ରାଜ୍ୟ

୩ ଦିନରେ ଓଡ଼ିଶା ଛୁଇଁବ ମୌସୁମୀ, ୨୧ରୁ ପ୍ରାକ୍ ମୌସୁମୀ ବର୍ଷା

ଭୁବନେଶ୍ବର : ଆସନ୍ତା ଦୁଇ ତିନି ଦିନ ମଧ୍ୟରେ ରାଜ୍ୟକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିବ। ଏନେଇ ଆଜି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ସଙ୍କେତ ଦେଇଛି। ସୋମବାର ଦିନ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ପଶ୍ଚିମ-କେନ୍ଦ୍ରୀୟ ଓ ଉତ୍ତର-ପଶ୍ଚିମ ବଙ୍ଗୋପସାଗରର କେତେକାଂଶରେ ସକ୍ରିୟ ହୋଇଛି। ଏଥିସହ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର କିଛି କିଛି ଅଞ୍ଚଳରେ ବି ମୌସୁମୀ ସକ୍ରିୟ ହୋଇଛି। ଓଡ଼ିଶାରେ ମୌସୁମୀ ସକ୍ରିୟ ହେବାକୁ ଅନୁକୂଳ ବାତାବରଣ ରହିଛି। ଆସନ୍ତା ୨ରୁ ୩ ଦିନ ମଧ୍ୟରେ ଅର୍ଥାତ୍‌ ୨୩ ତାରିଖ ସୁଦ୍ଧା ରାଜ୍ୟରେ ମୌସୁମୀ ସକ୍ରିୟ ହୋଇଯିବ ବୋଲି ଆଇଏମ୍‌ଡି ସୂଚନା ଦେଇଛି।

ରବିବାରର କାଳବୈଶାଖୀ ବର୍ଷା ‌‌ଯୋଗୁଁ ସୋମବାର ଦିନ ରାଜ୍ୟର ଅଧିକାଂଶ ସ୍ଥାନର ତାପମାତ୍ରା କମିଛି। ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ୭ରୁ ୮ଡିଗ୍ରି ପର୍ଯ୍ୟନ୍ତ ତାପମାତ୍ରା କମ୍‌ ଥିଲା। ଭୁବନେଶ୍ବରର ସର୍ବୋଚ୍ଚ ତାପମାତ୍ରା ଗତକାଲି ୪୧.୬ଡିଗ୍ରି ରେକର୍ଡ ହୋଇଥିବା ବେଳେ ଆଜି ୩୬.୬ ଡିଗ୍ରି ଥିଲା। କଟକରେ ଗତକାଲି ୪୦.୨ ଡିଗ୍ରି ଥିବା ବେଳେ ସୋମବାର ଦିନ ୩୫.୮ଡିଗ୍ରି ରେକର୍ଡ ହୋଇଛି। କିନ୍ତୁ ପଶ୍ଚିମ ଓଡ଼ିଶାର ତାତି ସାମାନ୍ୟ କମିଥିଲେ ବି ୬ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଥିଲା। ସୁନ୍ଦରଗଡ଼ରେ ସୋମବାର ଦିନ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୪.୮ ଡିଗ୍ରି ରେକର୍ଡ ହୋଇଛି। ପଛକୁ ରହିଛି, ଝାରସୁଗୁଡ଼ା ୪୧.୬ ଡିଗ୍ରି, ରାଉରକେଲା ୪୦.୮ ଡିଗ୍ରି, ସମ୍ବଲପୁର ଓ ଟିଟିଲାଗଡ଼ ୪୦.୫ ଡିଗ୍ରି ଓ ହୀରାକୁଦ ୪୦.୧ ଡିଗ୍ରି। ଉପକୂଳ ଜିଲ୍ଲଗୁଡ଼ିକ ଭିତରେ ଯାଜପୁରରେ ସର୍ବୋଚ୍ଚ ତାପମାତ୍ରା ୪୦.୫ ଡିଗ୍ରି ରେକର୍ଡ ହୋଇଛି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ମଙ୍ଗଳବାର ଦିନ ପଶ୍ଚିମ ଓଡ଼ିଶାର ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ସୋନପୁର ଓ ବଲାଙ୍ଗର ଆଦି ଜିଲ୍ଲା‌‌‌‌ରେ ଗ୍ରୀଷ୍ମପ୍ରବାହଜନିତ ୟେଲୋୱାର୍ଣ୍ଣିଂ ଜାରି କରାଯାଇଛି।

