ ବିଲେଇ ଚମଡ଼ା ଜବତ ହୋଇଛି। ଏହାସହ ମାଫିଆଙ୍କ ନିକଟରୁ ବିପୁଳ ପରିମାଣର ବଜ୍ରକାପ୍ତା କାତି ମଧ୍ୟ ଜବତ ହୋଇଛି। ଏହି ରୢାକେଟ୍‌ର ମୁଖ୍ୟ କାର୍ପଟଦାର ଓ ଏଥିରେ ସଂପୃକ୍ତ ଅନ୍ୟମାନଙ୍କୁ ଧରିବାପାଇଁ ବନ୍ୟପ୍ରାଣୀ ବିଭାଗ ଜୋର୍‌ଦାର ଉଦ୍ୟମ ଚଳାଇଛି। ଗିରଫ ମାଫିଆମାନଙ୍କୁ ଗଜପତି କୋର୍ଟକୁ ଚାଲାଣ କରାଯାଇଛି। ତେବେ ଏତେ ପରିମାଣର କଲରାପତରିଆ ଚମଡ଼ା ଏମାନେ କେଉଁଠୁ ଆଣିଲେ, କାହାକୁ ବିକିଥାନ୍ତେ ଓ କେତେ ଟଙ୍କାରେ ବିକ୍ରି ପାଇଁ ଯୋଜନା ହୋଇଥିଲା, ତାକୁ ନେଇ ଖୋଳତାଡ଼ କରୁଛି ବନ୍ୟପ୍ରାଣୀ ବିଭାଗ।

ରାଜ୍ୟ ବନ୍ୟପ୍ରାଣୀ ବିଭାଗ ପିସିସିଏଫ୍‌ ସୁଶାନ୍ତ କୁମାର ନନ୍ଦଙ୍କ ସୂଚନା ଅନୁସାରେ ଏହି କାରବାରରେ ଅନ୍ତଃରାଜ୍ୟ ରୢାକେଟ୍‌ ସଂପୃକ୍ତ। ଯାହାକି ଓଡ଼ିଶା ଓ ପଶ୍ଚିମବଙ୍ଗ ସହ ଅନ୍ୟ ରାଜ୍ୟକୁ ବ୍ୟାପିଛି। ଗିରଫ ୭ ମାଫିଆ ଗଜପତି ଜିଲ୍ଲାର ବାସିନ୍ଦା। ଏମାନେ ପାରିତୋଷିକ ନେଇ ମଧ୍ୟସ୍ଥି କାମ କରୁଥିଲେ। ମଧ୍ୟସ୍ଥିଙ୍କ ଠାରୁ ଆରମ୍ଭ କରି ମୁଖ୍ୟ କାର୍ପଟଦାର ପର୍ଯ୍ୟନ୍ତ ୪ଟି ସ୍ତରରେ ଏହି ଚୋରା କାରବାର ଚାଲିଥିବା ସୂଚନା ମିଳିଛି। ଏମାନେ କେଉଁ ମୁଖ୍ୟ କାର୍ପଟଦାରଙ୍କୁ ଦେଇଥାନ୍ତେ, ତାହାର ସୂଚନା ଓ ଶିକାରୀଙ୍କ ସଂପର୍କରେ ବନ୍ୟପ୍ରାଣୀ ବିଭାଗ ପାଖରେ ତଥ୍ୟ ଅଛି। ତେବେ ଏତେ ପରିମାଣର କଲରାପତରିଆ ଚମଡ଼ା ଓ ଅନ୍ୟ ବନ୍ୟପ୍ରାଣୀ ଚମଡା ଓ ଅଙ୍ଗ ମଧ୍ୟରୁ କିଛି ରାଜ୍ୟ ଭିତରେ ଶିକାର ହୋଇଥିବା ବନ୍ୟପ୍ରାଣୀଙ୍କ ହୋଇଥିବା ବେଳେ ଆଉ କିଛି ରାଜ୍ୟ ବାହାରୁ ଆସିଛି। ଅଧିକ ସୂଚନା ଜାଣିବାପାଇଁ ଅଭିଯୁକ୍ତମାନଙ୍କୁ ବନ୍ୟପ୍ରାଣୀ ବିଭାଗର ଜଏଣ୍ଟ୍‌ ଟାସ୍କ ଫୋର୍ସ (ଜେଟିଏଫ୍‌) ରିମାଣ୍ଡ୍‌ରେ ଆଣିବ ବୋଲି ଶ୍ରୀ ନନ୍ଦ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ ଗତ ୪ ବର୍ଷ ମଧ୍ୟରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ୫୫ରୁ ଅଧିକ କଲରାପତରିଆ ଚମଡ଼ା ପୂର୍ବରୁ କ୍ରାଇମ୍‌ ବ୍ରାଞ୍ଚର ସ୍ବତନ୍ତ୍ର ଟାସ୍କଫୋର୍ସ (ଏସ୍‌ଟିଏଫ୍‌) ଜବତ କରିଛି।

ଶିକାରୀକୁ ୩ବର୍ଷ ଜେଲ୍‌

ଦଶପଲ୍ଲା: ଜଣେ ଶିକାରୀଠାରୁ କଲରାପତରିଆ ବାଘ ଛାଲ ଜବତ ମାମଲାରେ ଦଶପଲ୍ଲା କୋର୍ଟ ଆସାମୀକୁ ୩ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ୨୦୨୨ ନଭେମ୍ବର ୫ ତାରିଖ ଦିନ ଏସ୍‌ଟିଏଫ୍ ୨ଟି କଲରାପତରିଆ ବାଘ ଛାଲ ସହିତ ଅନ୍ୟାନ୍ୟ ବନ୍ୟପ୍ରାଣୀ ସାମଗ୍ରୀ ଜବତ କରିଥିଲା। ଏହି ଘଟଣାରେ ସମ୍ପୃକ୍ତ ଥିବା ଦଶପଲ୍ଲା ଥାନା ଭୋଗବାଡ଼ି ଗ୍ରାମର ଗୋପାଳ ମାଝିଙ୍କ ପୁଅ ଭାଗବତ ମାଝି ଓରଫ୍ ରମେଶଙ୍କୁ ଏସ୍‌ଟିଏଫ୍‌ ଗିରଫ କରିଥିଲା। ଗତକାଲି ଦଶପଲ୍ଲା ପ୍ରଥମଶ୍ରେଣୀ ବିଚାରବିଭାଗୀୟ ମାଜିଷ୍ଟ୍ରେଟ୍‌ ସୌମ୍ୟରଞ୍ଜନ ପୃଷ୍ଟି ଅଭିଯୁକ୍ତକୁ ୩ ବର୍ଷ କାରାଦଣ୍ଡ ସହିତ ୧୮ ହଜାର ଟଙ୍କା ଜରିମାନା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ରମେଶ କୁଆଁରିଆ ଡ୍ୟାମ୍‌ଠାରେ ଏସବୁ ସାମଗ୍ରୀ ବିକ୍ରୟ କରିବା ଲାଗି ଡିଲ୍ କରିବା ସମୟରେ ଏସ୍‌ଟିଏଫ୍ ଚଢ଼ଉ କରି ତାକୁ କାବୁ କରିଥିଲା। ତାଙ୍କୁ ଗିରଫ କରାଯିବା ପରେ ଦଶପଲ୍ଲା କୋର୍ଟରେ ହାଜର କରାଯାଇଥିଲା। ରାୟ ପ୍ରକାଶ ପାଇବା ପରେ ଅଭିଯୁକ୍ତକୁ ଜେଲ୍‌କୁ ପଠାଇ ଦିଆଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।