ଭୁବନେଶ୍ବର: ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନ କରିବାକୁ ବିଜେପି ସରକାର ପ୍ରତିଶ୍ରୁତିବଦ୍ଧ। ଆସନ୍ତା ୫ବର୍ଷ ମଧ୍ୟରେ ରାଜ୍ୟ ସରକାର ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ଶିଳ୍ପ, କ୍ରୀଡ଼ା, ନିଯୁକ୍ତି, ଗମନାଗମନ, ପୁଞ୍ଜିନିବେଶ, ପର୍ଯ୍ୟଟନ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବେ। ୨୦୩୬ରେ ଓଡ଼ିଶା ଏପରି ଏକ ରାଜ୍ୟ ହେବ ଯେଉଁଠାରେ କୃଷକଙ୍କ ଉନ୍ନତି ହେବ, ଯୁବକଯୁବତୀମାନେ ରୋଜଗାର ପାଇବେ ଏବଂ ମହିଳାମାନେ ସଶକ୍ତ ହେବେ। ତେଣୁ କୃଷକ, ଶ୍ରମିକ, ଜନଜାତି, ଯୁବଶକ୍ତି, ଅନ୍ନଦାତା ଓ ନାରୀଶକ୍ତିକୁ ପ୍ରାଥମିକତା ଦେଇ ସବୁ ଯୋଜନା କାର୍ଯ୍ୟକାରୀ ହେବ ବୋଲି ରାଜ୍ୟପାଳ ରଘୁବର ଦାସ କହିଛନ୍ତି।
ଆଜି ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭରେ ରାଜ୍ୟପାଳ ଶ୍ରୀ ଦାସ ତାଙ୍କ ଅଭିଭାଷଣରେ ନୂଆ ସରକାରର ୫ବର୍ଷର ନୀଳନକ୍ସା (ବ୍ଲୁପ୍ରିଣ୍ଟ୍) ଦେଖାଇଛନ୍ତି। ପରିବର୍ତ୍ତନ, ବିକାଶ, ସୁଶାସନ ଓ ଅସ୍ମିତାର ଆହ୍ବାନକୁ ଜନସାଧାରଣ ଭୋଟ୍ ଦେଇଥିବାରୁ ରାଜ୍ୟର ପ୍ରତି ବର୍ଗକୁ ନଜରରେ ରଖି କିପରି ଯୋଜନା ପ୍ରସ୍ତୁତ ହେବ, ପ୍ରତ୍ୟେକ ବର୍ଗ ରାଜ୍ୟର ବିକାଶ ପ୍ରକ୍ରିୟାରେ ସମାନ ଭାବେ ଅଂଶଗ୍ରହଣ କରିବେ ସେସଂପର୍କରେ ରାଜ୍ୟପାଳ ଉଲ୍ଳେଖ କରିଛନ୍ତି। ଆସନ୍ତା ୨୫ ତାରିଖରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ୍ ଆସିବାକୁ ଥିବା ବେଳେ ଏଥିରେ ରାଜ୍ୟ ସରକାର କେଉଁ କ୍ଷେତ୍ରକୁ ଅଗ୍ରାଧିକାର ଦେବେ ତା’ର ଆଭାସ ମଧ୍ୟ ଦେଇଛନ୍ତି। ରାଜ୍ୟପାଳ କହିଛନ୍ତି ଯେ ସୁସ୍ଥ ଓଡ଼ିଶା ଗଠନ ପାଇଁ ଓଡ଼ିଶାର ସ୍ବାସ୍ଥ୍ୟ ଓ ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ପ୍ରାଥମିକତା ଦିଆଯିବ। ଓଡ଼ିଶାରେ ‘ଆୟୁଷ୍ମାନ ଭାରତ- ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା’ କାର୍ଯ୍ୟକାରୀ କରାଯିବ। ସ୍ବାସ୍ଥ୍ୟ ଭିତ୍ତିଭୂମି ସୁଦୃଢ଼ କରିବାକୁ ଜିଲ୍ଲାସ୍ତରରେ ନର୍ସିଂ କଲେଜ, ଭେଷଜ ମହାବିଦ୍ୟାଳୟ ଓ ସୁପର ସ୍ପେଶାଲିଟି ହସ୍ପିଟାଲ ପ୍ରତିଷ୍ଠା କରାଯିବ। ଦୁର୍ଗମ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସୁଲଭ ସ୍ବାସ୍ଥ୍ୟସେବା ଯୋଗାଇବାକୁ ଉପକେନ୍ଦ୍ର ଓ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆରୋଗ୍ୟ ମନ୍ଦିରରେ ପରିଣତ କରାଯିବ।
ଶିକ୍ଷିତ ଓଡ଼ିଶା ଗଠନ ପାଇଁ ରାଜ୍ୟପାଳ କହିଛନ୍ତି, ଜାତୀୟ ଶିକ୍ଷାନୀତି-୨୦୨୦ ସହିତ ସଂଯୁକ୍ତ ଏକ ରାଜ୍ୟସ୍ତରୀୟ ଶିକ୍ଷାନୀତି ପ୍ରଣୟନ କରାଯିବ। ଏଥିରେ ଓଡ଼ିଆରେ ଆଇନ, ଡାକ୍ତରୀ ଓ ଇଞ୍ଜିନିୟରିଂ ପାଠ୍ୟକ୍ରମ ଉପଲବ୍ଧ କରାଯିବ। ଡିଜିଟାଲ ଶିକ୍ଷାର ବିକାଶ ପାଇଁ ସରକାରୀ ବିଦ୍ୟାଳୟଗୁଡ଼ିକରେ ଅତ୍ୟାଧୁନିକ କମ୍ପ୍ୟୁଟର ପ୍ରୟୋଗଶାଳା ସ୍ଥାପନା କରାଯିବ। ପ୍ରତ୍ୟେକ ଶିଶୁର ମୌଳିକ ସାକ୍ଷରତା ଏବଂ ସଂଖ୍ୟାତ୍ମକ ଜ୍ଞାନକୁ ସୁନିଶ୍ଚିତ କରିବା ପାଇଁ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରକୁ ୨୦୩୦ ସୁଦ୍ଧା ନୂତନ ପିଢ଼ିର ‘ସକ୍ଷମ ଅଙ୍ଗନବାଡ଼ି’ରେ ପରିଣତ କରାଯିବ। ୮୦୦ଟି ସରକାରୀ ସ୍କୁଲକୁ ପିଏମ୍-ଶ୍ରୀ ସ୍କୁଲରେ ବିକଶିତ କରାଯିବ।
ରାଜ୍ୟପାଳ ଆହୁରି କହିଛନ୍ତି, ରାଜ୍ୟର ମୋଟ୍ ଜନସଂଖ୍ୟାର ୬୦% କୃଷି କାର୍ଯ୍ୟରେ ନିୟୋଜିତ ହେଉଥିଲେ ହେଁ ଜିଏସ୍ଡିପିରେ ଓଡ଼ିଶାର ଅବଦାନ ମାତ୍ର ୨୦% ରହିଛି। କୃଷକଙ୍କ ଆୟ ବୃଦ୍ଧି ପାଇଁ ସରକାର ଜୋର୍ ଦେବେ। ସରକାର ମୂଲ୍ୟ ଶୃଙ୍ଖଳ, କୃଷି ଯାନ୍ତ୍ରିକୀକରଣ ଏବଂ ଅମଳ ପରବର୍ତ୍ତୀ ଭିତ୍ତିଭୂମି ଉପରେ ଗୁରୁତ୍ବ ଦେବେ। ‘ସମୃଦ୍ଧ କୃଷି ନୀତି’ ପ୍ରଚଳନ କରି ଓଡ଼ିଶାରେ କୃଷି କ୍ଷେତ୍ରରେ ପରିବର୍ତ୍ତନ ଅଣାଯିବ। ସ୍ବୟଂ ସହାୟକ ଗୋଷ୍ଠୀକୁ ସମୃଦ୍ଧ କରିବାକୁ ୨୦୨୭ ସୁଦ୍ଧା ଓଡ଼ିଶାରେ ୨୫ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି। ୨୦୨୭ ସୁଦ୍ଧା ପୁଷ୍ଟିହୀନତାକୁ ଯଥେଷ୍ଟ ପରିମାଣରେ ହ୍ରାସ କରିବା, କିଶୋର ବୟସ ପର୍ଯ୍ୟନ୍ତ ସମସ୍ତ ପିଲାଙ୍କୁ ପୁଷ୍ଟିକର ପରିପୂରକ ଏବଂ ସ୍ବାସ୍ଥ୍ୟ ସହାୟତା ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି।
ଓଡ଼ିଆ ଅସ୍ମିତାକୁ ପ୍ରସଙ୍ଗ କରି ବିଜେପି ରାଜ୍ୟରେ ସରକାର ଗଢ଼ିଥିବାରୁ ଏହାକୁ ମଧ୍ୟ ପ୍ରାଧାନ୍ୟ ଦିଆଯିବ। ରାଜ୍ୟପାଳ କହିଛନ୍ତି ଯେ ଓଡ଼ିଆ ଅସ୍ମିତା ଭବନ, ତାଳପତ୍ର ପାଣ୍ଡୁଲିପି ସଂଗ୍ରହାଳୟ, ଓଡ଼ିଆ ଅନୁବାଦ ଏକାଡେମି, ପାଇକ ବିଦ୍ରୋହ ସ୍ମାରକୀର ବିକାଶ, ଇ-ଲାଇବ୍ରେରି ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ବିଶ୍ବବିଦ୍ୟାଳୟରେ ଓଡ଼ିଆ ଚେୟାର ପ୍ରତିଷ୍ଠା କରାଯିବ। ଏଥିପାଇଁ ଏକ କର୍ପସ ପାଣ୍ଠି ଗଠନ କରାଯିବ। ରାଜ୍ୟ ସରକାର ଓଡ଼ିଶୀ ସଙ୍ଗୀତ ଓ ନୃତ୍ୟର ପ୍ରଶିକ୍ଷଣ ପାଇଁ ଆର୍ଥିକ ସହାୟତା ପ୍ରଦାନ କରିବେ।
ଶିଳ୍ପ କ୍ଷେତ୍ରକୁ ଅଗ୍ରାଧିକାର ଦିଆଯିବ। ଧାମରା, ପାରାଦୀପ ଓ ଗୋପାଳପୁର ବନ୍ଦର ଆଖାପାଖ ଅଞ୍ଚଳରେ ନୂତନ ଶିଳ୍ପାଞ୍ଚଳ ବିକିଶିତ କରାଯିବ। ପର୍ଯ୍ୟଟନ ଶିଳ୍ପକୁ ଅଗ୍ରାଧିକାର ଦିଆଯିବ। ଏଥିପାଇଁ ଗ୍ରାମଗୁଡ଼ିକରେ ଇକୋ ଟୁରିଷ୍ଟ ହବ୍ ଏବଂ ହୋମ୍ ଷ୍ଟେ ପ୍ରତିଷ୍ଠା କରାଯିବ। ବେକାରୀ ସମସ୍ୟା ହଟାଇ ରୋଜଗାର ସୃଷ୍ଟିକୁ ଗୁରୁତ୍ବ ଦିଆଯିବ। ୨୦୨୯ସୁଦ୍ଧା ରାଜ୍ୟରେ ୩.୫ଲକ୍ଷରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି। ରାଜ୍ୟରେ ଖାଲିଥିବା ୧.୫ଲକ୍ଷ ସରକାରୀ ପଦବିରେ ନିଯୁକ୍ତି ସୁନିଶ୍ଚିତ କରାଯିବ। ଆସନ୍ତା ଦୁଇ ବର୍ଷ ମଧ୍ୟରେ ୬୫ହଜାର ପଦବି ପୂରଣ କରାଯିବ। ଦେଶର ମୋଟ ଜନଜାତି ସଂଖ୍ୟାର ୯% ଓଡ଼ିଶାରେ ଥିବାବେଳେ ରାଜ୍ୟର ମୋଟ୍ ଜନସଂଖ୍ୟାର ୨୨.