ଏଥିସହ ମଙ୍ଗଳବାର ଦିନ ଆଭ୍ୟନ୍ତର ଓ ଉପକୂଳ ଓଡ଼ିଶାରେ ବିଜୁଳି, ଘଡ଼ଘଡ଼ି ସହ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି। ୨୧ ତାରିଖରୁ ରାଜ୍ୟରେ ବର୍ଷାର ବିସ୍ତୃତି ଓ ପରିମାଣ ବଢ଼ିବ। ବାଲେଶ୍ବର, ମୟୂରଭଞ୍ଜ, ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ ଗଞ୍ଜାମ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଏଥିସହ ବାକି ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ରହିଛି। ୨୨ ତାରିଖ ଦିନ ବାଲେଶ୍ବର, ଭଦ୍ରକ, ଯାଜପୁର, କଟକ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ ଓ କଳାହାଣ୍ଡି ଆଦି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବାରୁ ୟେଲୋୱାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତାକାଲି ଭୁବନେଶ୍ବରର ଆକାଶ ଆଂଶିକ ମେଘୁଆ ରହିବ। ଅପରାହ୍‌ଣ ଆଡ଼କୁ କିଛି ବର୍ଷାର ମଧ୍ୟ ସମ୍ଭାବନା ରହିଛି। ସର୍ବୋଚ୍ଚ ତାପମାତ୍ରା ୩୮ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୬ ଡିଗ୍ରି ମଧ୍ୟରେ ରହିପାରେ।

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଆଜି(ମଙ୍ଗଳବାର) ରଥଯାତ୍ରା ଅବସରରେ ରାଜ୍ୟର ଅନେକ ସ୍ଥାନରେ ପାଗ ମେଘୁଆ ବା ଆଂଶିକ ମେଘୁଆ ରହିବ। କିଛି କିଛି ସ୍ଥାନରେ ଅଳ୍ପ ପରିମାଣର ପ୍ରାକ୍‌-ମୌସୁମୀ ବର୍ଷା ହୋଇପାରେ। ନୟାଗଡ଼ ଓ ଖୋର୍ଧା ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ପୁରୀର ପାଗ ଆଂଶିକ ମେଘୁଆ ରହିବ। ଉପରବେଳା ହାଲୁକାରୁ ମଧ୍ୟମ ସ୍ବଳ୍ପ ବର୍ଷା ସମ୍ଭାବନା ୫୦% ରହିଥିବା ବେଳେ ଶୁଖିଲା ପାଗର ସମ୍ଭାବନା ୫୦% ରହିଛି। ତାପମାତ୍ରା କମ୍‌ ରହିବ ଓ ଗୁଳୁଗୁଳି ଅଧିକ ରହିବ। ଖୋର୍ଧା, ପୁରୀ, ନୟାଗଡ଼, ଗଞ୍ଜାମ, ଭଦ୍ରକ, ବାଲେଶ୍ବର ଓ ମୟୂରଭଞ୍ଜରେ ବର୍ଷା ସମ୍ଭାବନା ଅଧିକ। ବୁଧବାର ଭୁବନେଶ୍ବରର ତାପମାତ୍ରା ୪୦ଡିଗ୍ରି ପାଖାପାଖି ରହିବ। ୨୨ ତାରିଖରୁ ତାପମାତ୍ରା କମିବ। ୨୫ ତାରିଖ ପରେ ୩୨ରୁ ୩୪ଡିଗ୍ରି ରହିବ ରାଜଧାନୀର ସର୍ବୋଚ୍ଚ ତାପମାତ୍ରା। ୨୨ରେ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ। ୨୩ ତାରିଖରେ ଏହା ବିସ୍ତୃତ ଅଞ୍ଚଳରେ ହେବ। ସମ୍ଭବତଃ ମୌସୁମୀ ଛୁଇଁବ ଓ ୨୫ ତାରିଖରୁ ୨୭ ତାରିଖ ଭିତରେ ବର୍ଷା ବଢ଼ିବ। ତେବେ ଉପକୂଳରେ ଅପେକ୍ଷାକୃତ କମ୍‌ ବର୍ଷା ହେବ। ଉତ୍ତର ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ ବର୍ଷା ଅଧିକ ହୋଇପାରେ। ଚତୁର୍ଥ ସପ୍ତାହରେ ବର୍ଷାର ପରିମାଣ ଯେତେ ହେବ, ସେଥିରେ ଚାଷ କାମ ଆରମ୍ଭ କରି ହେବ ବୋଲି ଡ. ପଶୁପାଳକ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।