ବିଶ୍ବଜିତ ଦାଶ
ଭୁବନେଶ୍ବର: ଜାନୁଆରି, ୨୦୨୨ରେ ଦେବଗଡ଼ ଜିଲ୍ଲାର ତିଲେଇବଣି ବ୍ଲକର ୫ଟି ପଞ୍ଚାୟତବାସୀ ଗାଁକୁ ମୋବାଇଲ ନେଟୱର୍କ ଆସୁନଥିବାରୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟାରେ ଭାଗ ନେବେନାହିଁ ବୋଲି ଧମକ ଦେଇଥିଲେ। ଅକ୍ଟୋବର, ୨୦୨୨ରେ ଫୁଲବାଣୀର ଚକାପାଦ ବ୍ଲକ୍ ପସରା ପଞ୍ଚାୟତର ମୁଣ୍ଡାଗାଁ ନିକଟ ଡିଗିସରୁ ପାହାଡ଼ ଉପରକୁ ଚଢ଼ି ମୋବାଇଲ୍ ଇଣ୍ଟରନେଟ୍ ଖୋଜୁଥିବାବେଳେ ବଜ୍ରପାତ ଯୋଗୁ ତିନି ଜଣ ଛାତ୍ର ଗୁରୁତର ହେବା ଘଟଣା ଏବେ ବି କେହି ଭୁଲିନାହାନ୍ତି। ଏହି ଦୁଇଟି ଘଟଣା ନୁହେଁ। ଏମିତି ପୁଳାପୁଳା ଉଦାହରଣ ଏବେ ସମସ୍ତଙ୍କ ସାମ୍ନାରେ ରହିଛି। କାରଣ ଓଡ଼ିଶା ହେଉଛି ଦେଶର ଏମିତି ଏକ ରାଜ୍ୟ ଯେଉଁଠି ସବୁଠୁ ଅଧିକ ୪୩୭୫ଟି ଗାଁରେ ମୋବାଇଲ ନେଟୱର୍କ ନାହିଁ। ଡିଜିଟାଲ ଇଣ୍ଡିଆ, ଆଇଟି ହବ୍ ଓଡ଼ିଶାର ଡିଣ୍ଡିମ ପିଟାଯାଉଥିଲେ ହେଁ ଏବେବି ପ୍ରତି ଗାଁରେ ମୋବାଇଲ ନେଟୱର୍କ ସେବା ସମ୍ଭବ ହୋଇପାରିଲା ନାହିଁ। ୨୦୧୮ ମସିହାରୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପାଖରେ ରିପୋର୍ଟ ଥିଲା ଯେ ଓଡ଼ିଶାରେ ୬ହଜାରରୁ ଅଧିକ ଗାଁରେ ମୋବାଇଲ ନେଟ୍ୱର୍କ ନାହିଁ। ଆଉ ୫ବର୍ଷ ପରେ ବି ଓଡ଼ିଶା ଦେଶର ସବୁଠୁ ଅପହଞ୍ଚ (ମୋବାଇଲ ନେଟୱର୍କ ଦୃଷ୍ଟିରୁ) ରାଜ୍ୟ ହୋଇ ରହିଛି। ଟେଲି କମ୍ୟୁନିକେସନ ବିଭାଗର ସୂଚନା ଅନୁଯାୟୀ ଓଡ଼ିଶାରେ ଏବେବି ୪୩୭୫ଟି ଗାଁର ବାସିନ୍ଦା ମୋବାଇଲ ନେଟୱର୍କ ଅପେକ୍ଷାରେ ଅଛନ୍ତି। ପ୍ରାୟ ୨ହଜାର ଗାଁରେ ମୋବାଇଲ ନେଟୱର୍କ ଥିଲେ ବି ଇଣ୍ଟରନେଟ ନାହିଁ। ମାର୍ଚ୍ଚ, ୨୦୨୩ରେ ରାଜ୍ୟର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗର ମନ୍ତ୍ରୀ ଓ ସଚିବ ସାମ୍ବାଦିକ ସମ୍ମିଳନୀ କରି କହିଲେ, ରାଜ୍ୟରେ ଅଦ୍ୟାବଧି ୬୭୯୯ଟି ଗାଁରେ ମୋବାଇଲ ସେବା, ଟେଲିଫୋନ ସେବା ଓ ଇଣ୍ଟରନେଟ୍ ସେବା ଉପଲବ୍ଧ ନାହିଁ। କେନ୍ଦ୍ର ସରକାରଙ୍କ ୟୁଏସ୍ଓଏଫ୍ ଯୋଜନାରେ ୩୬୭୩ଟି ମୋବାଇଲ ଟାୱାର ପ୍ରତିଷ୍ଠା ପାଇଁ ବିନା ମୂଲ୍ୟରେ ଜମି ଯୋଗାଇ ଦିଆଯାଇଛି। ମାର୍ଚ୍ଚ, ୨୦୨୪ ସୁଦ୍ଧା ରାଜ୍ୟର ସମସ୍ତ ଗାଁରେ ମୋବାଇଲ ନେଟୱର୍କ ଉପଲବ୍ଧ ହେବ। ବିଡ଼ମ୍ବନାର ବିଷୟ ଏହା ଧୂଆଁବାଣ ହୋଇଯାଇଛି। ମାର୍ଚ୍ଚ, ୨୦୨୪ ଅର୍ଥାତ୍ କଣ୍ଟ ପୂରିବାକୁ ଆଉ ଦୁଇ ମାସ ବାକି ଥିବା ବେଳେ ଏହା ହେଉଛି ବାସ୍ତବତା। ଏହି ଲକ୍ଷ୍ୟ ୨୦୨୫ କି ୨୦୨୬ ମାର୍ଚ୍ଚରେ ପୂରଣ ହେବ କି ନାହିଁ, ସେ ନେଇ କେନ୍ଦ୍ର କି ରାଜ୍ୟ ସରକାର ଆଶ୍ବସ୍ତ କରିପାରୁନାହାନ୍ତି।
କେନ୍ଦ୍ର କି ରାଜ୍ୟ ସରକାର ଉତ୍ତର ନଦେଇପାରିବାର କାରଣ ବି ଆହୁରି ଚିନ୍ତାଜନକ। ସବୁ ଗାଁରେ ମୋବାଇଲ ଟାୱାର ବସାଇବାକୁ କେନ୍ଦ୍ର ସରକାର ଟେଣ୍ଡର ପ୍ରକ୍ରିୟା କରିନାହାନ୍ତି କି ଅର୍ଥ ବ୍ୟବସ୍ଥା କରିନାହାନ୍ତି। ତେଣୁ କେବେ ସବୁ ଗାଁରେ ମୋବାଇଲ ଟାୱାର ବସିବ ସେନେଇ କେନ୍ଦ୍ର ସରକାରଙ୍କ ଟେଲିକମ୍ୟୁନିକେସନ୍ ବିଭାଗ କିଛି ସ୍ପଷ୍ଟ କହିପାରୁନି। ଏପଟେ ସବୁ ଗାଁରେ ମୋବାଇଲ ଟାୱାର ବସିବ ସେନେଇ ରାଜ୍ୟ ସରକାର ସ୍ପଷ୍ଟ ଚିତ୍ର ନଦେଇପାରିବାର କାରଣ ହେଲା ବର୍ତ୍ତମାନ ସୁଦ୍ଧା ଯେଉଁ ୩୭୩୬ଟି ଜମିରେ ମୋବାଇଲ ଟାୱାର ବସିବ ବୋଲି ଜମି ମିଳିଛି ସେଥିରୁ ରାଜ୍ୟ ସରକାର ୩୬୭୩ଟି ଜମି ଦେଇଛନ୍ତି। ହେଲେ ଏଥିରୁ ଅଧିକାଂଶ ଗାଁକୁ ରାସ୍ତା ନାହିଁ। ଫଳରେ ମୋବାଇଲ ଟାୱାର ବସାଇବାକୁ ଥିବା ସଂସ୍ଥା କିପରି ସାମଗ୍ରୀ ନେବେ ସେନେଇ ହରଡ଼ଘଣାରେ ପଡ଼ିଛନ୍ତି। ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗକୁ ଏନେଇ ଜଣାଇବାରୁ ଉତ୍ତର ମିଳିଲା ଯେ ତୁମେ ଯେମିତି ନେଉଛ, ନିଅ। ଆମେ ନିୟମ ଅନୁଯାୟୀ ଜମି ଦେଇଛୁମାନେ ତୁମେ ଟାୱାର ବସାଇବ। ଟାୱାର ବସିନପାରିବାରୁ ଶେଷରେ ମୁଖ୍ୟସଚିବଙ୍କ ହସ୍ତକ୍ଷେପ ଲୋଡ଼ାଯାଇଥିଲା। ଏହାପରେ ରାଜ୍ୟ ସରକାର ରାସ୍ତା କରିକି ଦେବେ ବୋଲି ନିଷ୍ପତ୍ତି ହୋଇଛି। ଗାଁକୁ ରାସ୍ତା ହେଲେ ହିଁ ମୋବାଇଲ ଟାୱାର ହେବ। ତେଣୁ ରାସ୍ତା କେବେ ହେବ କେହି ଜାଣିନଥିବାରୁ ଟାୱାର କେବେ ନିର୍ମାଣ ହେବ ତାହା କେହି କହିପାରୁନାହାନ୍ତି।
ସରକାରଙ୍କ ତଥ୍ୟ ଅନୁଯାୟୀ, ଓଡ଼ିଶାରେ ୫୧୧୭୬ଟି ଗାଁ ଥିବାବେଳେ ଏବେ ୪୬୮୦୧ଟି ଗାଁରେ ମୋବାଇଲ ନେଟୱର୍କ ଅଛି। ରାଜ୍ୟରେ ଏବେ ଏଲ୍ଡବ୍ଲ୍ୟୁଇ-୨, ଆକାଂକ୍ଷୀ ଜିଲ୍ଲା ଏବଂ ୪ଜି ସାଚ୍ୟୁରେସନ୍ ଯୋଜନାରେ ମୋବାଇଲ୍ ଟାୱାର ବସୁଛି।ଏଲ୍ଡବ୍ଲ୍ୟୁଇ-୨ ଯୋଜନା ପାଇଁ ୪୨୧.୬୬କୋଟି, ଆକାଂକ୍ଷୀ ଜିଲ୍ଲା ପାଇଁ ୧୮୦୮.୦୪କୋଟି, ୪ଜି ସାଚ୍ୟୁରେସନ୍ରେ ୨ଜି ଓ ଥ୍ରିଜି ଟାୱାର ବଦଳରେ ୪ଜି ଟାୱାର ବସାଇବା ପାଇଁ ୨୩୫୮କୋଟି ଟଙ୍କା ଖର୍ଚ୍ଚ ଅଟକଳ କରାଯାଇଛି। ଏବେ ଏଲ୍ଡବ୍ଲ୍ୟୁଇ-୨, ଆକାଂକ୍ଷୀ ଜିଲ୍ଲା ଯୋଜନାରେ ରାଜ୍ୟରେ ୬୦୯ଟି ଟାୱାର ବସିଥିବାବେଳେ ଏହାଦ୍ବାରା ୮୪୮ଟି ଗାଁକୁ ମୋବାଇଲ ନେଟୱର୍କ ଆସୁଛି। ଏଥିରୁ ଏଲ୍ଡବ୍ଲ୍ୟୁଇ-୨ରେ ୨୩୨ଟି ଟାୱାର, ଆକାଂକ୍ଷୀ ଜିଲ୍ଲା ଯୋଜନାରେ ୩୭୭ଟି ଟାୱାର କାର୍ଯ୍ୟକ୍ଷମ ହୋଇଛି। ବାକି ୯୮୪ଟି ଟାୱାର ବସାଯାଇ କାର୍ଯ୍ୟକ୍ଷମ ହୋଇଥିବା ବେଳେ ମାର୍ଚ୍ଚ, ୨୦୨୪ ସୁଦ୍ଧା ଏହାକୁ କାର୍ଯ୍ୟକ୍ଷମ କରିବାକୁ ଯୋଜନା ଅଛି। ୪ଜି ସାଚ୍ୟୁରେସନ୍ରେ ବିଏସ୍ଏନ୍ଏଲ୍ ୧୬୮୧ଟି ଟାୱାର ବସାଇବାକୁ ଥିବାବେଳେ ୬୭୪ଟି ଟାୱାର ବସାଇଛି। ହେଲେ ଏଥିରେ ଲାଗିବାକୁ ଥିବା ଯନ୍ତ୍ରାଂଶ କେବେ ଆସିବ ଜଣାନାହିଁ। ତେଣୁ ଏହା ମାର୍ଚ୍ଚ ମାସ ସୁଦ୍ଧା କାର୍ଯ୍ୟକ୍ଷମ ହୋଇପାରିବନି।