୮୫% ହେଉଛନ୍ତି ଅନୁସୂଚିତ ଜନଜାତି। ସେମାନଙ୍କର ଶିକ୍ଷା ସୁନିଶ୍ଚିତ କରିବାକୁ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଢାଞ୍ଚାରେ ଚିହ୍ନଟ ଆଶ୍ରମ ବିଦ୍ୟାଳୟଗୁଡ଼ିକର ପୁନରୁଦ୍ଧାର କରାଯିବ। ଅନୁସୂଚିତ ଅଞ୍ଚଳରେ ପଞ୍ଚାୟତ ସମ୍ପ୍ରସାରଣ (ପେସା) ଆଇନ କାର୍ଯ୍ୟକାରୀ କରିବାକୁ ପ୍ରକ୍ରିୟା ଆରମ୍ଭ କରିବେ। ସମସ୍ତଙ୍କୁ ଯେପରି ଛାତ ଘର ମିଳିବ ତାହା ନିଶ୍ଚିତ କରିବାକୁ ଗ୍ରାମାଞ୍ଚଳରେ ୧୦ଲକ୍ଷ ଏବଂ ସହରାଞ୍ଚଳରେ ୫ଲକ୍ଷ ଘର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣ କରାଯିବ।
ରାଜ୍ୟ ସରକାର ଦେଶର ସମସ୍ତ ପ୍ରମୁଖ ମେଟ୍ରୋ ଏବଂ ଅନ୍ୟ ଗୁରୁତ୍ବପୂର୍ଣ୍ଣ ସହରରେ ଓଡ଼ିଆ ସମୁଦାୟଙ୍କ ପାଇଁ ଭବନ ପ୍ରତିଷ୍ଠା କରିବେ। ସବୁ ଯୋଜନାରେ ‘ବରିଷ୍ଠ ନାଗରିକ ପ୍ରଥମ’ ନୀତି ଗ୍ରହଣ କରାଯିବ। ଭୁବନେଶ୍ବର ଓ କଟକ ମଧ୍ୟରେ ବହୁମୁଖୀ ଗମନାଗମନ ବ୍ୟବସ୍ଥା ବୃଦ୍ଧି କରିବା ସହ ବ୍ୟାପକ ବିକାଶମୂଳକ ପଦକ୍ଷେପ କାର୍ଯ୍ୟକାରୀ କରି ଏହାକୁ ବିଶ୍ବସ୍ତରୀୟ ଟ୍ବିନ୍ ସିଟିରେ ପରିଣତ କରାଯିବ। ବିଜେପି ନିର୍ବାଚନୀ ଇସ୍ତାହାରରେ ୩୦୦ୟୁନିଟ ପର୍ଯ୍ୟନ୍ତ ବିଜୁଳି ମାଗଣାରେ ଯୋଗାଇ ଦେବାକୁ ‘ପିଏମ୍-ସୂର୍ଯ୍ୟ ଘର: ମୁଫ୍ତ ବିଜୁଳି ଯୋଜନା’ ଓଡ଼ିଶାରେ ଲାଗୁ କରିବାକୁ ଘୋଷଣା କରିଥିଲା। ହେଲେ ଏବେ ଏହା କେବଳ ଗ୍ରାମାଞ୍ଚଳରେ ଲାଗୁ ହେବ ବୋଲି ଜଣାପଡ଼ିଛି। ରାଜ୍ୟପାଳ କହିଛନ୍ତି ଯେ ‘ପିଏମ୍-ସୂର୍ଯ୍ୟ ଘର: ମୁଫ୍ତ ବିଜୁଳି ଯୋଜନା’ ଅଧୀନରେ ଓଡ଼ିଶାର ଗ୍ରାମୀଣ ପରିବାରକୁ ସୌର ପ୍ୟାନେଲ୍ ଯୋଗାଇ ଦିଆଯିବ। ରାଜ୍ୟରେ ପ୍ରତିବର୍ଷ ବନ୍ୟାରେ ବ୍ୟାପକ କ୍ଷୟକ୍ଷତି ହେଉଥିବାରୁ ଏହାର ମୁକାବିଲା ପାଇଁ ଏକ ବ୍ୟାପକ ବନ୍ୟା ନିୟନ୍ତ୍ରଣ ଓ ପରିଚାଳନା ନୀତି ପ୍ରଣୟନ ହେବ। ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳତା ନୀତି ସୁନିଶ୍ଚିତ କରିବାକୁ କଠୋର ପଦକ୍ଷେପ ନିଆଯିବ। ଅଭିଯୋଗ ସମାଧାନ ଓ ଦୁର୍ନୀତି ଅଭିଯୋଗର ତଦାରଖ ପାଇଁ ଏକ ୱେବ୍ ପୋର୍ଟାଲ ପ୍ରଚଳନ କରାଯିବ ବୋଲି ରାଜ୍ୟପାଳ ତାଙ୍କ ଅଭିଭାଷଣରେ କହିଛନ୍ତି।