ରାଜ୍ୟ ସ୍ପେଶାଲ ରିପୋର୍ଟ

୨୩ବର୍ଷ ହେଲା ବନ୍ଦ ପଡ଼ିଛି ବ୍ରହ୍ମପୁର ପାୱାର୍‌ ଲୁମ୍

ବ୍ରହ୍ମପୁର, : ସରକାରୀ ନାମକରଣ ଅନୁଯାୟୀ ବ୍ରହ୍ମପୁର ସହର ମଧ୍ୟରେ ରହିଛି ଆଙ୍କୁଲି ଶିଳ୍ପାଞ୍ଚଳ। ସରକାରୀ ତଥ୍ୟ ଅନୁଯାୟୀ ଆଙ୍କୁଲି ଶିଳ୍ପାଞ୍ଚଳରେ ରହିଛି ମାଳମାଳ ଶିଳ୍ପ। ନୂଆ ଶିଳ୍ପ ପ୍ରତିଷ୍ଠା ପାଇଁ ଏଠାରେ ସ୍ଥାନ ନାହିଁ। କିନ୍ତୁ, ବାସ୍ତବତା ଭିନ୍ନ। ଏହି ଶିଳ୍ପାଞ୍ଚଳକୁ ଗଲେ, ଶିଳ୍ପ କମ୍‌ ବରଂ ଆବାସ ଓ ଦୋକାନ ଘର ଅଧିକ ଥିବା ଭଳି ଲାଗୁଛି। ଶିଳ୍ପାଞ୍ଚଳ ଭିତରେ ହାତଗଣତି କିଛି କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ କାର୍ଯ୍ୟକ୍ଷମ ହେଉଥିବା ବେଳେ କୌଣସି ବୃହତ୍‌ ଶିଳ୍ପ ଦୃଶ୍ୟମାନ ହେଉନାହିଁ। ପୂର୍ବରୁ ଏଠାରେ କିଛି ବୃହତ୍‌ ଶିଳ୍ପ କାର୍ଯ୍ୟକ୍ଷମ ଥିଲା, ସେସବୁ ବହୁବର୍ଷ ଧରି ବନ୍ଦ ପଡ଼ିଥିବା ଯୋଗୁଁ ଏବେ ଏହା ଭୂତକୋଠିର ଭ୍ରମ ସୃଷ୍ଟି କରୁଛି। ଉକ୍ତ ସ୍ଥାନ ଗୁଡ଼ିକ ଏବେ ବି ଇଡ୍‌କୋ ନିଜ ଅକ୍ତିଆରକୁ ନେଇପାରି ନାହିଁ। ଏହି ସ୍ଥାନରେ କିଛି ନୂଆ ଶିଳ୍ପ ପ୍ରତିଷ୍ଠା ହୋଇପାରନ୍ତା କିନ୍ତୁ, ଏହା ପଛରେ କିଛି ଆଇନଗତ ସମସ୍ୟା ଥିବା ଜଣାପଡ଼ିଛି।

ଇଡ୍‌କୋ ପକ୍ଷରୁ ମିଳିଥିବା ତଥ୍ୟ ମୁତାବକ, ୧୩.୧୩୮ଏକର ପରିମିତ ଅଞ୍ଚଳରେ ଆଙ୍କୁଲି ଶିଳ୍ପାଞ୍ଚଳ ପରିବ୍ୟାପ୍ତ। ସେଥିରୁ ୮.୩୮୨ଏକର ଶିଳ୍ପ ପ୍ରତିଷ୍ଠାନ ପାଇଁ ଉପଲବ୍ଧ ହୋଇଛି, ଅବଶି‌ଷ୍ଟ ଅଞ୍ଚଳ ଡ୍ରେନ୍, ରାସ୍ତା ଆଦିରେ ବ୍ୟବହୃତ ହୋଇଛି। ତେବେ ଯେତିକି ସ୍ଥାନ ଶିଳ୍ପ ପ୍ରତିଷ୍ଠାନ ପାଇଁ ଉପଲବ୍ଧ, ସେଥିରୁ କିଛି ଖାଲି ସ୍ଥାନ ନାହିଁ। ବର୍ତ୍ତମାନ ଏହି ଶିଳ୍ପାଞ୍ଚଳରେ ୬୫ଟି ବିଭିନ୍ନ କ୍ଷୁଦ୍ର, ମଧ୍ୟମ ଶିଳ୍ପ ଅନୁଷ୍ଠାନ ରହିଛି। ସେଥିରୁ ୪୧ଟି କାର୍ଯ୍ୟକ୍ଷମ ଥିବା ବେଳେ ଗୋଟିଏ ନିର୍ମାଣାଧୀନ ଥିଲା। ୧୦ଟି ଅଚଳ ହୋଇପଡ଼ିଥିବା ବେଳେ ୨ଟି ୟୁନିଟ୍‌ର ଅପବ୍ୟବହାର ହେଉଛି। ୩ଟି ୟୁନିଟ୍ କାମରେ ଲାଗିନାହିଁ, ୮ଟି ବନ୍ଦ ପଡ଼ିଛି।

ଗତ ଏପ୍ରିଲ୍ ମାସରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଯାଞ୍ଚ୍‌ ଟିମ୍‌ (ଦିପା) ଏହି ଶିଳ୍ପାଞ୍ଚଳ ପରିଦର୍ଶନ କରିଥିଲା। ଏଠାରେ କେତେ ଶିଳ୍ପ ଅନୁଷ୍ଠାନ ଅଛି, କେଉଁଗୁଡ଼ିକ କାର୍ଯ୍ୟକ୍ଷମ ହେଉଛି, ଏବଂ କେଉଁଗୁଡ଼ିକ ଅଚଳ ପଡ଼ିଛି, ପୁଣି କେଉଁଠି ଶିଳ୍ପ ନାଁରେ ଆବାସ ଗଢ଼ି ଉଠିଛି, ଆଉ କେଉଁଠାରେ ଜବରଦଖଲ ହୋଇଛି ସେସବୁ ଅନୁଧ୍ୟାନ କରି ତତ୍କାଳୀନ ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିଥିଲା। ଜିଲ୍ଲା ପ୍ରଶାସନକୁ ଦିଆଯାଇଥିବା ରିପୋର୍ଟରେ ଏଭଳି ତଥ୍ୟ ରହିଛି। ରିପୋର୍ଟ ହସ୍ତଗତ ହେବାପରେ ଅଚଳ ଶିଳ୍ପକୁ ସଚଳ କରିବା, ବନ୍ଦ ପଡ଼ିଥିବା ଶିଳ୍ପ ଅନୁଷ୍ଠାନକୁ ସିଜ୍ କରି ସେହି ଜାଗା ଅନ୍ୟକୁ ପ୍ରଦାନ କରିବା ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳିନି।

ବନ୍ଦ ପଡ଼ିଥିବା ଶିଳ୍ପ ଅନୁଷ୍ଠାନ ମଧ୍ୟରେ ଆଗ୍ରୋ, ବୟନିକା, ବ୍ରହ୍ମପୁର ପାୱାର୍‌ଲୁମ୍ ଭଳି ଶିଳ୍ପ ଅନୁଷ୍ଠାନ ରହିଛି। ବ୍ରହ୍ମପୁର ପାୱାର୍‌ଲୁମ୍‌ ବନ୍ଦ ପଡ଼ିଥିବା ସମ୍ପର୍କରେ ବୁଝିବାରୁ ଜଣାପଡ଼ିଛି ଯେ ୧୯୮୩ମସିହାରେ ଏହି ଶିଳ୍ପ ପ୍ରତିଷ୍ଠା ହୋଇଥିବା ବେଳେ ଇଡ୍‌କୋ ପକ୍ଷରୁ ତିନିଟି ସେଡ୍ ଯୋଗାଇ ଦିଆଯାଇଥିଲା। କିନ୍ତୁ, ଏହାର ସଠିକ୍ ପରିଚାଳନା ନହୋଇ ପ୍ରାୟ ଦେଢ଼ ଦଶନ୍ଧି ପରେ ଏହା ବନ୍ଦ ହୋଇଗଲା। କର୍ମଚାରୀଙ୍କ ଭବିଷ୍ୟନିଧି ପାଣ୍ଠିରେ ଅନିୟମିତତା ଦର୍ଶାଇ ୧୯୯୯ମସିହାରେ ଇପିଏଫ ପକ୍ଷରୁ ଏହାକୁ ସିଜ୍ କରିଦିଆଯାଇଥିଲା। ଏପରିକି ତାର ବିଭିନ୍ନ ଯନ୍ତ୍ରପାତିକୁ ମଧ୍ୟ ନିଲାମ କରି ଦିଆଯାଇଥିଲା। କିନ୍ତୁ, ଉକ୍ତ ଜାଗା ଇଡ୍‌କୋ ପକ୍ଷରୁ ଯୋଗାଇ ଦିଆଯାଇଥିବାରୁ ତାକୁ ହସ୍ତାନ୍ତର କରିବାକୁ ବାରମ୍ବାର ଇପିଏଫ୍‌ କାର୍ଯ୍ୟାଳୟକୁ ଚିଠି ଲେଖାଯାଇଥିଲେ ମଧ୍ୟ କିଛି ସୁପରିଣାମ ମିଳିନି। ଫଳରେ, ସେହିସ୍ଥାନ ଅବ୍ୟବହୃତ ହୋଇ ପଡ଼ିରହିବା ସହ ଲଟାବୁଦାରେ ଭରି ରହିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।