ନୂଆଦିଲ୍ଲୀ : ଭାରତରେ ବିଭିନ୍ନ କମ୍ପାନି ପକ୍ଷରୁ ପ୍ରସ୍ତୁତ କରୋନା ଟିକାର ପରୀକ୍ଷଣ ଚୂଡ଼ାନ୍ତ ସ୍ତରରେ ପହଞ୍ଚିଥିବାବେଳେ ସାରା ଦେଶରେ କରୋନା ଟିକା ପ୍ରଦାନ ପାଇଁ ବଡ଼ ଧରଣର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି କେନ୍ଦ୍ର ସରକାର । ଏହି ଟିକା ପ୍ରଦାନ ପ୍ରକ୍ରିୟାର ପ୍ରସ୍ତୁତି ତଦାରଖ ପାଇଁ ପ୍ରଥମେ ୪ଟି ରାଜ୍ୟରେ ଅଭ୍ୟାସମୂଳକ ଭାବେ ଟିକାଦାନ କରାଯିବ । ଏହି ୪ଟି ରାଜ୍ୟ ହେଲେ ପଞ୍ଜାବ, ଆନ୍ଧ୍ରପ୍ରଦେଶ,ଆସାମ ଓ ଗୁଜୁରାଟ । ଚଳିତମାସ ୨୮ ଓ ୨୯ ତାରିଖରେ ଏହି ଅଭ୍ୟାସ (ଡ୍ରାଏରନ) କରାଯିବ ।
ପ୍ରତି ରାଜ୍ୟର ୨ଟି ଲେଖାଏଁ ଜିଲ୍ଲାରେ ଏହି ଅଭ୍ୟାସ କରାଯିବ । ଏହି ଅଭ୍ୟାସ ମାଧ୍ୟମରେ ୫ ପ୍ରକାରର ମେଡିକାଲ ଭିତ୍ତିଭୂମିକୁ ଯାଞ୍ଚ କରାଯିବ । ସେଗୁଡ଼ିକ ହେଉଛି ଜିଲ୍ଲା ହସପିଟାଲ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ଜନସ୍ବାସ୍ଥ୍ୟ କେନ୍ଦ୍ର, ସହରାଞ୍ଚଳ ଓ ଗ୍ରାମାଞ୍ଚଳ ଏବଂ ଘରୋଇ ହସପିଟାଲ । ଏସବୁ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ଟିକାର ପରିବହନ, ଟିକା ସଂରକ୍ଷଣ,କୋଓ୍ବିନ ଟିକା ପଂଜୀକରଣ ଆପର ବ୍ୟବହାର ଓ ଭୀଡ଼ ନିୟନ୍ତ୍ରଣ । ଏହା ଛଡ଼ା ଟିକାର କୌଣସି ପାର୍ଶ୍ବପ୍ରତିକ୍ରିୟା ଦେଖାଦେଲେ ସେପରିସ୍ଥିତିର ମୁକାବିଲା ଲାଗି ଅଭ୍ୟାସ କରାଯିବ ।
ଦେଶରେ ଟିକାକରଣ ପାଇଁ ଏପର୍ଯ୍ୟନ୍ତ ୨୩୬୦ଟି ତାଲିମ ଶିବିର ଅନୁଷ୍ଠିତ ହୋଇସାରିଲାଣି ଓ ପ୍ରାୟ ୭ ହଜାରରୁ ଅଧିକ ଅଧିକାରୀ (ଡାକ୍ତର, ଟିକାଦାତା, ଟେକନିସିଆନ, ଶିତଳଭଣ୍ଡାର ପରିଚାଳକ ଆଦି) ତାଲିମ ଦିଆଯାଇଛି ।