ରାଜ୍ୟ

୨୬ରୁ ପୁଣି ଲଘୁଚାପ: ଛତିଶଗଡ଼ରେ ବର୍ଷିବ, ମହାନଦୀ ଫୁଲିବ; ଦକ୍ଷିଣ ଓଡ଼ିଶାକୁ ବନ୍ୟା ଭୟ

ଭୁବନେଶ୍ବର : ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ରପ୍ରଦେଶ ଓ ସଂଲଗ୍ନ ଉତ୍ତରପଶ୍ଚିମ ଓ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ରହିଥିବା ଲଘୁଚାପ ‌କ୍ଷେତ୍ର ପ୍ରଭାବରେ ରାଜ୍ୟରେ ଏବେ ବର୍ଷା ଜାରି ରହିଛି। ଆସନ୍ତା ୪ ଦିନ ମଧ୍ୟ ଏହାର ପ୍ରଭାବରେ ବର୍ଷା ସମ୍ଭାବନା ରହିଛି। କିନ୍ତୁ ବର୍ଷା ଅତିପ୍ରବଳ ନ ହୋଇ ମଧ୍ୟମ ଧରଣର ବର୍ଷିବ। ୨୪ ତାରିଖ ଆଡ଼କୁ ଉତ୍ତରପଶ୍ଚିମ ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହୁଛି। ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଅନ୍ୟପଟେ ଏହି ବର୍ଷା ଦକ୍ଷିଣ ଓଡ଼ିଶାକୁ ଅଧିକ ପ୍ରଭାବିତ ହେବ ବୋଲି ପାଣିପାଗ ବିଶେଷଜ୍ଞମାନେ ପୂର୍ବାନୁମାନ କ‌ଲେଣି। ଏସବୁ ଅଞ୍ଚଳରେ ୨୧ରୁ ୩୧ ତାରିଖ ମଧ୍ୟରେ ୧୮୦ ମିମିରୁ ଅଧିକ ବର୍ଷା ସମ୍ଭାବନା ରହିଛି। ଅନ୍ୟପଟେ ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ଛତିଶଗଡ଼ରେ ପ୍ରବଳ ବର୍ଷା ସମ୍ଭାବନା ରହୁଛି। ଏଣୁ ମହାନଦୀ ଗର୍ଭ ଫୁଲିବ ଓ କିଛି ଶାଖା ନଦୀରେ ବନ୍ୟା ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ।

Odisha Diary

ପାଣିପାଗ କେନ୍ଦ୍ରର ସୂଚନା ମୁତାବକ, ଶନିବାର ଦିନ ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, କନ୍ଧମାଳ, ଗଞ୍ଜାମ, ଦେବଗଡ଼ ଓ ବୌଦ୍ଧ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ସେହିଭଳି ମାଲକାନଗିରି, କୋରାପୁଟ ଓ ଗଜପତି ଜିଲ୍ଲାରେ ୨୩ ତାରିଖ ଦିନ ପ୍ରବଳ ବର୍ଷାର ସମ୍ଭାବନା ରହୁଛି। ୨୫ ତାରିଖରୁ ରାଜ୍ୟରେ ବର୍ଷାର ବିସ୍ତୃତି ଓ ପ୍ରଭାବ ବଢ଼ିବ। ଗଜପତି, ଗଞ୍ଜାମ ଓ ପୁରୀ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ସହ ମାଲକାନଗିରି, କୋରାପୁଟ, ରାୟଗଡ଼ା, କନ୍ଧମାଳ, ଜଗତସିଂହପୁର ଓ ଖୋର୍ଧାରେ ପ୍ରବଳ ବର୍ଷାର ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ତେବେ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପ‌ଶୁପ‌ାଳକ କହିଛନ୍ତି, ଏବେର ସକ୍ରିୟ ଲଘୁଚାପ ପ୍ରଭାବରେ ଏ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ହୋଇନାହିଁ। ଆଜି ଅର୍ଥାତ ଶୁକ୍ରବାରଠାରୁ ରବିବାର ମଧ୍ୟରେ ଖୋର୍ଧା, ପୁରୀ, ଗଞ୍ଜାମ, ଗଜପତି, ରାୟଗଡ଼ା, କଳାହାଣ୍ଡି, ବଲାଙ୍ଗୀର, କନ୍ଧମାଳ, ବୌଦ୍ଧ ଓ ଅବିଭକ୍ତ କୋରାପୁଟ ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମ ଧରଣର (୩୫ ମିମିରୁ କମ୍‌) ବର୍ଷା ହେବା ସହ ସମୁଦାୟ ବର୍ଷା ୪୫ ମିମି ହୋଇପାରେ। ଏହାପର ଦୁଇ ଦିନ (୨୪ ଓ ୨୫ ତାରିଖ)ରେ ବିକ୍ଷିପ୍ତ ହାଲୁକା ବର୍ଷା ହେବ। ୨୫ ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହା ୨୬ ତାରିଖରେ ଲଘୁଚାପ ଓ ୨୭ ତାରିଖରେ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇପାରେ।

୨୬ ତାରିଖରେ ଦକ୍ଷିଣ ଉପକୂଳ ଓ ଆଭ୍ୟନ୍ତରରେ ଲଘୁଚାପ ବର୍ଷା ଆରମ୍ଭ ହେବ। ୨୭ରୁ ୩୦ ତାରିଖ ଭିତରେ ବିସ୍ତୃତ ଅଞ୍ଚଳରେ ମଧ୍ୟମରୁ ପ୍ରବଳ ବର୍ଷା ହେବ। ଏହି ଲଘୁଚାପ କ୍ଷେତ୍ର ପଶ୍ଚିମ ଆଡ଼କୁ ୩୦ ବା ୩୧ ତାରିଖରେ ଯାଇ ଛତିଶଗଡ଼ରେ ରହିବ। ଯଦି ଲଘୁଚାପଟି ପୁରୀଠାରୁ ଜଗତସିଂହପୁର ଦେଇ ଛତିଶଗଡ଼ ଯାଏ, ତେବେ ଉତ୍ତର ଓଡ଼ିଶାରେ ୧୪୦ ମିମି ଅଧିକ ବର୍ଷା ହେବ। ସ୍ଥାନେ ସ୍ଥାନେ ଦକ୍ଷିଣ ଓଡ଼ିଶାରେ ୨୮ ଓ ୨୯ ତାରିଖରେ ଅତିପ୍ରବଳ ବର୍ଷା ହୋଇପାରେ। ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ଛତିଶଗଡ଼ରେ ମଧ୍ୟ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଫଳରେ ମହାନଦୀ ସହ ଦକ୍ଷିଣ ଓଡ଼ିଶାର ନଦୀ ପାଣି ଫୁଲିବାର ଆଶଙ୍କା ରହୁଛି। ଲଘୁଚାପ ବର୍ଷା ଫଳରେ ଋଆ ବେଉଷା ପାଇଁ ବର୍ଷାର ଅଭାବ ରହିବ ନାହିଁ ବୋଲି ଡ. ପଶୁପାଳକ କହିଛନ୍ତି।

ଗତ ୨୪ ଘଣ୍ଟାରେ ରାଜ୍ୟରେ ହାରାହାରି ୧୬.୫ ମିମି ବର୍ଷା ରେକର୍ଡ ହୋଇଛି। ଯାହାକି ସ୍ବାଭାବିକ ବର୍ଷା ୧୬.୬ ମିମି ତୁଳନାରେ ୧% କମ୍‌। ସେହିଭଳି ଚଳିତ ମୌସୁମୀ ଋତୁରେ ୧ ଜୁନ୍‌ରୁ ଆଜି ୨୧ ଜୁଲାଇ ମଧ୍ୟରେ ରାଜ୍ୟରେ ସମୁଦାୟ ୩୭୨.୧ ମିମି ବର୍ଷା ହୋଇଯାଇଛି। ଯାହାକି ସ୍ବାଭାବିକ ବର୍ଷା ୪୩୪.୧ ମିମି ତୁଳନାରେ ୧୪% କମ୍‌। ୬୪୨ ମିମି ସହ ମାଲକାନଗିରିରେ ସର୍ବାଧିକ ୪୧% ଅଧିକ ଓ ମୟୂରଭଞ୍ଜ ଜିଲ୍ଲାରେ ୨୬୦.୬ ମିମି ସହ ସର୍ବାଧିକ ୪୫% କମ୍‌ ବର୍ଷା ରେକର୍ଡ ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଆଜି ରାଜଧାନୀ ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳରେ ପାଗ ମେଘୁଆ ରହିପାରେ। ବର୍ଷା ସମ୍ଭାବନା ମଧ୍ୟ ରହୁଛି। ଦିନର ସର୍ବାଧିକ ତାପମାତ୍ରା ୩୧ ଡିଗ୍ରି ଓ ରାତିର ସର୍ବନିମ୍ନ ତାପମାତ୍ରା ୨୬ ଡିଗ୍ରି ମଧ୍ୟରେ ରହିବ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।