ରାଜ୍ୟ

୨ କୋଟି ପାଇଁ ପିହୁ ଅପହରଣ ଷଡ୍‌ଯନ୍ତ୍ର

ଦେବଗଡ଼: ଗତ ୧୮ ତାରିଖ ସନ୍ଧ୍ୟାରେ ଦେବଗଡ଼ ସହରରେ ଟ୍ୟୁସନ୍‌ରୁ ନିଜ ଆଈ ସହ ଫେରୁଥିବା କପଡ଼ା ବ୍ୟବସାୟୀ ଆଲୋକ ଅଗ୍ରୱାଲଙ୍କ ଝିଅ ପିହୁ ଅଗ୍ରୱାଲ (୬)କୁ ଅପହରଣ କରାଯାଇଥିଲା। ଘଟଣାର ୧୨ ଘଣ୍ଟା ପରେ ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ପୁଲିସ ପିହୁକୁ ବଡ଼ଗାଁ ନିକଟସ୍ଥ ଏକ ପୋଲ ଉପରୁ ଉଦ୍ଧାର କରିଥିଲା। ଏହି ଘଟଣାରେ ଦେବଗଡ଼ ଥାନା ପୁଲିସ୍‌ ଶନିବାର ଅଟକ ରଖିଥିବା ୪ ଜଣଙ୍କୁ ରବିବାର ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଦେବଗଡ଼ ଥାନା ନୂଆଗାଁ ଗ୍ରାମର ହିମାଂଶୁ ନାରଙ୍ଗ (୨୧), କୁଣ୍ଢେଇଗୋଳା ଥାନା ମେଣ୍ଡିପାଲି ଗ୍ରାମର ଦୀପକ ନାଏକ (୧୯), ଦେବଗଡ଼ ଥାନାଞ୍ଚଳର ରୋହିତ ପାତ୍ର (୨୪) ଓ ଜରେଇକଳା ଗ୍ରାମର ମହେଶ୍ବର ଶଗଡ଼ିଆ (୨୪)। ସେମାନଙ୍କଠାରୁ ଅପହରଣରେ ବ୍ୟବହୃତ କାର୍‌, ଦୁଇଟି ବାଇକ୍‌ ଓ ୪ଟି ମୋବାଇଲ ଫୋନ୍‌ ଜବତ କରାଯାଇଥିବା ଦେବଗଡ଼ ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସ୍‌ପି ପ୍ରଦ୍ୟୁମ୍ନ ମିଶ୍ର ପ୍ରକାଶ କରିଛନ୍ତି।

ସୂଚନା ଅନୁସାରେ, ଅଭିଯୁକ୍ତମାନେ ବିଳାସପୂର୍ଣ୍ଣ ଜୀବନ ଅତିବାହିତ କରିବାକୁ ମୋଟା ଟଙ୍କା ରୋଜଗାର ପାଇଁ ଗତ ସେପ୍ଟେମ୍ବର ମାସରେ ଅପହରଣ ଯୋଜନା କରିଥିଲେ। ଏହି କପଡ଼ା ବ୍ୟବସାୟୀ ପରିବାରର କୌଣସି ବି ସଦସ୍ୟଙ୍କୁ ଅପହରଣ କରି ୨ କୋଟି ଟଙ୍କା ଅସୁଲ କରି ପ୍ରତ୍ୟେକେ ୫୦ ଲକ୍ଷ ଟଙ୍କା ଲେଖାଏଁ ବାଣ୍ଟିବାକୁ ମସୁଧା କରିଥିଲେ। ଗତ ନଭେମ୍ବର ମାସରେ ସେମାନେ ପ୍ରଥମ ପ୍ରୟାସ କରି ବିଫଳ ହୋଇଥିଲେ। ପରେ ଗତ ୧୮ ତାରିଖ ଦିନ ଯୋଜନା ସଫଳ ହୋଇଥିଲା। ସେମାନେ ପିହୁକୁ ଅପହରଣ କରି ପ୍ରଥମେ ହିମାଂଶୁର ଗାଁ ନୂଆଗାଁକୁ ନେଇଥିଲେ। ଏଣେ ଦେବଗଡ଼ ସହରରେ ରହି ରୋହିତ ଅପହରଣ ପରବର୍ତ୍ତୀ ସମସ୍ତ ଘଟଣାର ବିବରଣୀ ସେମାନଙ୍କୁ ଦେଉଥିଲା। ପରେ ନୂଆଗାଁ ପଡ଼ିଆରେ ହିମାଂଶୁ ଓ ଦୀପକ ଥିବା ବେଳେ ମହେଶ ଓ ରୋହିତ ଯାଇ ପହଞ୍ଚିଥିଲେ। ସେଠାରୁ ସମସ୍ତ ୪ ଅଭିଯୁକ୍ତ ପିହୁକୁ ଏକ କାର୍‌ରେ କୁଚିଣ୍ଡା ଦେଇ ସୁନ୍ଦରଗଡ଼ ଅଭିମୁଖେ ନେଇଯାଇଥିଲେ। ଅପହରଣ ଘଟଣା ପରେ ବିଭିନ୍ନ ସ୍ଥାନରେ ପୁଲିସ, ଡ୍ରାଇଭର ମହାସଂଘ ଓ ସ୍ବେଚ୍ଛାସେବୀ ଅନୁଷ୍ଠାନ କର୍ମକର୍ତ୍ତାମାନେ କଡ଼ାକଡ଼ି ଯାଞ୍ଚ କରିଥିଲେ। ତେଣେ ଦେବଗଡ଼ ପୁଲିସ୍‌ଠାରୁ ସୂଚନା ପାଇ ସୁନ୍ଦରଗଡ଼ ଓ ରାଉରକେଲା ପୁଲିସ୍‌ ମଧ୍ୟ ସମସ୍ତ ସୀମା ସିଲ୍‌ କରିଦେଲା।

ଯଦ୍ବାରା ଅଭିଯୁକ୍ତମାନେ ଭୟଭୀତ ହୋଇ ବଡ଼ଗାଁ ଥାନାଞ୍ଚଳର ଏକ ପୋଲ ନିକଟରେ ପିହୁକୁ ଛାଡ଼ି ଫେରାର ହୋଇଯାଇଥିଲେ। ସୁନ୍ଦରଗଡ଼ର ଏକ ହୋଟେଲରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ୍‌ ହୋଇଥିବା ସନ୍ଦିଗ୍ଧଙ୍କ ଫଟୋ ପୁଲିସ ଉଦ୍ଧାର କରି ସାଧାରଣରେ ଜାରି କରିବା ସହ ପୁରସ୍କାର ଘୋଷଣା କରିଥିଲା। ରବିବାର ଚାରି ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ଏସ୍‌ପି ଶ୍ରୀ ମିଶ୍ର ସୂଚନା ଦେଇଥିଲେ। ସମ୍ମିଳନୀରେ ଏସ୍‌ଡିପିଓ ସୌମ୍ୟରଞ୍ଜନ ମଲ୍ଲିକ, ଦେବଗଡ଼ ଥାନା ଆଇଆଇସି ସରୋଜ ସେଠୀ, ଆର୍‌ଆଇ ହାମ୍ବିରା ସୋରେନ ଉପସ୍ଥିତ ଥିଲେ। ଏହି ଅବସରରେ ପିହୁର ପରିବାର ଲୋକେ ପୁଲିସ, ଓଡ଼ିଶା ଡ୍ରାଇଭର ମହାସଂଘ ସଦସ୍ୟମାନଙ୍କୁ ସମ୍ମାନିତ କରିଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।