ଭୁବନେଶ୍ବର: ଆସନ୍ତା ୫ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିନିକଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଅବସରରେ ମୋଦୀ ଚଣ୍ଡିଖୋଲ ଠାରେ ଏକ ସାଧାରଣ ସଭାରେ େଯାଗଦେବାକୁ ଥିବାବେଳେ ରାଜ୍ୟବାସୀଙ୍କୁ ୧୯୬୦୦କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ଭେଟି ଦେବେ। ତୈଳ ଏବଂ ଗ୍ୟାସ, ରେଳବାଇ, ସଡ଼କ, ପରିବହନ ଓ ରାଜପଥ ଏବଂ ପରମାଣୁ ଶକ୍ତି କ୍ଷେତ୍ରର କେତେକ ପ୍ରକଳ୍ପକୁ ମୋଦୀ ଲୋକାର୍ପିତ, ଉଦ୍ଘାଟନ ଓ ଶିଳାନ୍ୟାସ କରିବେ। ପ୍ରଧାନମନ୍ତ୍ରୀ ଏହି ଅବସରରେ ପାରାଦୀପ ରିଫାଇନାରିରେ ଭାରତୀୟ ତୈଳ ନିଗମ ଲିମିଟେଡ୍ ମୋନୋ ଏଥାଇଲନ୍ ଗ୍ଲାଇକଲ୍ ପ୍ରକଳ୍ପକୁ ଉଦ୍ଘାଟନ କରିବେ। ଯାହା ଭାରତର ଆମଦାନୀ ନିର୍ଭରଶୀଳତାକୁ ହ୍ରାସ କରିବାରେ ସହାୟକ ହେବ। ପାରାଦୀପରୁ ପଶ୍ଚିମବଙ୍ଗର ହଳଦିଆ ପର୍ଯ୍ୟନ୍ତ ୩୪୪ କିମି ଲମ୍ବ ଉତ୍ପାଦ ପାଇପ୍ଲାଇନ ପ୍ରକଳ୍ପ, ପୂର୍ବତଟରେ ଆମଦାନୀ ଭିତ୍ତିଭୂମି ବୃଦ୍ଧି କରିବାକୁ ପାରାଦୀପରେ ନିର୍ମିତ ୦.୬ଏମ୍ଏମ୍ଟିପିଏ ଏଲ୍ପିଜି ଆମଦାନୀ ସୁବିଧାକୁ ମଧ୍ୟ ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିବେ।
ଏହି ଅଞ୍ଚଳରେ ସଡ଼କ ଭିତ୍ତିଭୂମି ବୃଦ୍ଧି କରିବାକୁ ପ୍ରଧାନମନ୍ତ୍ରୀ ଏନ୍ଏଚ୍-୪୯ର ସିଙ୍ଗଡ଼ା ଠାରୁ ବିଞ୍ଜବାହାଲ୍ ତିଳେଇବଣି ୪ଲେନ୍ ରାସ୍ତା, ଏନ୍ଏଚ୍-୧୮ର ବାଲେଶ୍ୱର- ଝରପୋଖରିଆ ବିଭାଗର ୪ଲେନ୍ ଏବଂ ଏନ୍ଏଚ୍-୧୬ର ଟାଙ୍ଗୀ-ଭୁବନେଶ୍ୱର ୪ଲେନ୍ ରାସ୍ତାକୁ ଲୋକାର୍ପିତ କରିବେ। ଚଣ୍ଡିଖୋଲ-ପାରାଦୀପ ମଧ୍ୟରେ ୪ଲେନ୍ରୁ ୮ଲେନ୍ ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ସେହିପରି ଇଣ୍ଡିଆନ ରେୟାର ଆର୍ଥ ଲିମିଟେଡ୍ର ଓଡ଼ିଶା ସ୍ୟାଣ୍ଡ କମ୍ପ୍ଲେକ୍ସରେ ୫ଏମ୍ଏଲ୍ଡି କ୍ଷମତା ବିଶିଷ୍ଟ ସମୁଦ୍ର ଜଳ ନିଷ୍କାସନ କାରଖାନା ମଧ୍ୟ ଉଦ୍ଘାଟନ କରିବେ। ଭାବା ପରମାଣୁ ଗବେଷଣା କେନ୍ଦ୍ର ଦ୍ୱାରା ସ୍ୱଦେଶୀ ଜ୍ଞାନକୌଶଳରରେ ଏହି ପ୍ରକଳ୍ପ ନିର୍ମାଣ ହୋଇଛି। ପ୍ରଧାନମନ୍ତ୍ରୀ ୧୬୨କିମିର ବାଂଶପାଣି-ଦୈତାରୀ- ଟମକା- ଯଖପୁରା ରେଳ ଲାଇନ୍ ଦୋହରୀକରଣକୁ ଦେଶ ପାଇଁ ଉତ୍ସର୍ଗ କରିବେ। ଏହା ଯାତ୍ରୀ ପରିବହନ କ୍ଷମତାକୁ ବୃଦ୍ଧି କରିବା ସହ କେନ୍ଦୁଝର ଜିଲ୍ଲାରୁ ନିକଟ ବନ୍ଦର ଏବଂ ଇସ୍ପାତ କାରଖାନାକୁ ଲୁହା ଏବଂ ମାଙ୍ଗାନିଜ ଖଣିର ଦକ୍ଷ ପରିବହନକୁ ସୁଗମ କରିବ। ଯାହା ଆଞ୍ଚଳିକ ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହେବ। ଘରୋଇ ଏବଂ ଅନ୍ତର୍ଜାତୀୟ ବାଣିଜ୍ୟକୁ ବୃଦ୍ଧି କରିବା ଲକ୍ଷ୍ୟରେ କଳିଙ୍ଗନଗରରେ କନକୋର କଣ୍ଟେନର ଡିପୋକୁ ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିବେ। ନର୍ଲାଠାରେ ପ୍ରସ୍ତାବିତ ଇଲେକ୍ଟ୍ରିକ୍ ରେଳ ଇଞ୍ଜିନ ପିରିଓଡିକାଲ୍ ଓଭର ହ୍ବିଲିଂ କାରଖାନା, କଣ୍ଟାବାଞ୍ଜିରେ ୱାଗନ୍ ପିରିଓଡିକାଲ୍ ଓଭର ହ୍ବିଲିଂ କାରଖାନା ଏବଂ ବାଘୁଆପାଳରେ ରେଳ ଇଞ୍ଜିନ ଓ ୱାଗନ ରକ୍ଷଣାବେକ୍ଷଣ ସୁବିଧାଗୁଡ଼ିକର ନବୀକରଣ ଏବଂ କ୍ଷମତା ବୃଦ୍ଧି ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ସେହିପରି ବାଂଶପାଣି-ଦୈତାରୀ-ଟମକା-ଜଖପୁରା ରେଳ ସେକ୍ସନର ଦୋହରୀକରଣ ଏବଂ ଖୋର୍ଦ୍ଧା ରୋଡ୍- ବାରଙ୍ଗ ସେକ୍ସନର ତୃତୀୟ ଲାଇନ ସମେତ ଅନ୍ୟାନ୍ୟ ରେଳ ପ୍ରକଳ୍ପ ମଧ୍ୟ ଦେଶ ପାଇଁ ଉତ୍ସର୍ଗ କରିବେ।
କେନ୍ଦୁଝରଗଡ଼ ମାର୍ଗ ଦେଇ ପୁରୀ ଏବଂ ଆନନ୍ଦ ବିହାର (ନୂଆଦିଲ୍ଲୀ) ମଧ୍ୟରେ ନୂତନ ଟ୍ରେନ୍ କେନ୍ଦୁଝରଗଡ଼ ରେଳ ଷ୍ଟେସନରୁ ଶୁଭାରମ୍ଭ କରିବେ l କେନ୍ଦ୍ରାପଡ଼ା ଜିଲ୍ଲା ମଧ୍ୟଦେଇ ହରିଦାସପୁର-ପାରାଦ୍ୱୀପ ରେଳପଥରେ ଯାତ୍ରୀବାହୀ ଟ୍ରେନ ଚଳାଚଳ କରିବ। ପ୍ରଧାନମନ୍ତ୍ରୀ ପ୍ରଥମ ଯାତ୍ରୀବାହୀ ଟ୍ରେନ୍ର ଶୁଭାରମ୍ଭ କରିବେ। ଏହି ମାର୍ଗରେ ପ୍ରଥମଥର ଯାତ୍ରୀବାହୀ ଟ୍ରେନ ଚଳାଚଳ ପାରାଦୀପ-କେନ୍ଦୁଝରଗଡ଼ ମଧ୍ୟରେ କରିବ। ଯାଜପୁରଠାରୁ ଉତ୍ତରପ୍ରଦେଶର ଦାଦ୍ରି ପର୍ଯ୍ୟନ୍ତ କଣ୍ଟେନର ଟ୍ରେନ୍ ସେବା ପ୍ରଚଳନର ମଧ୍ୟ ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିବେ।