ମୁମ୍ବାଇ ୧୩/୦୧ : KGF ତାରକା ୟଶଙ୍କୁ ଆଜି ସାରା ଦୁନିଆ ଚିହ୍ନିଛି। କନ୍ନଡ଼ ଇଣ୍ଡଷ୍ଟ୍ରିକୁ ପରିଚିତ କରାଇବାରେ ୟଶଙ୍କ ବଡ ଯୋଗଦାନ ରହିଛି। ଫିଲ୍ମ କେଜିଏଫ୍ ମାଧ୍ୟମରେ ସେ ଖୁବ ନାଁ କରିଛନ୍ତି। କେଜିଏଫ୍-୨କୁ ନେଇ ବର୍ତ୍ତମାନ ଦର୍ଶକଙ୍କ ମଧ୍ୟରେ ୟଶଙ୍କ କ୍ରେଜ୍ ରହିଛି। କେଜିଏଫ୍-୨ ର ଟିଜର ୟୁଟ୍ୟୁବରେ ୧୦୦ ମିଲିୟନ୍ ପାର୍ କରିସାରିଛି। ୟଶ୍ ଆଜି ଜଣେ ନାମୀ ତାରକା ହୋଇଥିଲେ ବି ତାଙ୍କ ପରିବାର ଆଜି ବି ମଧ୍ୟବିତ୍ତ ପରିବାର ଭଳି ଜୀବନ ଅତିବାହିତ କରନ୍ତି। ୟଶ୍ ଆଜି ଜଣେ ବହୁତ ବଡ ଷ୍ଟାର ତଥାପି ତାଙ୍କ ବାପା ଏବେ ବି ବସ୍ ଡ୍ରାଇଭିଙ୍ଗ୍ କରନ୍ତି।
ୟଶଙ୍କ ଅସଲ ନାଁ ନବୀନ କୁମାର ଗୌଡ଼। ସେ ୧୯୮୬ ଜାନୁଆରୀ ୮ ତାରିଖରେ କର୍ଣ୍ଣାଟକ ହାସନରେ ଜନ୍ମ ହୋଇଥିଲେ। ତାଙ୍କର ଜଣେ ଛୋଟ ଭଉଣୀ ବି ଅଛି। ୟଶ କିଛି ଦିନ ବେଙ୍ଗାଲୁରୁରେ ଥିଏଟରରେ କାମ କରିଥିଲେ। ପାଠ ପଢାରେ ତାଙ୍କର ମନ ନଥିଲା। ସେ ପିଲାଦିନୁ ହିଁ କଳାକାର ହେବାକୁ ଚାହୁଁଥିଲେ। ଦଶମ ପରେ ସେ ନିଜ ବାପାଙ୍କୁ କହିଦେଲେ ଯେ ସେ ଆଉ ପଢ଼ିବେନି। କିନ୍ତୁ ତାଙ୍କ ବାପା ତାଙ୍କୁ ବୁଝାଇଥିଲେ ଯେ ପାଠ ନ ପଢିଲେ ତାଙ୍କୁ ବି ଶେଷରେ ବସ ଚଲାଇବାକୁ ପଡିବ। ବାପାଙ୍କ କଥା ଶୁଣି ସେ ପୁଣି ପଢିଲେ। କିନ୍ତୁ ଅଭିନୟ ପାଇଁ ତାଙ୍କ ଜୋଶ କମିନଥିଲା।
ମହୀଶୂରରେ ପଢିବା ପରେ ସେ ନିଜ ସ୍ବପ୍ନ ପୁରା କରିବାକୁ ବେଙ୍ଗାଲୁରୁ ଗଲେ। ସେଠାରେ ସେ ଏକ ଥିଏଟରରେ କାମ ଆରମ୍ଭ କଲେ। ସିନେମା କରିବ ପୂର୍ବରୁ ସେ ଟିଭି ଧାରାବାହିକରେ ମଧ୍ୟ କାମ କରିଛନ୍ତି। ତାଙ୍କୁ ପ୍ରଥମେ ସପୋର୍ଟିଂ ରୋଲ ମିଳିଥିଲା। ୨୦୦୭ ରେ ତାଙ୍କୁ କନ୍ନଡ଼ ଫିଲ୍ମ Jambada Hudugi ରେ କାମ କରିବାକୁ ମଉକା ମିଳିଥିଲା।
ଏହି ଫିଲ୍ମ ପରେ ୟଶ୍ ଅନେକ ହିଟ୍ ଫିଲ୍ମ କଲେ। ତାଙ୍କର ଅଭିନୀତ ଫିଲ୍ମ ‘ଗୁଗଲି’ କନ୍ନଡ଼ ଇଣ୍ଡଷ୍ଟ୍ରିରେ ବ୍ଲକବଷ୍ଟର୍ ପ୍ରମାଣିତ ହେଲା। ୨୦୧୮ ରେ ତାଙ୍କ ଅଭିନୀତ ଫିଲ୍ମ କେଜିଏଫ୍ ତାଙ୍କୁ ରାତାରାତି ଷ୍ଟାର କରିଦେଲା। କେଜିଏଫ୍ ତାଙ୍କୁ ଏକ ଭିନ୍ନ ପରିଚୟ ଦେଲା।
ଗୋଟିଏ ଫିଲ୍ମ ପାଇଁ ୪ରୁ ୫ କୋଟି ଦାବି କରୁଥିବା ୟଶ୍ କେଜିଏଫର ସଫଳତା ପରେ ନିଜ ଫିସ୍ ଆହୁରି ବଢ଼ାଇଦେଲେ। ବର୍ତ୍ତମାନ ସେ ଗୋଟିଏ ଫିଲ୍ମ ପାଇଁ ୧୪ ରୁ ୧୫ କୋଟି ଚାର୍ଜ କରୁଛନ୍ତି।
ଯେତେବେଳେ ସେ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ ସେତେବେଳେ ତାଙ୍କ ପାଖରେ ଥିଲା ମାତ୍ର ୩୦୦ ଟଙ୍କା। ୩୦୦ ଟଙ୍କାରୁ କ୍ୟାରିଅର ଆରମ୍ଭ କରିଥିବା ୟଶ୍ ଆଜି ୩୦୦ କୋଟି ବଜେଟ ବିଶିଷ୍ଟ ଫିଲ୍ମର ପ୍ରଥମ ପସନ୍ଦ।
ୟଶ୍ କେବେ ବିବାଦ ଘେରରେ ପଡି ନାହାନ୍ତି। ତାଙ୍କର କାହା ସହ ଆଫେୟାର୍ ମଧ୍ୟ ନଥିଲା। ରାଧିକା ପଣ୍ଡିତଙ୍କ ସହ ତାଙ୍କର ସମ୍ପର୍କ ଥିଲା। ପରେ ସେ ତାଙ୍କୁ ବିବାହ କରିଥିଲେ। ତାଙ୍କର ଗୋଟିଏ ସନ୍ତାନ ଅଛି। ସେ ସାମାଜିକ କାର୍ଯ୍ୟରେ ମଧ୍ୟ ଅଂଶଗ୍ରହଣ କରନ୍ତି।